ଶ୍ରୀଲିଙ୍ଗରାଜ ମନ୍ଦିରରେ ମାଳମାଳ ସମସ୍ୟା , ସିଂହଦ୍ୱାର କବାଟକୁ ଶିକୁଳି ସାହା

ଭୁବନେଶ୍ୱର : ମାଳମାଳ ସମସ୍ୟାରେ ଛନ୍ଦି ହୋଇ ରହିଛି ଶ୍ରୀଲିଙ୍ଗରାଜ ମନ୍ଦିର । ରକ୍ଷଣାବେକ୍ଷଣ ଦିଗରେ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗର(ଏଏସ୍‌ଆଇ) ଅବହେଳା ମନ୍ଦିରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି । ସେହିଭଳି ରାଜ୍ୟ ସରକାରଙ୍କ ଏକାମ୍ର ବିକାଶ ଯୋଜନା ମନ୍ଦିରର ବାହ୍ୟ ପରିସରର ସୌନ୍ଦର୍ଯ୍ୟକୁ ବିକଶିତ କରୁଥିବାବେଳେ ମନ୍ଦିରର ମୁଖ୍ୟ ଆୟକୁ ସଙ୍କୁଚିତ କରିଛି । ଫଳରେ ନୀତିକାନ୍ତି ପାଇଁ ଘୋର୍ ଆର୍ôଥକ ସମସ୍ୟା ଦେଖାଦେଇଛି । ଠାକୁରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଏଣେତେଣେ ପଡ଼ି ଖଇରାତ ହେଉଥିବା ବେଳେ ରାଜ୍ୟ ସରକାର ସେସବୁର ପୁନରୁଦ୍ଧାର ପାଇଁ ସାମାନ୍ୟ ଉଦ୍ୟମ କରୁନଥିବା ଅଭିଯୋଗ ହେଉଛି ।
ଏବେ ବର୍ଷାଋତୁ ଆରମ୍ଭ ହୋଇଯାଇଛି ଓ ବର୍ଷା ହେବା ମାତ୍ରେ ମନ୍ଦିରରୁ ପାଣି ଗଳିବା ଆରମ୍ଭ ହୋଇଯାଇଛି । ମୁଖ୍ୟ ମନ୍ଦିରର ଭୋଗ ମଣ୍ଡପ, ଜଗମୋହନରୁ ପାଣି ଗଳୁଛି । ସେହିଭଳି ପାର୍ବତୀ ମନ୍ଦିର, ଭୁବନେଶ୍ୱରୀ ମନ୍ଦିର, ଜଗନ୍ନାଥ ମନ୍ଦିର, ବିଶ୍ୱକର୍ମା ମନ୍ଦିର, ବଡ଼ ଗଣେଶ ମନ୍ଦିର, ବୌଦ୍ୟନାଥ ମନ୍ଦିର, ବୃଷଭ ମନ୍ଦିର, ସିଦ୍ଧି ବିନାୟକ ମନ୍ଦିରରୁ ପାଣି ଗଳୁଛି । ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବାରୁ ମନ୍ଦିର ଦିନକୁ ଦିନ ଦୁର୍ବଳ ହେଉଛି ବୋଲି ଅଭିଯୋଗ ହେଉଛି । ଫାଟ ଦିନକୁ ଦିନ ବଢ଼ିବା କାରଣରୁ ମନ୍ଦିର ଦୁର୍ବଳ ହେବା କୁହାଯାଉଛି । ମାତ୍ର କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ଏଥି ପ୍ରତି ଧ୍ୟାନ ଦେଉନାହିଁ । ୨୦୧୯ ସେପ୍େଟମ୍ବର ୨୬ରେ ଦେବୋତ୍ତର ବିଭାଗ କମିସନର ଏସବୁ ସମସ୍ୟାକୁ ନେଇ ଏଏସ୍‌ଆଇ ଡିଜିଙ୍କୁ ଚିଠି ଲେଖିଥିଲେ । ତେବେ କଥା ସେଇ ଚିଠି ଲେଖାରେ ଅଟକି ଯାଇଛି ।
ମନ୍ଦିରରୁ ପାଣି ଗଳିବା ବନ୍ଦ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ । ଏବେ ମନ୍ଦିରର ସିଂହଦ୍ୱାର ଫାଟକ କବାଟ ଭୁଶୁଡ଼ି ପଡ଼ିବା ଆଶଙ୍କା ଦେଖା ଦେଇଛି । ଅସ୍ଥାୟୀ ଭାବେ ସୁରକ୍ଷା ଦେବାକୁ ଶିକୁଳି ଲଗାଯାଇଛି । ଗତ ଜୁନ୍ ୮ତାରିଖରେ ପବନ ଓ ବଜ୍ରପାତରେ ଏହି କବାଟ ବଙ୍କା ହୋଇ ଯାଇଥିଲା । ଏଥିରେ ଲାଗିଥିବା କିଳିଣି ଛାଡ଼ି ଯିବାରୁ କବାଟ ନଇଁ ପଡ଼ିଥିଲା । ସେବାୟତମାନେ କବାଟକୁ ଠେକ ଦେଇ ରଖିଥିଲେ । କିନ୍ତୁ କବାଟ ସ୍ୱତଃ ବନ୍ଦ ହୋଇଯାଉଥିବାରୁ ସେବାୟତମାନେ ଯା’ଆସ କରିବାରେ ସମସ୍ୟାରେ ପଡ଼ୁଥିଲେ । ଏବେ କବାଟକୁ ଖୋଲା ରଖିବାକୁ ଏଏସ୍‌ଆଇ ପକ୍ଷରୁ ଆଜି ଶିକୁଳି ଲଗାଯାଇଛି । କିନ୍ତୁ ତୁରନ୍ତ ସ୍ଥାୟୀ ମରାମତି ଜରୁରୀ ହୋଇପଡ଼ିଛି ବୋଲି ସେବାୟତମାନେ କହିଛନ୍ତି । ବଡ଼ କଥା ହେଉଛି ଏତେ ବଡ଼ କାରୁକାର୍ଯ୍ୟପୂର୍ଣ୍ଣ ସ୍ଥାପତ୍ୟ ତଥା ମନ୍ଦିର ପାଇଁ ଏକ ଭଲ କବାଟ ନିର୍ମାଣ କରିବା ଦିଗରେ କାହାର ଦୃଷ୍ଟି ପଡ଼ୁନଥିବାରୁ ବହୁ ଶ୍ରଦ୍ଧାଳୁଙ୍କ ମନରେ କ୍ଷୋଭ ଜାତ ହୋଇଛି । ଶ୍ରୀମନ୍ଦିର କବାଟ ରୁପାରେ ନିର୍ମାଣ ହୋଇଥିବା ବେଳେ ଲିଙ୍ଗରାଜ ମନ୍ଦିର ପାଇଁ ଭଲ କବାଟ ବ୍ୟବସ୍ଥା ହୋଇପାରିନାହିଁ । ସେହିପରି ମନ୍ଦିରର ଆର୍ôଥଂ କାମ ଆରମ୍ଭ ହେବ ବୋଲି କହି ଏଏସ୍‌ଆଇ ଚୁପ୍ ବସି ପଡ଼ିଛି । କାମ କେବେ ଆରମ୍ଭ ହେବ ସେନେଇ ଏଏସ୍‌ଆଇ ଅଧୀକ୍ଷକ ଅରୁଣ କୁମାର ମଲ୍ଲିକ କିଛି କହିବାକୁ ମନା କରି ଦେଇଛନ୍ତି । ଅପରପକ୍ଷରେ ଠାକୁରଙ୍କ ବିଭିନ୍ନ ନୀତିକାନ୍ତି ପାଇଁ ମନ୍ଦିର ପ୍ରଶାସନ ପୂର୍ବରୁ ବିଭିନ୍ନ ବାହ୍ୟ ଉତ୍ସରୁ କିଛି ଅର୍ଥ ପାଉଥିଲା । ଏକ ଏଟିଏମ୍ ଓ ବିଭିନ୍ନ ଦୋକାନରୁ ଭଡ଼ା ଆଦାୟ ହେଉଥିଲା । ମାତ୍ର ଏକାମ୍ର ବିକାଶ ଯୋଜନାରେ ଏସବୁ ଭାଙ୍ଗି ଯିବା ପରେ ଉକ୍ତ ଆୟ ବନ୍ଦ ହୋଇଯାଇଛି । ସେହିପରି ଗାଡ଼ି ପାର୍କିଂ, ସାଇକଲ ଷ୍ଟାଣ୍ଡ୍‌, ଚପଲ ଷ୍ଟାଣ୍ଡ ଭଳି ସଂସ୍ଥାସବୁ କରୋନା ଯୋଗୁଁ ସବୁ ବନ୍ଦ ହୋଇଯାଇଛି । ତେଣୁ ଠାକୁରଙ୍କ ଦୌନନ୍ଦିନ ନୀତି ପାଇଁ ଆର୍ôଥକ ଅଭାବ ଦେଖା ଦେଇଛି । ପରିତାପର କଥା ମହାପ୍ରଭୁଙ୍କ ଅଚଳାଚଳ ସମ୍ପତ୍ତି ଏଣେତେଣେ ପଡ଼ିଛି । ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବିଭିନ୍ନ ବ୍ୟକ୍ତି ତଥା ଅନୁଷ୍ଠାନ ହରିଲୁଟ୍ କରୁଛନ୍ତି । ଅଥଚ ଠାକୁର ଭୋକରେ ରହିବା ସ୍ଥିତି । ତେଣୁ ମନ୍ଦିରରେ ସ୍ୱତନ୍ତ୍ର ଆଇନ ଲାଗୁ ନହେବା ଓ ମହାପ୍ରଭୁଙ୍କ ହରିଲୁଟ୍ ହେଉଥିବା କୋଟି କୋଟି ଟଙ୍କାର ସମ୍ପତ୍ତି ଉଦ୍ଧାର ନହେବା ପର୍ଯ୍ୟନ୍ତ ଏହି ସମସ୍ୟା ଲାଗି ରହିବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି । ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଠାକୁରଙ୍କ ସମ୍ପତି ହରିଲୁଟ୍ କରୁଥିବା ସମ୍ପର୍କରେ ଆଇନ ବିଭାଗ, ଦେବୋତ୍ତର ବିଭାଗ, ଜିଲ୍ଲାପାଳ, ବିଏମ୍‌ସି କମିସନର ଓ ମନ୍ଦିର ପ୍ରଶାସନ ପାଖରେ ପୁଳାପୁଳା ଅଭିଯୋଗ ହେଉଛି । ଅଥଚ କୌଣସି ବିଭାଗ ପଦକ୍ଷେପ ନେଉନାହାନ୍ତି ।
ଭୁବନେଶ୍ୱର ନାଗରିକ କମିଟି, ଏକାମ୍ର ଜନ ଜାଗରଣ ମଞ୍ଚ, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ରଞ୍ଜନ ଚୌଧୁରୀ ମନ୍ଦିରର ସମ୍ପତ୍ତି ହରିଲୁଟ୍ ବାବଦରେ ବାରମ୍ବାର ଅଭିଯୋଗ କରିଛନ୍ତି । ହେଲେ ପଦକ୍ଷେପ ଶୂନ । ଏନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି ଯେ ଠାକୁରଙ୍କ ସମ୍ପତ୍ତି ହରିଲୁଟ୍ ଓ ଜମିଜମା ଜାଲ୍ ବିକ୍ରିକୁ ନେଇ ବହୁ ଅଭିଯୋଗ ଆସିଛି । ସେସବୁକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଇଛି ।

Comments (0)
Add Comment