ମାଟ୍ରିକ ମୁଲ୍ୟାୟନ ନେଇ ବଢିଲା ଅସନ୍ତୋଷ

ଭୁବନେଶ୍ୱର : ମହାମାରୀ କରୋନା ସଂକ୍ରମଣ ଯୋଗୁଁ ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ଚଳିତ ବର୍ଷର ମାଟ୍ରିକ ରେଜାଲ୍ଟ ରେକର୍ଡ ସୃଷ୍ଟି କରିଥିଲା ବେଳେ ମୁଲ୍ୟାୟନକୁ ନେଇ ରାଜ୍ୟବ୍ୟାପୀ ଛାତ୍ରଛାତ୍ରୀ ଓ ଅଭିବାଭକ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଛାତ୍ରଛାତ୍ରୀ ଓ ଅବିଭାବକମାନେ ସେମାନଙ୍କ ଅଞ୍ଚଳର ସ୍କୁଲ, ଡିଇଓ, କାର୍ଯ୍ୟାଳୟ ଘେରାଉ କରିଛନ୍ତି । ରାଜଧାନୀ ଭୁବନେଶ୍ୱର ଓ କଟକରେ ମାଧ୍ୟମିକ ଶିକ୍ଷା ବୋର୍ଡ କାର୍ଯ୍ୟାଳୟ ଏବଂ ବିଭିନ୍ନ ସ୍କୁଲରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମାର୍କ ନବଢାଇଲେ ସେମାନେ ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି । ତ୍ରୁଟିପୂର୍ଣ୍ଣ ମାର୍କିଂ ହୋଇଥିବା ନେଇ ଏହି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ମୁଲ୍ୟାୟନରେ କୌଣସି ତ୍ରୁଟି ହୋଇନାହିଁ ସବୁକିଛି ସ୍ୱଚ୍ଛତାର ସହ ମୁଲ୍ୟାୟନ କରାଯାଇଛି ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କୁହାଯାଇଛି । ବୋର୍ଡ କର୍ତୃପକ୍ଷ କହିଛନ୍ତି ଯେ, ୨ବର୍ଷ ନୁହେଁ ଛାତ୍ରଛାତ୍ରୀମାନଙ୍କର ୪ବର୍ଷର ରେଜାଲ୍ଟ ଆଧାରରେ ମୁଲ୍ୟାୟନ କରାଯାଇଛି । ବର୍ତମାନ ଯେଉଁ ଛାତ୍ରଛାତ୍ରୀମାନେ ମୁଲ୍ୟାୟନ ନେଇ ଅସନ୍ତୁଷ୍ଟ ଅଛନ୍ତି ସେମାନେ ପୁଣି ଥରେ ପରୀକ୍ଷା ଦେଇପାରିବେ । ଏହା ରାଜ୍ୟସରକାର ବାରମ୍ବାର ଘୋଷଣା କରିସାରିଛନ୍ତି ବୋଲି ବର୍ଡ ପକ୍ଷରୁ କୁହାଯାଇଛି ।
ମିଳିଥିବା ମାର୍କରେ ଅସନ୍ତୋଷ ପ୍ରକାଶ କରି କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ଆଜି ହଜାର ହଜାର ଛାତ୍ରଛାତ୍ରୀ ଅଭିଭାବକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେହିପରି କଟକ କଲେଜ ଛକ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ମାଟ୍ରିକ୍ ଛାତ୍ରଛାତ୍ରୀ ସ୍କୁଲ୍‌ରେ ହୋହଲ୍ଲା କରିବା ସହିତ ଶିକ୍ଷକଙ୍କୁ ଘେରିଛନ୍ତି । ଏହି ସ୍କୁଲ୍‌ର ଶତାଧିକ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ବୋର୍ଡ ଦେଇଥିବା ନମ୍ବରରେ ତ୍ରୁଟି ରହିଥିବା ଦର୍ଶାଇଛନ୍ତି । ସେମାନଙ୍କୁ ଯେଉଁ ମାର୍କ ମିଳିଛି ସେହି ଅନୁସାରେ ସେମାନଙ୍କୁ ଭଲ କଲେଜରେ ଯୁକ୍ତ ଦୁଇ ପଢ଼ିବା ପାଇଁ ସୁଯୋଗ ମିଳିବ ନାହିଁ ବୋଲି ଏହି ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ମିଳିଥିବା ମାର୍କ ସେମାନଙ୍କ କ୍ୟାରିୟରେ ଅସୁବିଧା ସୃଷ୍ଟି କରିବ । ଏଥିପାଇଁ ସେମାନେ ପୁନଃମୂଲ୍ୟାୟନ ଦାବି କରିଛନ୍ତି । କଟକ ବୋର୍ଡ କାର୍ଯ୍ୟାଳୟ ଆଗରେ ମଧ୍ୟ ଅଭିଭାବକଙ୍କ ଭିଡ଼ ଦେଖିବାକୁ ମିଳିଛି । ମୂଲ୍ୟାୟନରେ ତ୍ରୁଟି ଦର୍ଶାଇ ସେମାନେ ରାସ୍ତାରୋକ କରିଛନ୍ତି ।
କଟକ କଲେଜ ଛକ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଭଳି ପୁରୀର ମଧୁବନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାଟ୍ରିକ୍ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ସେମାନେ ବି ଅଭିଭାବକମାନଙ୍କ ସହିତ ମିଶି ସ୍କୁଲ୍ ଘେରାଉ କରିଛନ୍ତି । ଏହି ସ୍କୁଲ୍‌ର ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ସ୍କୁଲ୍‌ର ସବୁ ପିଲାଙ୍କର ୨୯୩/୨୯୪ ଆଭେରେଜ ମାର୍କିଂ କରାଯାଇଛି । ଅତିବେଶୀ ହେଲେ କାହାକୁ ୩୦୦ ମିଳିଛି । ତା’ଠୁ ଅଧିକ ନମ୍ବର କାହାକୁ ମିଳି ନାହିଁ । ସମସ୍ତଙ୍କର ୫୦% ତଳକୁ ନମ୍ବର ରହିଛି । ସେମାନଙ୍କ ଷ୍ଟାଣ୍ଡାର୍ଡ କ’ଣ ଏତେ ଖରାପ ବୋଲି ପ୍ରଶ୍ନ କରିଛନ୍ତି । ତା’ସହିତ ସେମାନଙ୍କ ଠାରୁ କମ୍ ଷ୍ଟାଣ୍ଡାର୍ଡର ପିଲାମାନେ ଅଧିକ ମାର୍କ ରଖିଛନ୍ତି ବୋଲି କହିଛନ୍ତି । ସେମାନଙ୍କୁ ୮୫ରୁ ୯୦% ମାର୍କ ଦିଆଯାଉ ବୋଲି ଏହି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ।
ଏଠାରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖି ପୁରୀ ଜିଲ୍ଲାପାଳ ଡିଇଓଙ୍କୁ ଆସିଥିବା ଅଭିଯୋଗର ସମୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ଭୁବନେଶ୍ୱର ସ୍ଥିତ ବ୍ରହ୍ମେଶ୍ୱର ସରକାରୀ ହାଇସ୍କୁଲରେ ବି ଅସନ୍ତୋଷ ଦେଖିବାକୁ ମିଳିଛି । ମିଳିଥିବା ମାର୍କରେ ଅସନ୍ତୋଷ ପ୍ରକାଶ କରି ଏହି ସ୍କୁଲ୍‌?ର ଛାତ୍ରଛାତ୍ରୀମାନେ କିଛି ସମୟ ପାଇଁ ରାସ୍ତା ମଧ୍ୟ ଅବରୋଧ କରିଥିଲେ ।
ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ମଧ୍ୟ ସେମାନଙ୍କ ରେଜଲ୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଜି ୩୦ରୁ ଅଧିକ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ଏ ବିଷୟରେ ଆଲୋଚନା କରିଛନ୍ତି । ସେମାନେ ମଧ୍ୟ ନମ୍ବର ବଢ଼ାଇବା ପାଇଁ ଦାବି କରିଛନ୍ତି । ଏହି ଛାତ୍ରଛାତ୍ରୀ ମାନଙ୍କ କହିବା କଥା ସେମାନେ ୯୦% ମାର୍କ ରଖୁଥିବା ବେଳେ ଦଶମ ପରୀକ୍ଷାରେ ସେମାନଙ୍କୁ ୭୦% ମାର୍କ କିଭଳି ମିଳିଲା ।
ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ନେଇ କଟକ ଜିଲ୍ଲା ସାଲେପୁର ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ବିକ୍ଷୋଭ କରିଥିବା ବେଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଅଫିସ ଘେରିଛନ୍ତି ସାଇ ଗୁରୁକୃପା ଆବାସିକ ବିଦ୍ୟାଳୟର ପିଲାମାନେ ।
ଏହି ସ୍କୁଲ୍‌ର ସ୍ୱପ୍ନା ବେହେରା ନାମକ ଜଣେ ଛାତ୍ରୀ କହିଛନ୍ତି, ବୋର୍ଡ ମୋତେ ୪୫୮ ନମ୍ବର ଦେଇଛି । ଏହା ମୋଟ ମାର୍କର ୭୬% ହେଉଛି । କିନ୍ତୁ ଯେଉଁ ଫର୍ମୁଲାରେ ଏହି ମୂଲ୍ୟାୟନ ହୋଇଛି, ସେଥିରେ ହିସାବ କଲେ ମୁଁ ୫୨୩ ରଖିବା କଥା, ଯାହା ମୋଟ ମାର୍କର ୮୭.୧୭% ହେଉଛି । ବୋର୍ଡ ଯେଉଁ ନମ୍ବର ଦେଇଛି ସେଥିରେ ମୁଁ କୌଣସି ଭଲ କଲେଜରେ ଯୁକ୍ତ ଦୁଇ ସାଇନ୍ସରେ ଆଡ୍‌ମିଶନ୍ ପାଇବି ନାହିଁ । ଅନ୍ୟପକ୍ଷରେ ସ୍କୁଲ୍ କର୍ତ୍ତୃପକ୍ଷ କହୁଛନ୍ତି, ଆମେ କଥା ହେଉଛୁ । ସେହିଭଳି ସୂର୍ଯ୍ୟନାରାୟଣ ନାୟକ ନାମକ ଜଣେ ଅଭିଭାବକ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅକୁ ବୋର୍ଡ ୭୦.୫% ନମ୍ବର ଦେଇଛି । ତାଙ୍କ ଉପରେ ୯୦% ରହିବା କଥା । ଏତେ କମ୍ ନମ୍ବର ଦେଇଥିବାରୁ ତାଙ୍କ ପୁଅକୁ ଭଲ କଲେଜ୍‌ରେ ନାଁ ଲେଖାଇବାକୁ ସୁଯୋଗ ମିଳିବ ନାହିଁ । ବୋର୍ଡ କର୍ତ୍ତୃପକ୍ଷ ଆଉ ଥରେ ହିସାବ କରି ତାଙ୍କ ପୁଅକୁ ନମ୍ବର ଦେବାକୁ ସେ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ, ଜୁନ୍ ୨୫ ତାରିଖରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଥିଲା । କରୋନା ଯୋଗୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ମାଟ୍ରିକ୍ ପିଲାମାନଙ୍କର ପରୀକ୍ଷା କରାନଯାଇ ଫଳ ପ୍ରକାଶ କରାଯାଇଥିଲା । ବିକଳ୍ପ ବ୍ୟବସ୍ଥା ଯୋଗେ ଏଥର ମୂଲ୍ୟାୟନ ହୋଇଥିବା ବେଳେ ଏଥିରେ ୯୭.୮% ପିଲା ପାସ୍ କରିଛନ୍ତି ।

Comments (0)
Add Comment