କୋଟିଆର ନିର୍ବାଚନ କରିବାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଶାସନ ମୁହାଁମୁହିଁ

ଜୟପୁର: କୋରାପୁଟ କୋଟିଆର ନିର୍ବାଚନ କରିବାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି । ଓଡ଼ିଶାର ବିରୋଧ ସତ୍ୱେ ଆନ୍ଧ୍ର ପ୍ରଶାସନ ଆପତି ଉଠାଇଛି । କୋଟିଆର ନେରେଡିୱାଲସାରେ ଆନ୍ଧ୍ର ପକ୍ଷରୁ ପୋଲିଂ ବୁଥ୍ କରାଯାଇଛି । ଏଥିରେ କୋଟିଆ ଅଞ୍ଚଳରୁ କିଛି ଲୋକ ଯାଇ ଭୋଟ୍ ଦେଇଥିଲେ ସୂଚନା ମିଳିଛି । ତେବେ ତଳ ଗଞ୍ଜେଇପଦର, ଉପରେ ସେମ୍ବି ଓ ଧୂଳିପଦର ଲୋକେ ଏଯାଏ ଭୋଟ୍ ଦେଇ ନାହାନ୍ତି । ଅନ୍ୟପକ୍ଷରେ ଦୁଇ ରାଜ୍ୟର ସ୍ଥାନୀୟ ଉପଜିଲ୍ଲାପାଳଙ୍କ ମଧ୍ୟରେ ଏନେଇ ଆଲୋଚନା ହୋଇଛି । କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ କୋରାପୁଟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଛି । କୋଟିଆରେ ନିର୍ବାଚନ କରିବା ଲାଗି ଆନ୍ଧ୍ର ହାଇକୋର୍ଟଙ୍କ ଉଚ୍ଚସ୍ତରୀୟ ଖଣ୍ଡପୀଠ ରାୟ ଦେଇଥିଲେ । ଆଜି ନିର୍ବାଚନ କରିବା ସହ ପରବର୍ତୀ ଆଦେଶ ଯାଏ ଗଣତି ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆନ୍ଧ୍ର ହାଇକୋର୍ଟଙ୍କ ରାୟ ପରେ ଆନ୍ଧ୍ର ସରକାର ଆଜି ନିର୍ବାଚନ କରିବାକୁ ଉଦ୍ୟମ କରିଛନ୍ତି । ଗତକାଲି ଆନ୍ଧ୍ର ହାଇକୋର୍ଟଙ୍କ ରାୟ ପରେ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆନ୍ଧ୍ରକୁ ର୍ନିାଚନ କରାଇବାରୁ ଦୂରେଇ ରଖିବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ନିର୍ବାଚନ କଲେ ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା କରିବାକୁ ଓଡ଼ିଶା ସରକାର ଆବେଦନ କରିଥିଲେ । ଅନ୍ୟପକ୍ଷେ , ଆନ୍ଧ୍ର ସରକାର ନିର୍ବାଚନ କରିବା ଲାଗି ପ୍ରସ୍ତୁତି କରିଥିବାବେଳେ ଗଡ ଜମି ରହିଛନ୍ତି ବିଜେଡି, ବିଜେି ଏବଂ କଂଗ୍ରେସ ନେତା । କୋଟିଆ ପଞ୍ଚାୟତ ଅନ୍ତର୍ଗତ ତଳ ଗଞ୍ଜେଇପଦର , ଫାଟୁସିନେରୀ ଓ ଫଗୁଣିସିନେରୀର ଭୋଟରଙ୍କୁ ନେଇ ଜିଲ୍ଲା ପରିଷଦ ନିର୍ବାଚନ କରୁଥିବା ଆଶଙ୍କା କରି ଏହାର ପ୍ରତିବାଦରେ ସମସ୍ତେ ଏକାଠି ହୋଇଛନ୍ତି । ଏହି ନେତୃବୃନ୍ଦ ଫାଟୁସିନେରୀ ନିକଟ ଓଡ଼ିଶା-ଆନ୍ଧ୍ର ସୀମା ରେ ରାସ୍‌ତା ଅବରୋଧ କରିଛନ୍ତି । ଓଡ଼ିଶା ମାଟିର କେହି ଭୋଟରଙ୍କୁ ଆନ୍ଧ୍ରର ନିର୍ବାଚନରେ ଭାଗ ଦେବାକୁ ଦିଆଯିବ ନାହିଁ ବୋଲି ସେମାନେ କହିଛନ୍ତି । ଆନ୍ଧ୍ର ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ବେଆଇନ ଭାବେ ନିର୍ବାଚନ କରୁଥିବା ନେଇ କିଛି ମାସ ତଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀଙ୍କୁ ଚିଠି ଲେଖିଥିଲେ ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଆନ୍ଧ୍ର ଓଡ଼ିଶା ଭିତରେ ପଶି ବେଆଇନ ଭାବେ ରାୟଗଡ଼ାରେ ବିଜୟନଗରମ ଜିଲ୍ଲା ପ୍ରଶାସନ, ଗଞ୍ଜାମ ଓ ଗଜପତିରେ ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନ ନିର୍ବାଚନ କରିଛି ଯାହାକି ଏହାଂ ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି । ୧୯୬୮ ମସିହାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଏହା ଉଲ୍ଲଂଘନ କରିଛି । ଏହା ସମ୍ବିଧାନିକ ସଂକଟ ବୋଲି ଚିଠିରେ ଦର୍ଶାଇଥିଲେ ବିରୋଧୀ ଦଳ ନେତା ।

Comments (0)
Add Comment