ନୂଆଦିଲ୍ଲୀ/ପାଟନା : ବିହାରରେ ପୁଣି ଥରେ ଚାଲିବ ନୀତିଶ କୁମାରଙ୍କ ରାଜ୍ ୭ମ ଥର ଲାଗି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ । ଏନଡିଏ ବିଧାୟକ ଦଳ ବୈଠକରେ ନୀତିଶଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି । ସେହିଭଳି ଉପମୁଖ୍ୟମନ୍ତ୍ରୀ ନେଇ ରହିଥିବା ସସପେନ୍ସ ବି ଦୂର ହୋଇଛି। ଅନ୍ୟ ପକ୍ଷରେ ବିଜେପି ବିଧାନମଣ୍ଡଳ ନେତା ତାରକିଶୋର ପ୍ରସାଦ ହୋଇଥିଲା ବେଳେ ସେ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଜାଣିବାକୁ ମିଳିଛି । ଏନଡିଏ ବିଧାୟକ ଦଳ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ନୀତିଶଙ୍କ ନାଁ ଘୋଷଣା କରିଥିଲେ । ଦଳ ବୈଠକରେ ସମସ୍ତ ସହଯୋଗୀ ବିଜେପି,ଜେଡିୟୁ ଓ ଅନ୍ୟ ଦୁଇ ଦଳ ସାମିଲ ଥିଲେ । ବୈଠକ ପରେ ନୀତିଶ କୁମାର ରାଜଭବନ ଯାଇ ସରକାର ଗଠନ ଲାଗି ଦାବି ଉପସ୍ଥାପନ କରିଛନ୍ତି । କାଲି ଅପରାହ୍ନରେ ବିହାରର ନୂଆ ସରକାର ଶପଥ ନେବା ସମ୍ଭାବନା ରହିଛି । ବିହାର ନିର୍ବାଚନରେ ଏନଡିଏକୁ ୧୨୫ ଆସନ ମିଳିଛି । କିନ୍ତୁ ଜେଡିୟୁ ବଦଳରେ ଏଥର ବିଜେପି ମେଂଟରେ ସବୁଠାରୁ ବଡ ଦଳ ହୋଇଥିବାରୁ ମନ୍ତ୍ରୀମଣ୍ଡଳରେ ବିଜେପିର ଅଧିକ ସଦସ୍ୟ ରହିବା ଆଶା କରାଯାଉଛି । ନୀତିଶ କୁମାରଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ଯୁବ ଓ ନୂଆ ଚେହେରାଙ୍କୁ ସାମିଲ କରାଯାଇପାରେ । ବିଧାନସଭାର ସଂଖ୍ୟା ଅନୁସାରେ ରାଜ୍ୟରେ ସର୍ବୋଧକ ୩୬ ଜଣ ମବୀ ଶପଥ ନେଇପାରିବେ । ଚଳିତଥର ବିଜେପି ୭୪ ଆସନରେ ଜିତିଛି । ଅର୍ଥାତ ଗତଥର ଅପେକ୍ଷା ୨୧ଜଣ ବିଜେପି ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେହିଭଳି ଜେଡିୟୁ ଗତଥର ୭୧ ଆସନ ପାଇଥିବାବେଳେ ଏଥର ମାତ୍ର ୪୩ ଆସନ ପାଇଛି ।