ଜିଏସଟି ଆଦାୟ ୧ଲକ୍ଷ ୨୫ ହଜାର କୋଟି

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଲକଡାଉନ ଲାଗୁ ହେବା ଫଳରେ ଦେଶର ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇଥିଲା ବେଳେ । ଗତ ମାର୍ଚ୍ଚରେ ୧ ଲକ୍ଷ ୨୩ ହଜାର ୯୦୨ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି । ଦେଶରେ ଜିଏସଟି ଲାଗୁ ହେବା ପରଠାରୁ ଏହା ସର୍ବାଧିକ ସଂଗୃହୀତ କର । ଏହା ସହିତ ଲଗାତର ୪ର୍ଥ ଥର ପାଇଁ ଜିଏସଟି ସଂଗ୍ରହ ୧ ଲକ୍ଷ କୋଟି ଅତିକ୍ରମ କରିଛି । ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁସାରେ, ୨୦୨୧ ମାର୍ଚ୍ଚରେ ସଂଗୃହୀତ ଜିଏସଟି ମଧ୍ୟରୁ କେନ୍ଦ୍ରୀୟ ଜିଏସଟି ଅଂଶ ୨୨ ହଜାର ୯୭୩ କୋଟି, ରାଜ୍ୟ ଜିଏସଟି ଅଂଶ ୨୯ ହଜାର ୩୨୯ କୋଟି ଏବଂ ଏକୀକୃତ ଜିଏସଟି ଅଂଶ ୬୨ ହଜାର ୮୪୨ କୋଟି ଟଙ୍କା । ଗତ ଫେବୃୟାରୀରେ ୧ ଲକ୍ଷ ୧୩ ହଜାର ୧୪୩ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଥିଲା । ୨୦୨୧ ମାର୍ଚ୍ଚରେ ସଂଗୃହୀତ ରାଜସ୍ୱ ଗତବର୍ଷ ମାର୍ଚ୍ଚ ତୁଳନାରେ ୨୭ ପ୍ରତିଶତ ଅଧିକ ।
ଓଡ଼ିଶାରେ ମଧ୍ୟ ମାର୍ଚ୍ଚମାସରେ ଜିଏସଟି ଆଦାୟ ୨୫% ବୃଦ୍ଧି ପାଇଛି । ରାଜ୍ୟରେ ଗତ ମାସରେ ମୋଟ ୩୨୮୫ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଛି । ଗତ ବର୍ଷ ଏହିମାସରେ ୨୬୩୨.୮୮ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲେ ।

Comments (0)
Add Comment