ଯଶୀପୁର: ଝାଡଖଣ୍ଡରେ ହତ୍ୟା କଲା ପରେ ମୃତଦେହକୁ ଫିଙ୍ଗିଥିଲେ ୧୦ କିମି ଦୂର ଓଡିଶା ସୀମା ଭିତରେ । ଏପରିକି ଖସି ଯିବା ପାଇଁ ପୂର୍ବ ଯୋଜନା ପ୍ରସ୍ତୁତ କରି ଅଭିଯୁକ୍ତଦ୍ୱୟ ସାଇକେଲରେ ମୃତଦେହକୁ ବୋହି ଆଣି ଏକ ପରିତ୍ୟକ୍ତ କୂଅରେ ଫିଙ୍ଗି ଦେଇଥିଲେ । ହେଲେ ଶେଷରେ ଏକ ଓଢଣୀ ଅଭିଯୁକ୍ତ ନିକଟରେ ପୋଲିସକୁ ପହଞ୍ଚାଇଦେଲା । ପୂର୍ବ ଶତ୍ରୁତାରୁ ଏପରି କାଣ୍ଡ ଘଟାଇଥିବା ଦୁଇ ସ୍ୱୀକାର କରିବା ପରେ ପୋଲିସ ସେମାନଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ ଗତ ୧୫ ତାରିଖରେ ଯଶୀପୁର ରଚୁଆଁ ରାସ୍ତାର ଚୁଟିଆପୋଲ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରୁ ଜଣେ ବ୍ୟକ୍ତିଙ୍କ ଗଳିତ ଶବ ପଡିଥିବା ଖବର ମିଳିଥିଲା । ଏହାପରେ ପ୍ରଥମେ ରଚୁଆଁ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ହେଲେ ଏହା ଓଡିଶା ସୀମା କି ଝାଡଖଣ୍ଡ ତାହା ଜଣା ନ ପଡିବାରୁ ଶବ ଦୁଇ ଦିନ ପଡି ରହିଲା । ସେଠାରେ ଉଭୟ ରାଜ୍ୟର ରାଜସ୍ୱ ଅଧିକାରୀ ପହଞ୍ଚି ସୀମା ଚିହ୍ନଟ ପରେ ଅଗ୍ନିଶମ ବାହିନୀ ସହାୟତାରେ ଶବ ଉଦ୍ଧାର ହୋଇଥିଲା । ଶବଟି ଉଦ୍ଧାର ହେଲାପରେ ତାହା ଝାଡଖଣ୍ଡ ରାଜ୍ୟରେ ଥିବା ମଝିଗାଁ ଥାନା ଅନ୍ତର୍ଗତ ପାଣ୍ଡୁଆବୁରୁ ଗାଁ ହାଉଘୁଟୁ ସାହିର ଜୟପାଲ ହେମ୍ବମଙ୍କର ବୋଲି ଜଣାପଡିଥିଲା ।
ହେଲେ ମୃତଦେହଟ ଯଶୀପୁର ଥାନା ଅଞ୍ଚଳରୁ ବାହାରିଥିବାରୁ ଯଶୀପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଶବ ନିକଟରୁ ଉଦ୍ଧାର ହୋଇଥିବାହ ଏକ ଓଢଣୀକୁ ନେଇ ଅଧିକ ତଦନ୍ତ କରି ରଖିଥିଲା ଯଶୀପୁର ପୋଲିସ । ତେବେ ସେଇ ଓଢଣୀଟି ଅଭିଯୁକ୍ତ ଦୁଇ ଭାଇ ଶରତ ହେମ୍ବ୍ର ମ ଓ ଭୋଳାନାଥ ହେମ୍ବ୍ର ମଙ୍କ ଭଉଣୀର ବୋଲି ଜାଣିବା ପରେ ପୋଲିସ୍ ଗତକାଲି ଦୁଇଭାଇଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା । ଏହାପରେ ସେମାନେ ସବୁ ସତ ମାନି ଯାଇଥିଲେ ।
ଅଭିଯୁକ୍ତ ଦୁଇ ଭାଇଙ୍କୁ ଯଶୀପୁର ପୋଲିସ ଘଟଣାସ୍ଥଳକୁ ନେଇ କିପରି ଘଟଣା ଘଟାଇ ଥିଲେ ତାର ରି-କି୍ରଏସନ କରିଥିଲା । ଏହା ପରେ ଦୁଇଭାଇ ଅଭିଯୁକ୍ତ ବୋଲି ଜାଣି ସାରିବା ପରେ ସେମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିବ ଯଶୀପୁର ପୋଲିସ ।