ପୂର୍ବତନ ସାଂସଦ କେଡି ସିଂହଙ୍କୁ ବାନ୍ଧିଲା ଇଡି

ନୂଆଦିଲ୍ଲୀ: ପୂର୍ବତନ ରାଜ୍ୟସଭା ସାଂସଦ ତଥା ବ୍ୟବସାୟୀ କେଡି ସିଂହଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ତାଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରୁଜୁ କରି ଇଡି ତଦନ୍ତ ଚଳାଇଥିଲା। Alchemist Groupର ଦୁର୍ନୀତି ମାମଲାରେ କେଡି ସିଂହ ସଂପୃକ୍ତ ଥିବା ଅଭିଯୋଗ ପରେ ଇଡି ୨୦୧୯ରେ ତାଙ୍କ ଘରେ ରେଡ୍‌ ମଧ୍ୟ କରିଥିଲା। ଏହି ସମୟରେ ଏକାଧିକ ଦସ୍ତାବିଜ ଜବତ କରାଯାଇଥିଲା। ସେହି ଆଧାରରେ ଦୁର୍ନୀତିର ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ୨୦୧୪ରେ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ଟିକେଟରୁ କେଡି ସିଂହ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଗତବର୍ଷ ଏପ୍ରିଲ ମାସରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। କେଡି ସିହଂଙ୍କ ଗିରଫ ପରେ ଟିଏମସି ନେତା ସୌଗତ ରୟ କହିଛନ୍ତି, ଏହା ସତ ଯେ Alchemist Group ପାଇଁ କେଡି ସିଂହ ଗୋଟିଏ ଚିଟ୍‌ଫଣ୍ଡ ଚଳାଇଥିଲେ। ଏହା ସତ ଯେ ସେ ଗୋଟିଏ ସମୟରେ ଟିଏମସି ଟିକେଟରୁ ରାଜ୍ୟସଭାକୁ ଯାଇଥିଲେ। ହେଲେ ବିଗତ ୨ ବର୍ଷ ହେଲା ଟିଏମସି ସହ ତାଙ୍କର କୌଣସି ସମ୍ପର୍କ ନଥିଲା। ମୋର ଆଶା ଇଡି ଆଇନ ଅନୁଯାୟୀ ସବୁ ପଦକ୍ଷେପ ଗ୍ରହଣ କରିବ। ଆମେ ସିବିଆଇ ଓ ଇଡି ଭଳି ସଂସ୍ଥାର କ୍ଷମତାକୁ ଯେମିତି ଅପବ୍ୟବହାର ନ କରାଯିବ, ସେଥିପାଇଁ ସବୁ ବେଳେ ଛିଡ଼ା ହେବୁ। କିନ୍ତୁ ସେମାନଙ୍କର ମଧ୍ୟ ଆଇନ ଅନୁଯାୟୀ କ୍ଷମତା ରହିଛି। ସେମାନେ ତଦ୍‌ନୁଯାୟୀ ନିଜ ଇଚ୍ଛାରେ କାମ କରିପାରିବେ ବୋଲି ସେ କହିଛନ୍ତି।

Comments (0)
Add Comment