ଅଭିବୃଦ୍ଧି ୩.୨ ପ୍ରତିଶତରୁ ବହୁତ ତଳକୁ ଖସିବ!

ନୂଆଦିଲ୍ଲୀ: ଭାରତର ଅଭିବୃଦ୍ଧି କରେନା ମହାମାରୀ ଲାଗି ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି । ଭାରତର ଅଭିବୃଦ୍ଧି ୩.୨ ପ୍ରତିଶତ ହ୍ରାସ ପାଇବ ବୋଲି ପୂର୍ବରୁ ଏହା ଆକଳନ କରିଥିଲା । ମାତ୍ର ସ୍ଥିତି ଯେଉଁଭଳି ଭାବେ ଆଗକୁ ବଢ଼ୁଛି ତାହାକୁ ବିଚାରକୁ ନେବା ପରେ ଭାରତର ଅର୍ଥନୀତି ଆଶା ଠାରୁ ଆହୁରି ଅଧିକ ନିମ୍ମଗାମୀ ହେବବୋଲି ବିଶ୍ୱବ୍ୟାଙ୍କ କହିଛି । ଭାରତର ବିତୀୟ ନିଅଂଟ ଏହି ସମୟରେ ୬.୬ ପ୍ରତିଶତକୁ ବୃଦ୍ଧି ପାଇବ । ବର୍ଷତମାମ ତାହା ୫.୫ ପ୍ରତିଶତରୁ ଉଚ୍ଚ ସ୍ତରରେ ରହିଛି । ବିତୀୟ ନିଅଂଟ (ଆୟ ଓବ୍ୟୟ ଭିତରେ ଅନ୍ତର) ୩.୫ ପ୍ରତିଶତ ଭିତରେ ସୀମିତ ରଖିବାକୁ ସରକାର ବକେଟ୍ରେ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ସେହି ଲକ୍ଷ୍ୟ ହାସଲ କରିବା ସମ୍ଭବ ହେବ ନାହିଁ । ଦୈନିକ ୧.୯୦ ଡଲାର ବ୍ୟୟ ହିସାବ ଅନୁସାରେ ଦେଶର ଦାରିଦ୍ର୍ୟ ହାର ୨୦୧୫ ସୁଦ୍ଧା ୧୩.୪ ପ୍ରତିଶତକୁ ହ୍ରାସ ପାଇଥିଲା । ମାତ୍ର କରୋନା ମହାମାରୀ ବ୍ୟାପିବା ପରେ ଦେଶର ଅଧା ଲୋକଙ୍କ ସ୍ଥିତି ଖରାପରୁ ଅତି ଖରାପ ଆଡ଼କୁ ଗତି କରୁଛି । ସେମାନେ ଦାରିଦ୍ର୍ୟ ସୀମାରେଖା ପାଖାପାଖି ପହଂଚିଗଗେଣି ବୋଲି ବିଶ୍ୱବ୍ୟାଙ୍କ ଏହାର ଏକ ରିପୋର୍ଟ ଜଣାଇଛି । ଆୟ ଓ ନିଯୁକ୍ତି ଉଭୟ ହରାଉଥିବାରୁ ଅଧିକରୁ ଅଧିକ ଭାରତୀୟ ପରିବାର ପୁଣି ଥରେ ଦାରିଦ୍ର୍ୟ ମୁହଁକୁ ଠେଲି ହୋଇଯିବାର ଆଶଙ୍କା ଦେଖାଦେଇଛି । ଗରିବ ଲୋକମାନଙ୍କ ସ୍ଥିତି ଆହୁରି ଖରାପ ହେବ । ସାମାଜିକ ଦୂରତ୍ୱ ବଜାୟ ରଖିବା ସେମାନଙ୍କ ପାଇଁ ସମ୍ଭବପର ହେଉ ନାହିଁ । ତେଣୁ ସେହି ବର୍ଗର ଲୋକମାନେ କରୋନାରେ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି । ଗୋଟିଏ ପଟେ ଗରିବ ଲୋକମାନେ ନିଜର ଜୀବିକା ହରାଇଥିବା ବେଳେ ଅନ୍ୟପଟେ ବିଭିନ୍ନ ସାମଗ୍ରୀର ଦରଦାମ୍ ବଢ଼ୁଥିବାରୁ ସେମାନଙ୍କ କ୍ରୟ ଶକ୍ତି ମଧ୍ୟ କମିବାରେ ଲାଗିଛି । ସହରାଂଚଳରେ ବାସ କରୁଥିବା ଗରିବ ଲୋକ ଓ ପ୍ରବାସୀ ଶ୍ରମିକମାନେ ସରକାରୀ ଲାଭ ପାଇବାରୁ ବଂଚିତ ହେବେ । କାରଣ ଦେଶରେ ପ୍ରଚଳନରେ ଥିବା ଛଅ ପ୍ରକାରର ସାମାଜିକ ସୁରକ୍ଷା ସ୍କିମ୍ ମଧ୍ୟରୁ କୌଣସି ଗୋଟିଏ ବି ପୋର୍ଟେବଲ୍ ନୁହେଁ । ଅର୍ଥାତ ଯେଉଁ ସ୍ଥାନରେ ଲୋକମାନେ ସ୍ଥାୟୀ ଭାବେ ବସବାସ କରୁଥିବେ କେବଳ ସେମାନେ ସ୍କିମ୍ର ଲାଭ ପାଉଛନ୍ତି । ପ୍ରବାସୀ ଶ୍ରମିକମାନେ କିନ୍ତୁ କାମଧନ୍ଦା ଖୋଜିବା ପାଇଁ ବର୍ଷତମାମ ଗୋଟିଏ ସହରରୁ ଅନ୍ୟ ସହରକୁ ଯାତ୍ରା କରୁଛନ୍ତି । ତେଣୁ ସରକାରୀ ସାମାଜିକ ସୁରକ୍ଷା ସ୍କିମ୍ ସେମାନଙ୍କ ପାଖରେ ପହଂଚି ପାରୁନାହିଁ ବୋଲି ବିଶ୍ୱବ୍ୟାଙ୍କ କହିଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ମନରେଗା, ପିଏମ୍ କିସାନ, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଏବଂ ସାଧାରଣ ସାମାଜିକ ସହାୟତା କାର୍ଯ୍ୟକ୍ରମ ଏବଂ ସାଧାରଣ ବଂଟନ ବ୍ୟବସ୍ଥା (ପିଡିଏସ୍)ର ଅଧିକାଂଶ ହିତାଧିକାରୀ ଗ୍ରାମଂଚିଳର ବୋଲି ବିଶ୍ୱବ୍ୟାଙ୍କ ମନେ ପକାଇ ଦେଇଛି । ଚୀନ୍ ଛାଡ଼ୁଥିବା କଂପାନିଗୁଡ଼ିକୁ ଟିକସ ଲୋଭ ଦେଖାଇ ଡାକିବା ମହାଙ୍ଗା ପଡ଼ିପାରେ ବୋଲି ବିଶ୍ୱବ୍ୟାଙ୍କ ସତର୍କ କରାଇଦେଇଛି । ଭାରତ ଏହାର ସଂସ୍କାରମୂଳ ପଦକ୍ଷେପଗୁଡ଼ିକୁ ଯେଉଁଭଳି ଭାବେ କାର୍ଯ୍ୟକାରୀ କରିବ ସେହି ଅନୁସାରେ ସୁଯୋଗ ହାତେଇ ପାରିବ । ଟିକସକୁ ଅସ୍ତ୍ର କରିବା ନୀତି ଜରିଆରେ ସୁଯୋଗ ହାସଲ ପାଇଁ ଉଦ୍ୟମ କରିବାକୁ ବିଶ୍ୱବ୍ୟାଙ୍କ ପରାମର୍ଶ ଦେଇଛି । ଋଣ ସମ୍ପର୍କରେ ଏହା ଜଣାଇଛି ଯେ, ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ସଂସ୍ଥା (ଏନ୍ବିଏଫ୍ସି) ଗୁଡ଼ିକ ଦେଇଥିବା ବ୍ୟକ୍ତିଗତ, ଗାଡ଼ି, ଘର ଓ ରିଅଲ ଇଷ୍ଟେଟ୍ ଋଣ ପ୍ରତି ସର୍ବାଧିକ ବିପଦ ରହିଛି । ଋଣ ଫେରିବା ନେଇ ଆଶଙ୍କା ରହିଛି । ଅନାଦେୟ ଋଣ ମାତ୍ରା ବଢ଼ିବାକୁ ଯାଉଥିବାରୁ ସେହି ସଙ୍କଟର ମୁକାବିଲା ଲାଗି ବ୍ୟାଙ୍କଗୁଡ଼ିକୁ ଏବେଠାରୁ କିଛି ରାଶି ଅଲଗା ରଖିବାକୁ ପଡ଼ିବ । ଅର୍ଥାତ ପ୍ରୋଭିଜନିଂ ବାବଦରେ ଅଧିକ ପାଣ୍ଠି ରଖିବାକୁ ହେବ । ଏହା ବ୍ୟତୀତ ବ୍ୟାଙ୍କଗୁଡ଼ିକୁ ଅଧିକ ପୁଞ୍ଜ ହାସଲ କରିବା ଲାଗି ଉଦ୍ୟମ କରିବାକୁ ପଡ଼ିବ ବୋଲି ଏହା ଜଣାଇଛି ।

Comments (0)
Add Comment