ବାୟୁ ପ୍ରଦୂଷଣ ହେଉଛି କୋଭିଡ୍ଠାରୁ ଅଧିକ ଘାତକ, ୨୦୧୯ରେ ୧୬.୭ ଲକ୍ଷ ଲୋକଙ୍କ ମୃତ୍ୟୁ


ନୂଆଦିଲ୍ଲୀ: କରୋନା ମହାମାରୀ ଅପେକ୍ଷା ଭାରତୀୟଙ୍କ ପାଇଁ ବାୟୁ ପ୍ରଦୂଷଣ ଅଧିକ ଘାତକ ସାବ୍ୟସ୍ତ ହୋଇଛି । ୨୦୧୯ରେ ପ୍ରଦୂଷଣ ଯୋଗୁଁ ଦେଶରେ ୧୬.୭ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । ୨୦୨୦ରେ କୋଭିଡ ଦେଢ଼ ଲକ୍ଷ ଲୋକଙ୍କ ଜୀବନ ନେଇଥିବା ବେଳେ ଏହାଠାରୁ ଅନେକ ଗୁଣରେ ଅଧିକ ମୃତ୍ୟୁ କେବଳ ବାୟୁ ପ୍ରଦୂଷଣ ଯୋଗୁଁ ହେଉଛି ବୋଲି ଲାନସେଟ୍ ଦ୍ୱାରା ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି । ବାୟୁ ପ୍ରଦୂଷଣ ଯୋଗୁଁ ହୋଇଥିବା ମୃତ୍ୟୁରୁ ୩୨.୫ ପ୍ରତିଶତ ଫୁସ୍ଫୁସ୍ ସଂକ୍ରମଣ ଯୋଗୁଁ ହୋଇଥିବା ବେଳେ, ହୃଦରୋଗଜନିତ ମୃତ୍ୟୁ ୨୯.୨ ପ୍ରତିଶତ, ହୃଦଘାତ ମୃତ୍ୟୁ ୧୬.୨ ପ୍ରତିଶତ ଏବଂ ଶ୍ୱାସକ୍ରିୟାରେ ସଂକ୍ରମଣ ଯୋଗୁଁ ୧୧.୨ ପ୍ରତିଶତ ମୃତ୍ୟୁ ହୋଇଛି । ଦେଶରେ ଉତରପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନରେ ପ୍ରଦୂଷଣଜନିତ ମୃତ୍ୟୁ ୫୦ ପ୍ରତିଶତରୁ ଅଧିକ ରହିଛି । ଉତରପ୍ରଦେଶରେ ବାୟୁ ପ୍ରଦୂଷଣ ଯୋଗୁଁ ୩,୪୯,୯୨୬ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୧,୩୯,୧୧୮, ବିହାରରେ ୧,୨୬,୪୬୦, ପଶ୍ଚିମବଙ୍ଗରେ ୧,୨୨,୮୩୩, ରାଜସ୍ଥାନରେ ୧,୧୩,୩୬୧ ଜଣଙ୍କ ବାୟୁ ପ୍ରଦୂଷଣ ଯୋଗୁଁ ମୃତୁ୍ୟ ହୋଇଛି । ଭାରତର ସମସ୍ତ ରାଜ୍ୟରେ ବାୟୁ ପ୍ରଦୂଷଣ ଯୋଗୁଁ ଏହାର କୁପ୍ରଭାବ ଅର୍ଥନୀତି ଉପରେ ମଧ୍ୟ ପଡୁଛି । ଦେଶରେ ବହୁ ସଂଖ୍ୟାରେ ଧୂମ୍ରପାନ କରୁନଥିବା ଲୋକେ ମଧ୍ୟ ଫୁସ୍ଫୁସ୍ ସଂକ୍ରମଣର ଶିକାର ହେଉଥିବାରୁ ଉଦ୍ବେଗ ପ୍ରକାଶ ପାଇଛି । କୋଭିଡ ମୃତ୍ୟୁକୁ ନେଇ ସବୁସ୍ତରରେ ଆତଙ୍କ ଦେଖିବାକୁ ମିଳୁଥିବା ବେଳେ ଅସଲରେ ଏହାଠାରୁ ଅଧିକ ଭୟାନକ ସାଜିଛି ବାୟୁ ପ୍ରଦୂଷଣ ।

Comments (0)
Add Comment