ବଜ୍ରପାତ ନେଲା ୭୦ ଜୀବନ

ନୂଆଦିଲ୍ଲୀ: ଉତ୍ତର ଭାରତର ତିନି ରାଜ୍ୟରେ ବଜ୍ରପାତ ହେବାରୁ ଗୋଟିଏ ଦିନରେ ୭୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ୟୁପିରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ରାଜସ୍ଥାନରେ ୨୦ରୁ ଅଧିକ ଏବଂ ମଧ୍ୟପ୍ରଦେଶରେ ୭ରୁ ଅଧିକଙ୍କର ପ୍ରାଣହାନୀ ହୋଇଥିବା ଜଣାପଡ଼ିଛି । ରବିବାର ସନ୍ଧ୍ୟାରେ ୟୁପିରେ ପ୍ରବଳ ବର୍ଷା ସହିତ ବଜ୍ରପାତରେ ପ୍ରୟାଗରାଜରେ ୧୪, କାନପୁରରେ ୫, ଫିରୋଜାବାଦ ଏବଂ କୌଶମ୍ବୀରେ ୩ ଜଣ ଲେଖାଏଁ ଏବଂ ଉନ୍ନାଓ ଏବଂ ଚିତ୍ରକୋଟରେ ୨ ଜଣ ବଜ୍ରପାତରେ ଆଖି ବୁଜିଛନ୍ତି । ଏହା ବ୍ୟତୀତ ୨୨ ଜଣ ଲୋକ ମଧ୍ୟ ବଜ୍ରପାତ ଯୋଗୁଁ ନିଆଁ ଲାଗିଯିବାରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି । ୨୦୦ରୁ ଅଧିକ ଗୋରୁ ମଧ୍ୟ ପ୍ରାଣ ହରାଇଛନ୍ତି । ସେହିପରି ରାଜସ୍ଥାନର ଅନେକ ସ୍ଥାନରେ ବଜ୍ରପାତରେ ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଅଧିକାଂଶ ମୃତ୍ୟୁ ରାଜଧାନୀ ଜୟପୁରରେ ଘଟିଛି । ଜୟପୁରରେ ୧୬ ଜଣ, ଘୋଲପୁରରେ ୩, କୋଟାରେ ୪ ଏବଂ ଝାଲାୱାଡା ଏବଂ ବାରାଂରେ ଜଣେ ଲେଖାଏଁ ଆଖି ବୁଜିଛନ୍ତି । ଜୟପୁରର ଆମେର ପାଲେସ ସମ୍ମୁଖରେ ଥିବା ୱାଚ ଟାୱାରରେ ବଜ୍ରପାତରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ସେଲଫି ନେଉଥିବା ଏହି ୧୧ ଜଣ ବଜ୍ରପାତର ଶିକାର ହୋଇଥିବା ସୂଚନା ରହିଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ସମବେଦନା ଜଣାଇଛନ୍ତି । ପିଏମଓ ଟ୍ୱିଟ୍ କରି କହିଛି ଯେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ରାଜସ୍ଥାନର କିଛି ଅଞ୍ଚଳରେ ବଜ୍ରପାତ ଯୋଗୁଁ ପ୍ରାଣ ହରାଇଥିବା ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆହତଙ୍କୁ ୫୦,୦୦୦ ଟଙ୍କା ସହାୟତା ପ୍ରଦାନ କରଯିବ ବୋଲି କୁହାଯାଇଛି । ସେହିପରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ପ୍ରତ୍ୟେକ ମୃତକଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରାଯିବ ବୋଲି ସେ ଘୋଷଣା କରିଛନ୍ତି । ସେହିପରି ମଧ୍ୟପ୍ରଦେଶରେ ବଜ୍ରପାତରେ ୭ ଜଣଙ୍କର ମୃତ୍ୟୁ ଘଟିଛି ।

Comments (0)
Add Comment