କେନ୍ଦ୍ରର ପରାମର୍ଶ- ଏଣିକି ସାଇକେଲ୍ ଚଳାଅ

ନୂଆଦିଲ୍ଲୀ,୧୩ ।୦୬(ଏଜେନ୍ସି): କରୋନା ଭୂତାଣୁ ମହାମାରୀ ସମୟରେ ସାଇକେଲ ଚଲାଇବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରାଳୟ । ମନ୍ତ୍ରାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ପରିବହନ ଲାଗି ଅଣମୋଟର ଯାନ ବ୍ୟବହାର କରିବା ଲାଗି ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ କୁହାଯାଇଛି ।
କରୋନା ଭୂତାଣୁ ସଙ୍କଟ ସହ ଦେଶ ଲଢ଼ୁଥିବା ସମୟରେ ଲୋକମାନେ ପରିବହନ କ୍ଷେତ୍ରରେ ଘରୋଇ ଯାନବାହାନ ବ୍ୟବହାରକୁ ପ୍ରାଥମିକତା ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରାଳୟ ସଂକ୍ରମଣ ରୋକିବା ପାଇଁ ସାଇକେଲ ଭଳି ମୋଟର ବିହୀନ ଯାନବାହାନ ବ୍ୟବହାରକୁ ପ୍ରୋତ୍ସାହିତ କର ବୋଲି ରାଜ୍ୟଗୁଡ଼ିକୁ କହିଛି । ଏହାସହ ସାଧାରଣ ପରିବହନ ବ୍ୟବସ୍ଥାରେ ନଗଦ ଟଙ୍କା ବିକଳ୍ପ ଟେକ୍ନୋଲୋଜି ବ୍ୟବହାର କରିବାକୁ ମଧ୍ୟ କୁହାଯାଇଛି ।
ମନ୍ତ୍ରାଳୟ ପରିବହନ କ୍ଷେତ୍ରରେ ଅଣମୋଟର ଚାଳିତ ଯାନକୁ ପ୍ରୋତ୍ସାହିତ କରୁଥିବା ଦୁନିଆର ଅନେକ ସହରଗୁଡ଼ିକର ଉଦାହରଣ ଦେଇ ରାଜ୍ୟ ଗୁଡ଼ିକୁ ବୁଝାଇଛନ୍ତି । ନୁ୍ୟୟର୍କ ସାଇକେଲ ଚାଳକଙ୍କ ପାଇଁ ୪୦ ମାଇଲ ଲମ୍ବ ବିଶିଷ୍ଟ ନୂଆ ରାସ୍ତା ଯୋଗାଇ ଦେଇଛି । ଓକଲ୍ୟାଣ୍ଡ ନିଜର ୧୦ ପ୍ରତିଶତ ରାସ୍ତାକୁ ମୋଟର ଚାଳିତ ଯାନ ଯାତାୟତ ପାଇଁ ବନ୍ଦ କରିଦେଇଛି । ସେହିପରି କୋଲମ୍ବିଆର ବୋଗୋଟାରେ ରାତାରାତି ଅତିରିକ୍ତ ୭୬ କି.ମି. ରାସ୍ତା ସାଇକେଲ ଚାଳକଙ୍କ ପାଇଁ ଯୋଗାଇ ଦିଆଗଲା ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
କେନ୍ଦ୍ର ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରାଳୟ ସଚିବ ଦୁର୍ଗା ଶଙ୍କର ମିଶ୍ର ଶୁକ୍ରବାର ରାଜ୍ୟ ଏବଂ ମେଟ୍ରୋ ରେଳ କମ୍ପାନୀଗୁଡ଼ିକୁ ପରାମର୍ଶ ଦେଇ କହିଛନ୍ତି ଯେ, ଦେଶରେ ଅଣମୋଟର ଯାନଗୁଡ଼ିକୁ ପରିବହନ ଲାଗି ବ୍ୟବହାର କରିବାକୁ ପ୍ରୋତ୍ସାହିତ କରାଯିବା ଆବଶ୍ୟକ । ସେ ଆହୁରି କହିଛନ୍ତି, ସହରଗୁଡ଼ିକରେ ଲୋକମାନେ ପ୍ରାୟତଃ ୫ କି.ମି. ପର୍ଯ୍ୟନ୍ତ ଯାତାୟାତ କରିଥାନ୍ତି । ଏବେ କରୋନା ସଙ୍କଟ କାଳରେ ଅଣମୋଟର ଚାଳିତ ଯାନ ବ୍ୟବହାର କରିବାର ଉପଯୁକ୍ତ ସମୟ । ଏଥିପାଇଁ କମ୍ ମୂଲ୍ୟ ଏବଂ କମ୍ ମାନବ ସମ୍ବଳ ଆବଶ୍ୟକ ହୋଇଥାଏ । ଏହାକୁ କାର୍ଯ୍ୟକାରୀ କରିବା ସହଜ ତଥା ପରିବେଶ ଅନୁକୂଳ ମଧ୍ୟ ।

Comments (0)
Add Comment