ଭୁବନେଶ୍ୱରରେ ସର୍ବାଧିକ ବର୍ଷା ରେକର୍ଡ

ଭୁବନେଶ୍ୱର: ଉତର ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣି ବଳୟ ଏବଂ ମୌସୁମୀ ପ୍ରବାହରେ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଗତକାଲି ଠାରୁ ପ୍ରବଳ ବର୍ଷା ଲାଗିରହିଥିଲା ବେଳେ ରାଜଧାନୀ ଭୁବନେଶ୍ୱରରେ ଦେଶରେ ସର୍ବାଧିକ ବର୍ଷା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଭୁବନେଶ୍ୱରରେ ସର୍ବାଧିକ ୧୩ ସେ.ମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ରାଜଧାନୀ ଭୁବନେଶ୍ୱର ଖାଲୁଆ ଅଞ୍ଚଳ ଗୁଡିକ ଜଳାର୍ଣ୍ଣବ ହୋଇପଡିଥିବା ବେଳେ ବହୁ ଅଞ୍ଚଳରେ ଘର ଭିତରେ ପାଣି ପସିିଯାଇଛି । ପ୍ରବଳ ବର୍ଷା ସାଙ୍ଗକୁ ଚାରିଆଡେ ଜଳାର୍ଣ୍ଣବ ହେବା ଫଳରେ ରାଜଧାନୀରେ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି ।
ଆଣ୍ଡାମାନ ନିକୋବରର ହଟ୍‌-ବେ’ରେ ୭ ସେ.ମି ବର୍ଷା ରେକର୍ଡ ହୋଇଥିବା ବେଳେ ତେଲେଙ୍ଗାନାର ଆଦିଲାବାଦ୍‌ରେ ୭ ସେ.ମି, ସବ୍ ହିମାଲୟନ୍ ୱେଷ୍ଟ୍ ବେଙ୍ଗଲର ଗାଙ୍ଗ୍‌ଟକ୍‌ରେ ୮ ସେ.ମି ବର୍ଷା ରେକର୍ଡ ହୋଇଥିବା ବେଳେ ୱେଷ୍ଟ୍ ମଧ୍ୟପ୍ରଦେଶର ଧର୍ରରେ ୧୦ ସେ.ମି ହୋଇଛି ।
ଉଲ୍ଲେଖଯୋଗ୍ୟ, ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଲଗାଣ ବର୍ଷା । ବର୍ଷା ପାଇଁ ଯାତାୟତରେ ଦେଖାଦେଇଛି ସମସ୍ୟା । ଆସନ୍ତା ୪ ଦିନ ଅର୍ଥାତ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଏମିତି ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଜି ୧୮ ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି । ଜିଲ୍ଲାଗୁଡ଼ିକ ହେଲା ପୁରୀ, କେନ୍ଦ୍ରାପଡା, ଗଂଜାମ, ଗଜପତି, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ ଯାଜପୁର, କଟକ, ଜଗତସିଂହପୁର, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ରାୟଗଡ଼ା, ନୂଆପଡ଼ା କଳାହାଣ୍ଡି, ନବରଙ୍ଗପୁର ।
ବିଶେଷ କରି ଉତର ଓଡିଶା ଜିଲ୍ଲା ଏବଂ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି । ଆଗାମୀ ୨୭ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଂଟା ମଧ୍ୟରେ କେନ୍ଦୁଝର, ମୟୁରଭଞ୍ଜ, ଢ଼େଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହିତ ଏହି ସମୟ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଞ୍ଜ, ଢ଼େଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଆଦି ଜିଲ୍ଲାରେ ବଜ୍ରପାତ ଆଶଙ୍କା ରହିଛି । ଏହି ଜିଲ୍ଲାଗୁଡ଼ିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Comments (0)
Add Comment