ଜାମ୍ମୁ-କାଶ୍ମୀର ନେଇ ୨୪ରେ ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ସମ୍ପର୍କରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୪ ତାରିଖ ଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକକୁ ଜାମ୍ମୁ-କାଶ୍ମୀର ସମସ୍ତ ୮ଟି ରାଜନୈତିକ ଦଳକୁ ଆମନ୍ତ୍ରଣ କରାଯାଇଛି । ବୈଠକରେ ଜାମ୍ମୁକାଶ୍ମୀରକୁ ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ କିମ୍ବା ବିଧାନସଭା ନିର୍ବାଚନ ନେଇ ଆଲୋଚନା ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଯୋର ଧରିଛି । ସୂଚନା ଯୋଗ୍ୟ ଯେ, କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରରୁ ଧାରା ୩୭୦କୁ ୨୦୧୯ ଅଗଷ୍ଟ ମାସରେ ଉଚ୍ଛେଦ କରିଥିଲେ । ଆସନ୍ତା ଅଗଷ୍ଟକୁ ଏହାକୁ ଦୁଇବର୍ଷ ପୂରଣ ହେବ । ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ୨୪ ତାରିଖରେ ଏକ ସର୍ବଦଳୀୟ ବୌଠକ ଡାକିଛନ୍ତି । ପିଡିପି ନେତ୍ରୀ ମେହବୁବା ମୁଫତି ଏହି ଆମନ୍ତ୍ରଣ ପାଇଛନ୍ତି ମାତ୍ର ସେ ବୈଠକରେ ଯୋଗ ଦେବେକି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି । ତେବେ ବୈଠକକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ଫାରୁକ ଅବଦୁଲାଙ୍କୁ ସ୍ୱତନ୍ତ୍ର ପ୍ରତିନିଧି ଭାବେ ପିଡିପି ପଠାଇବା ନେଇ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ପିଡିପିର ନେତାମାନଙ୍କ ସହ ଆଲୋଚନା କରିବା ପରେ ମୁଫତି ବୈଠକରେ ଯୋଗ ଦେବେକି ନାହିଁ ଘୋଷଣା କରିପାରନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଯୋଗଦେବା ପାଇଁ ଜମ୍ମୁ କାଶ୍ମୀରର ସବୁ ପ୍ରମୁଖ ରାଜନୈତିକ ଦଳ ନେତାମାନଙ୍କୁ ଡକାଯାଇଛି ।

Comments (0)
Add Comment