ଚୀନକୁ ଇଞ୍ଚେ ଜାଗା ଛାଡିବନି ଭାରତ

ନୂଆଦିଲ୍ଲୀ: ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ସୈନ୍ୟ ଅପସାରଣ ସଂକ୍ରାନ୍ତ ରିପୋର୍ଟ ଆସୁଥିବା ବେଳେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲଦାଖର ସାମ୍ପ୍ରତିକ ପରିସ୍ଥିତି ଉପରେ ରାଜ୍ୟସଭାରେ ଏକ ବିବୃତି ଦେଇଛନ୍ତି । ଭାରତୀୟ ସୈନିକମାନଙ୍କୁ ପ୍ରଶଂସା କରି ପ୍ରତିରକ୍ଷା ମନ୍ତ୍ରୀ ପୁନର୍ବାର କହିଛନ୍ତି ଯେ, ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ଭାରତୀୟ ସଶସ୍ତ୍ର ସେନା ପ୍ରତିବଦ୍ଧ ଏବଂ ଭାରତ-ଚୀନ୍ ବିବାଦର ଆପୋସ ବୁଝାମଣା ଲାଗି ଆଗ୍ରହୀ । ଚୀନକୁ ଭାରତ ଇଞ୍ଚେ ଜାଗାଦେବନାହିଁ ବୋଲି ସେ ଦୃଢକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି, ନିୟନ୍ତ୍ରଣ ରେଖାରେ ଆମେ ଶାନ୍ତିପୂର୍ଣ୍ଣ ପରିସ୍ଥିତି ବଜାୟ ରଖିବାକୁ ପ୍ରତିବଦ୍ଧ । ଦ୍ୱିପାକ୍ଷିକ ସୁସମ୍ପର୍କ ଉପରେ ଭାରତ ଗୁରୁତ୍ୱାରୋପ କରି ଆସିଛି । ଦେଶର ସାର୍ବଭୌମତ୍ୱର ସୁରକ୍ଷା ନିମନ୍ତେ ଯେ, କୌଣସି ଆହ୍ୱାନର ମୁକାବିଲା ଲାଗି ପ୍ରସ୍ତୁତ ବୋଲି ଭାରତୀୟ ସେନା ପ୍ରତିପାଦିତ କରିଥିବା କଥା ମଧ୍ୟ ସେ ଆଜି ରାଜ୍ୟସଭାରେ କହିଛନ୍ତି । ଏହାଛଡା, ପୂର୍ବ ଲଦାଖରେ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଅନେକ ‘ଫ୍ରାକ୍ସନ୍ ଏରିଆ’ ନିର୍ମାଣ କରାଯାଇଥିବା କଥା ମଧ୍ୟ ସେ ସାଂସଦମାନଙ୍କୁ ସୂଚନା ଦେଇଛନ୍ତି । ବାସ୍ତବ ନିୟନ୍ତ୍ରଣ ରେଖା ନିକଟ ସେମାନଙ୍କ ଅଞ୍ଚଳରେ ଚୀନ୍ ବିପୁଳ ସୈନ୍ୟ ଠୁଳ କରିବାସହ ଅସ୍ତ୍ରଶସ୍ତ୍ର ମଧ୍ୟ ମହଜୁଦ ରଖିଛି । ତାଙ୍କ ବ୍ୟସ୍ଥାକୁ ଚାହିଁ ଆମେ ମଧ୍ୟ ଯଥେଷ୍ଟ ପ୍ରସ୍ତୁତି କରିଛୁ ବୋଲି ସେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଲେ ଯେ, ଚୀନ୍ ସହ ଜାରି ରହିଥିବା ଆମର ଆଲୋଚନା ଯୋଗୁଁ ପାଙ୍ଗୋଙ୍ଗ୍ର ଉତର ଓ ଦକ୍ଷିଣ ତଟରୁ ସୈନ୍ୟ ଅପସାରଣ ନିମନ୍ତେ ରାଜିନାମା ସମ୍ଭବ ହୋଇଛି । ସୂଚନାଯୋଗ୍ୟ ଯେ, ପୂର୍ବ ଲଦାଖ ଅନ୍ତର୍ଗତ ଗଲ୍ୱାନ୍ ଉପତ୍ୟକାରେ ଭାରତୀୟ ସୈନିକମାନଙ୍କ ସହ ତୁମୁଳ ସଂଘର୍ଷରେ ଚୀନ୍ ୪୫ଜଣ ସୈନିକ ହରାଇଥିବା କଥା ରୁଷୀୟ ସମ୍ବାଦ ସରବରାହ ସଂସ୍ଥା ‘ଟାସ୍’ ଦାବି କରିଛି । ଏହି ସଂଘର୍ଷରେ କେତେ ସୈନିକ ହରାଇଛି, ସେ ସଂକ୍ରାନ୍ତରେ ଚୀନ୍ ଏପର୍ଯ୍ୟନ୍ତ ନିରବ ରହିଛି । ‘ଚୀନ୍-ଭାରତ ସୀମା ସୈନିକ ଅପସାରଣ’ ସଂକ୍ରାନ୍ତ ଏକ ରିପୋର୍ଟରେ ‘ଟାସ୍’ କହିଛି ଯେ, ମେ ଏବଂ ଜୁନ୍ ୨୦୨୦ରେ ଏହି ଅଞ୍ଚଳରେ ଚୀନ୍ ଓ ଭାରତୀୟ ସୈନିକମାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତର ଅନ୍ୟୁନ ୨୦ ଜଣ ଏବଂ ଚୀନର ଅନ୍ୟୁନ ୪୫ଜଣ ସୈନିକଙ୍କ ମୃତ୍ୟୁ ଘଟିଛି ।

Comments (0)
Add Comment