ଅକ୍ସିଜେନ୍ ଯୋଗାଣରେ ବାଧା ଦେଲେ ଫାଶୀ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦେଶବ୍ୟାପୀ କରୋନା ସଂକ୍ରମର ଉଦ୍ବେଗଜନକ ଭାବେ ବ୍ୟାପୀ ଚାଲିଥିବା ବେଳେ ଅକ୍ସିଜେନ୍ ସଙ୍କଟ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି । ବିଶେଷ କରି ଦିଲ୍ଲୀରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଅକ୍ସିଜେନ୍ ଅଭାବ ଯୋଗୁଁ ଅନେକ ହସ୍ପିଟାଲରେ ରୋଗୀ ପ୍ରାଣ ହରାଉଥିବା ବେଳେ କେତେକ ହସ୍ପିଟାଲ ରୋଗୀଙ୍କୁ ଅନ୍ୟତ୍ର ଯିବା ଲାଗି କହୁଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଅସହାୟ ହୋଇପଡିଛନ୍ତି । ଦିଲ୍ଲୀକୁ ତୁରନ୍ତ ଅକ୍ସିଜେନ୍ ପଠାଇବା ଲାଗି ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି । ପରିସ୍ଥିତି ଗୁରୁତର ହେଉଥିବା ବେଳେ ଦିଲ୍ଲୀ ହାଇକୋର୍ଟ ଏହି ପ୍ରସଙ୍ଗରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବିଭିନ୍ନ ସ୍ଥାନରେ ଅକ୍ସିଜେନ୍ ଯୋଗାଣରେ କେତେକ ବ୍ୟକ୍ତି ବାଧା ସୃଷ୍ଟି କରୁଥିବାରୁ ହାଇକୋର୍ଟ କ୍ଷୋଭ ପ୍ରକାଶ କରିବା ସହିତ ଏଭଳି ବ୍ୟକ୍ତିଙ୍କ ଫାଶୀରେ ଝୁଲାଇଦେବୁ ବୋଲି କହିଛନ୍ତି । ଅକ୍ସିଜେନ୍ ଯୋଗାଣ ମାମଲାର ଶୁଣାଣି ବେଳେ ଆଜି ହାଇକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି । କହିଛନ୍ତି ଯେ ମହାମାରୀ ଭିତରେ ଲୋକଙ୍କ ଜୀବନ ସହ ଖେଳୁଥିବା ଲୋକଙ୍କୁ ବରଦାସ୍ତ କରାଯିବ ନାହିଁ । ଦେଶରେ ଦ୍ରୁତ କରୋନା ସଂକ୍ରମଣକୁ କୋର୍ଟ ସୁନାମି ବୋଲି କହିଛନ୍ତି । କୋର୍ଟ କହିଛନ୍ତି ଯେ ଏହା ଦ୍ୱିତୀୟ ଲହର ନୁହେଁ, ଏହା ବାସ୍ତବରେ ସୁନାମି । ଦିଲ୍ଲୀରେ ବଡ଼ ହସ୍ପିଟାଲ ସମେତ ଅନେକ ଛୋଟ ହସ୍ପିଟାଲ୍ ଏବେ ଅକ୍ସିଜେନ୍ ଅଭାବଜନିତ ସଙ୍କଟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦିଲ୍ଲୀ ସରକାର କୋର୍ଟଙ୍କୁ କହିଛନ୍ତି, ଯଦି ଦିଲ୍ଲୀକୁ ୪୮୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ତୁରନ୍ତ ନମିଳେ ତେବେ ସ୍ୱାସ୍ଥ୍ୟ ଭିତିଭୂମି ଭୁଶୁଡି ପଡିବ । କୋର୍ଟ ଆଜି ଦିଲ୍ଲୀ ସରକାରଙ୍କୁ କହିଛନ୍ତି, ଅକ୍ସିଜେନ୍ ଯୋଗାଣରେ କିଏ ବାଧା ଉପୁଯାଉଛି ତାହା ସ୍ପଷ୍ଟ କରିବାକୁ ହେବ । ଦୋଷୀ ଚିହ୍ନଟ ହେଲେ ନିସ୍ତାର ପାଇବେ ନାହିଁ । ଏସମ୍ପର୍କରେ ସଂପୃକ୍ତ ଅଂଚଳର ପ୍ରଶାସନ କଠୋର କାର୍ଯ୍ୟାନୁÂାନ ଗ୍ରହଣ କରନ୍ତୁ ବୋଲି କୋର୍ଟ କହିଛନ୍ତି । ଅନ୍ୟପକ୍ଷେ ଦିଲ୍ଲୀକୁ କେବେ ୪୮୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ମିଳିବ ବୋଲି ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ମହାରାଜ ଅଗ୍ରସେନ ହସ୍ପିଟାଲ୍ର ଆବେଦନ ଶୁଣାଣି କରି କୋର୍ଟ ଆଜି ଏଭଳି ମତ ରଖିଛନ୍ତି । ଅନ୍ୟପକ୍ଷେ ସଂକ୍ରମଣ ମୁକାବିଲା ଦିଗରେ କେଇଁସବୁ ପଦକ୍ଷେପ ଗ୍ରହଣ ହୋଇଛି ଏବଂ କିଭଳି ପ୍ରସ୍ତୁତି ଚାଲିଛି ସେନେଇ କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

Comments (0)
Add Comment