ବାଣିଜ୍ୟିକ ଖନନ ପାଇଁ କୋଇଲା ଖଣି ନିଲାମୀ ଆରମ୍ଭ

ନୂଆଦିଲ୍ଲୀ, ୧୯.୬ (ଏଜେନ୍ସି): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସ ଜରିଆରେ ବାଣିଜ୍ୟିକ ଖନନ ଲାଗି ୪୧ଟି କୋଇଲା ଖଣି ନିଲାମୀ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି । ‘ଆତ୍ମନିର୍ଭର ଭାରତ ଅଭିଯାନ’ ଅନ୍ତର୍ଗତ ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ଘୋଷଣାଗୁଡ଼ିକର ଏହା ଏକ ଅଂଶବିଶେଷ । କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଫିକ୍କି ସହଯୋଗରେ ଏହି କୋଇଲା ଖଣିଗୁଡ଼ିକର ନିଲାମୀ ପ୍ରକ୍ରିୟା ଆରମ୍ଭ କରାଯାଇଛି । କୋଇଲା ଖଣିଗୁଡ଼ିକର ଆବଂଟନ ଲାଗି ଦୁଇଟି ପର୍ଯ୍ୟାୟରେ ଇଲେକ୍ଟ୍ରୋନିକ ନିଲାମୀ ପ୍ରକ୍ରିୟା ଗ୍ରହଣ କରାଯାଉଛି ।
ଶ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ କହିଥିଲେ ଯେ ଭାରତ ‘କୋଭିଡ-୧୯’ ମହାମାରୀ ବିରୋଧରେ ନିଶ୍ଚିତ ଭାବେ ବିଜୟ ହାସଲ କରିବ ଏବଂ ଆମ ରାଷ୍ଟ୍ର ଏହି ସଙ୍କଟକୁ ଏକ ସୁଯୋଗରେ ପରିଣତ କରିଦେବ । ସେ କହିଥିଲେ ଯେ ଏହି ସଙ୍କଟରୁ ଭାରତ ‘ଆତ୍ମନିର୍ଭରଶୀଳ’ ହେବାର ଶିକ୍ଷା ଲାଭ କରିଛି । ସେ କହିଥିଲେ ଯେ ଆତ୍ମନିର୍ଭର ଭାରତର ଅର୍ଥ ହେଉଛି ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ଏଥିସହିତ ଆମଦାନୀ ପାଇଁ ଖର୍ଚ୍ଚ ହେଉଥିବା ବିଦେଶୀ ମୁଦ୍ରାର ସଂଚୟ କରିବା । ଏହାର ଅନ୍ତର୍ଗତ ଭାରତ ସମ୍ବଳଗୁଡ଼ିକୁ ଘରୋଇ ସ୍ତରରେ ହିଁ ବିକଶିତ କରିବାର ଆବଶ୍ୟକତା ରହିଛି, ଯାହାଦ୍ୱାରା ଦେଶକୁ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । କେବଳ ସେତିକି ନୁହେଁ, ଏହାର ଅର୍ଥ ଆମେ ସେହିସବୁ ବସ୍ତୁର ସବୁଠୁ ବଡ଼ ରପ୍ତାନିକାରୀ ପାଲଟିବା ଯେଉଁଗୁଡ଼ିକର ଆମେ ଏବେ ଆମଦାନୀ କରୁଛୁ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହାକୁ ହାସଲ କରିବା ପାଇଁ ପ୍ରତ୍ୟେକ କ୍ଷେତ୍ର, ପ୍ରତ୍ୟେକ ଉତ୍ପାଦ ଓ ପ୍ରତ୍ୟେକ ସେବାକୁ ରଖାଯିବା ଉଚିତ ଏବଂ କୌଣସି ବିଶେଷ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସାମଗ୍ରିକ ଭାବେ କାମ କରିବାର ଆବଶ୍ୟକତା ରହିଛି । ସେ କହିଥିଲେ ଯେ ଆଜି ନିଆଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାରତକୁ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପଦକ୍ଷେପ କେବଳ କୋଇଲା ଖନନ କ୍ଷେତ୍ରରେ ସଂସ୍କାର ଆଣିବ ନାହିଁ ବରଂ ଯୁବପିଢ଼ିଙ୍କ ପାଇଁ ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ସେ କହିଥିଲେ ଯେ ଆଜି ଆମେ କେବଳ କୋଇଲାର ବାଣିଜ୍ୟିକ ଖନନ ପାଇଁ ନିଲାମୀ କରୁନାହୁଁ, ବରଂ ବହୁଦଶନ୍ଧି ଧରି ଲକଡାଉନରେ ଫସି ରହିଥିବା କୋଇଲା କ୍ଷେତ୍ରକୁ ମୁକ୍ତ ମଧ୍ୟ କରୁଛୁ ।

Comments (0)
Add Comment