ନୂଆଦିଲ୍ଲୀ: ମହାମାରୀ କରୋନା ସହ ଦେଶବାସୀ ଗୋଟିଏ ପଟେ ଲଢେଇ କରୁଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ହ୍ରାସ ପାଇବାରେ ଲାଗିଛି । ଦେଶରେ କରୋନା ସଂକ୍ରମିତ ଥମିବାର ନାଁ ଧରୁ ନଥିବା ବେଳେ ନୂଆ ସର୍ଭେରୁ ଜଣାପଡିଛି ଯେ, ଦେଶବାସୀଙ୍କ ଆଗରେ ପ୍ରଧାନମନ୍ତ୍ରୀ ମୋଦି ନିଜ ଆସ୍ଥା ହରାଇବାକୁ ଲାଗିଲେଣି । ୨୦୧୪ରେ ପ୍ରଥମଥର ପ୍ରଧାନମନ୍ତ୍ରୀ ହୋଇଥିବା ମୋଦି ୨୦୧୯ରେ ପ୍ରଚଣ୍ଡ ଜନମତ ସହ ଦ୍ୱିତୀୟ ଥର କ୍ଷମତା ଦଖଲ କରିଥିଲେ । ଦୀର୍ଘ ୩ଦଶନ୍ଧି ମଧ୍ୟରେ ସର୍ବାଧିକ ଆସନ ଜିତି ମୋଦି ନୂଆ ଇତିହାସ ସୃଷ୍ଟି କରିଥିଲେ । କିନ୍ତୁ ଏବେ ମହାମାରୀ କରୋନା ତାଙ୍କ ଛବିକୁ ମଳିନ କରିବାରେ ଲାଗିଛି ।
ଭାରତରେ କରୋନା ସଂକ୍ରମଣ ୨୫ ମିଲିୟନ ପାର୍ କରି ଯାଇଥିବାରୁ ଭୂତାଣୁ୍କୁ ମୁକାବିଲା କରିବାରେ ସରକାର ବିଫଳ ବୋଲି କୁହାଯାଉଛି । ଏହାର ପ୍ରଭାବ ମଧ୍ୟ ମୋଦିଙ୍କ ଛବି ଉପରେ ପଡିଛି । ଏହା ତାଙ୍କ ଲୋକପ୍ରିୟତାକୁ ହ୍ରାସ କରିଛି ବୋଲି ଆମେରିକାର ମର୍ଣ୍ଣିଂ କନସଲ୍ଟ ପକ୍ଷରୁ ଜାରି ‘ଗ୍ଲୋବାର ଆପ୍ରୁଭାଲ୍ ରେଟିଂ’ରେ କୁହାଯାଇଛି । ଏହି କମ୍ପାନୀ ବିଭିନ୍ନ ଦେଶର ନେତାଙ୍କ ଲୋକପ୍ରିିୟତା ଓ ଅନ୍ୟାନ୍ୟ ବିଷୟବସ୍ତୁ ଉପରେ ସର୍ଭେ କରି ରିପୋର୍ଟ ଦେଇଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଟିଂ ଏବେ ୬୩% ରହିଛି । ୨୦୧୯ ଅଗଷ୍ଟରୁ ହିଁ ଏହି ଆମେରିକା କମ୍ପାନୀ ତାଙ୍କ ଲୋକପ୍ରିୟତାକୁ ଟ୍ରାକ୍ କରୁଥିଲା । ହେଲେ ପ୍ରଥମଥର ପାଇଁ ତାଙ୍କ ରେଟିଂ ପଏଂଟ ଏତେ ତଳକୁ ଖସିଥିବା ଜାଣିିବାକୁ ପାଇଛି । ମୋଦିଙ୍କ ରେଟିଂ ପଏଂଟ ଏପ୍ରିଲ ମାସରେ ହିଁ ସର୍ବାଧିକ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଏପ୍ରିଲ ୧ରୁ ମେ’ ୧୧ ମଧ୍ୟରେ ତାଙ୍କ ଆପ୍ରୁଭାଲ ରେଟିଂ ୧୦% ହ୍ରାସ ଘଟିଛି । ପୂର୍ବରୁ ଗ୍ଲୋବାଲ୍ ଆପ୍ରୁଭାଲ୍ ରେଟିଂରେ ମୋଦିଙ୍କ ପଏଂଟ ୭୩% ଥିବା ବେଳେ ଏବେ ଏହା ୬୩%କୁ ଖସି ଆସିଛି । ତାଙ୍କ ଡିସଆପ୍ରୁଭାଲ୍ ପଏଂଟ ୨୧%ରୁ ୩୧%କୁ ବୃଦ୍ଧି ପାଇଛି । ମହାମାରୀ କରୋନାକୁ ମୁକାବିଲା କରିବାରେ ମୋଦି ସରକାର ଫେଲ ହୋଇଥିବା ଲୋକମାନେ କହୁଛନ୍ତି । କରୋନା ବ୍ୟାପିଥିଲେ ହେଁ ବିଭିନ୍ନ ସ୍ଥାନରେ ହସ୍ପିଟାଲରେ ବେଡ୍ ଓ ଅକ୍ସିଜେନ୍ର ଅଭାବ ଦେଖିବାକୁ ମିଳୁଛି । ଏବାଦ୍ ନଦୀରେ ଶହଶହ ଶବ ଭାସିବା ଘଟଣାର କୁପ୍ରଭାବ ମଧ୍ୟ ମୋଦିଙ୍କ ଲୋକପ୍ରିୟତା ଉପରେ ପଡିଛି ।
ଏହା ପୂର୍ବରୁ ୟୁ ଗର୍ଭ ପକ୍ଷରୁ ସହରାଞ୍ଚଳରେ ମୋଦିଙ୍କ ଲୋକପ୍ରିୟତା ଜାଣିବାକୁ ସର୍ଭେ କରାଯାଇଥିଲା । ସର୍ଭେରୁ ଜଣାପଡିଥିଲା ଯେ ମହାମାରୀକୁ ମୁକାବିଲା କରିବାର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଲୋକମାନେ କହିଛନ୍ତି । ବିଶେଷ କରି ଫେବୃଆରୀ ମାସ ଠାରୁ ମୋଦୀ ସରକାର ଉପରେ ଲୋକମାନେ ନିଜର ଆସ୍ଥା ହରାଇବା ଆରମ୍ଭ କରିଛନ୍ତି ।
ଏପ୍ରିଲ୍ ଶେଷ ସୁଦ୍ଧା କେବଳ ୫୯% ଲୋକ ସରକାର ମହାମାରୀ କରୋନାକୁ ଠିକ୍ ଭାବେ ମୁକାବିଲା କରିବାକୁ ସକ୍ଷମ ହେଉଥିବା କହିଛନ୍ତି । ପ୍ରଥମ ୱେଭ୍ ବେଳେ ୮୯% ଲୋକ ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ସମର୍ଥନ କରିଥିଲେ । ତେଣୁ କରୋନା ମାମଲା ବଢିବା ସହ ମୋଦିଙ୍କ ଲୋକପ୍ରିୟତା କମିବା ଆରମ୍ଭ ହୋଇଛି ।