ବର୍ଷକୁ ୪ ଥର ହେବ ଜେଇଇ ମେନ୍ ପରୀକ୍ଷା


ନୂଆଦିଲ୍ଲୀ: ବି.ଟେକ୍ ସମେତ ଅନ୍ୟାନ୍ୟ ପାଠ୍ୟକ୍ରମରେ ନାମଲେଖା ଲାଗି ୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ଜେଇଇ ମେନ୍କୁ ନେଇ ଛାତ୍ରଛାତୀ ଚିନ୍ତା ପ୍ରକଟ କରିଛନ୍ତି । ୨୦୨୦ରେ ଉକ୍ତ ପରୀକ୍ଷା ବିଳମ୍ବିତ ହୋଇଥିବାରୁ ୨୦୨୧ରେ ବି ବିଳମ୍ବ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ଏନେଇ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଉଦ୍ବେଗ ପ୍ରକାଶ ପାଇବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି ଯେ, ୨୦୨୧ରେ ଜେଇଇ ମେନ୍ ପରୀକ୍ଷା ବର୍ଷକୁ ୪ଥର କରିବା ପାଇଁ ପ୍ରସ୍ତାବ ଆସିଛି । ତାହା ଉପରେ କେନ୍ଦ୍ର ସରକାର ଗୁରୁତ୍ୱର ସହ ବିଚାର କରୁଛନ୍ତି । ଏହି ପରୀକ୍ଷାକୁ ବର୍ଷକୁ ୪ଥର (ଫେବ୍ରୁଆରି ଶେଷ, ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସ) କରାଯିବ । ପ୍ରତ୍ୟେକ ଥର ୩ରୁ ୪ଦିନ ପରୀକ୍ଷା କରିବାକୁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସିଥିବା ନେଇ ମନ୍ତ୍ରୀ ଶ୍ରୀ ପୋଖରୀଆଲ୍ ଏକ ୱେବିନାର୍ରେ ଯୋଗ ଦେଇ ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ, ଜେଇଇ ମେନ୍ ୨୦୨୧ ପାଠ୍ୟକ୍ରମ ସମାନ ରହିବ । ପରୀକ୍ଷାର୍ଥୀଙ୍କୁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତ ବିଷୟରେ ୨୫ଟି ଲେଖାଁଏ ପ୍ରଶ୍ନ : ଏହିପରି ୭୫ଟି ପ୍ରଶ୍ନର ଉତର ନିଜ ପସନ୍ଦ (ଚଏସ) ଅନୁସାରେ ଦେବାକୁ ଯେଉଁ ପ୍ରସ୍ତାବ ଆସିଛି, ତାହାକୁ ମନ୍ତ୍ରଣାଳୟ ଗୁରୁତ୍ୱର ସହ ବିଚାର କରି ଦେଖିବ । ଜେଇଇ ମେନ୍ରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଗଣିତ ବିଷୟରେ ମୋଟ ୭୫ଟି ପ୍ରଶ୍ନ ପଡିଥିଲା ଏବଂ ସେ ସବୁର ଉତର ଦେବା ବାଧ୍ୟତାମୂଳକ ଥିଲା । ୨୦୨୧ ପରୀକ୍ଷାରେ ଏହି ପ୍ରଶ୍ନ ସଂଖ୍ୟା ୭୫ ପରିବର୍ତେ ୯୦କୁ ବୃଦ୍ଧି କରି ପିଲାଙ୍କୁ ଅଧିକ ଚଏସ୍ ବା ପସନ୍ଦ ଦେବାକୁ ପ୍ରସ୍ତାବ ରହିଛି । ପରୀକ୍ଷାର୍ଥୀ ୨୦୨୧ ଜେଇଇ ମେନ୍ରେ ୧/୨/୩/୪ ଥର ପରୀକ୍ଷା ଦେଇ ନୂଆ ଶିକ୍ଷାବର୍ଷରେ ନାମ ଲେଖାଇବାର ସୁଯୋଗ ପାଇବା ପ୍ରସ୍ତାବକୁ ମଧ୍ୟ ବିଚାର କରି ଦେଖାଯିବ । ଅନ୍ୟପକ୍ଷରେ ମେଡିକାଲ ନାମଲେଖା ଲାଗି ଅନୁଷ୍ଠିତ ହେଉଥିବା ନିଟ୍ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୋଖରିଆଲ୍ ସ୍ପଷ୍ଟ କହିଛନ୍ତି ଯେ, ୨୦୨୧ ନିଟ୍ ପରୀକ୍ଷାର ତାରିଖ ଚୂଡାନ୍ତ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଜାତୀୟ ମେଡିକାଲ କମିସନଙ୍କ ସହ ପରାମର୍ଶ ଚାଲିଛି । ଖୁବଶୀଘ୍ର ଏହି ତାରିଖ ଘୋଷଣା କରାଯିବ । ନିଟ୍ ପାଠ୍ୟକ୍ରମରେ କୌଣସି ପରିବର୍ତନ ହେବ ନାହିଁ । ଚଳିତ ବର୍ଷ ଭଳି ୨୦୨୧ରେ ବି ପାଠ୍ୟକ୍ରମ ସମାନ ରହିବ । ପରୀକ୍ଷା ପରିଚାଳନା ଉଭୟ ଅଫ୍ଲାଇନ୍ ଓ ଅନ୍ଲାଇନ୍ରେ କାରାଯିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଜାତୀୟ ମେଡିକାଲ କମିସନଙ୍କ ସହ ପରାମର୍ଶ ଚାଲିଛି । ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଏଥିପାଇଁ ସମ୍ପୃକ୍ତ ବିିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ଚାଲିଛି । ସମସ୍ତଙ୍କ ମତାମତ ମିିଳିବା ପରେ ବୋର୍ଡ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା କରାଯିବ । ସିବିଏସ୍ଇ ଏ ପର୍ଯ୍ୟନ୍ତ ବୋର୍ଡ ଓ ପ୍ରାକ୍ଟିକାଲ ପରୀକ୍ଷା ତାରିଖ ଚୂଡାନ୍ତ କରିନାହିଁ । ଯଦି ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀ ନିଜ ନିଜ ଶ୍ରେଣୀରେ ପରୀକ୍ଷା ଦେବାକୁ ସକ୍ଷମ ନ ହୁଅନ୍ତି, ତେବେ ପ୍ରାକ୍ଟିକାଲ ପରୀକ୍ଷାର ବିକଳ୍ପ ଖୋଜାଯିବ । ସିବିଏସ୍ଇର ସଂଶୋଧିତ ପାଠ୍ୟକ୍ରମ ତା’ ୱେବସାଇଟ୍ରେ ଅପଲୋଡ ହୋଇଛି । ଯେଉଁସବୁ ପାଠ୍ୟକ୍ରମ ବାଦ୍ ପଡିଛି, ତାହାର ଏକ ବିବରଣୀ ସାରାଂଶ ଆକାରରେ ଏଥିରେ ସ୍ଥାନ ପାଇଛି । ଏ କ୍ଷେତ୍ରରେ କୌଣସି ସନେ୍ଦହ ଥିଲେ ସଂପୃକ୍ତ ସ୍କୁଲ କତୃପକ୍ଷ ସିିବିଏସଇ ସହ ଯୋଗାଯୋଗ କରିପାରିବେ । ସିବିଏସ୍ଇ ୱେବସାଇନ୍କୁ ଦେଖିପାରିବେ । ପ୍ରତ୍ୟେକ ବିଷୟ (ଚାପ୍ଟର)ର ଭିଡିଓ ୱେବ୍ସାଇଟ୍ରେ ଅପ୍ଲୋଡ କରିବାକୁ ସିବିଏସ୍ଇକୁ ନିଦେ୍ର୍ଧଶ ଦିଆଯାଇଥିବା ମନ୍ତ୍ରୀ ଶ୍ରୀ ପୋଖରୀଆଲ୍ ସୂଚନା ଦେଇଛନ୍ତି ।

Comments (0)
Add Comment