ବିଶ୍ୱର ଦୀର୍ଘତମ ସୁଡଙ୍ଗ ପଥ ‘ଅଟଳ ଟନେଲ୍’କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ହିମାଚଳ ପ୍ରଦେଶର ଲାହୌଲ ଉପତ୍ୟକାର ବାସିନ୍ଦାଙ୍କ ପାଇଁ ଏକ ବଡ ଦିନ । ଆଜି ସେଠାରେ ପାର୍ବତ୍ୟ ଅଞ୍ଚଳରେ ଗମନାଗମନ ଦୃଷ୍ଟିରୁ ଗୁରୁତ୍ୱ ବହୁ ବହନ କରୁଥିବା ‘ଅଟଳ ଟନେଲ୍’ ଉଦଘାଟିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସର୍ବବୃହତ ସୁଡଙ୍ଗ ପଥ ‘ ଅଟଳ ଟନେଲ’ର ଉଦଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ରହିଥିବା ଜଣାପଡିଛି । ଏହି ଟନେଲର ଲମ୍ବ ୯.୦୨ କିଲୋମିଟର ହୋଇଥିବା ବେଳେ ଉଚତା ୩୦୦୦ ମିଟର ରହିଛି । ଅତ୍ୟାଧୁନିକ ଜ୍ଞାନକୌଶଳ ସାହାର୍ଯ୍ୟରେ ପୀର ପଞ୍ଜଲ ପାହାଡରେ ‘ଅଟଳ ଟନେଲ’ ନିର୍ମାଣ କରାଯାଇଛି । ଏହା ସମୁଦ୍ର ପତନଠାରୁ ୧୦,୦୦୦ ଫୁଟ ଉଚ୍ଚରେ ଅବସ୍ଥିତ । ‘ଅଟଳ ଟନେଲ୍’ ନିର୍ମାଣ ହେତୁ ମନାଲି ଏବଂ ଲେହ ମଧ୍ୟରେ ଦୂରତା ୪୬ କିଲୋମିଟର ହ୍ରାସ ପାଇବା ସହ ଦୁଇ ସ୍ଥାନ ମଧ୍ୟରେ ଯାତ୍ରା ସମୟ ୪ରୁ ୫ ଘଂଟା ହ୍ରାସ ପାଇବ । ମନାଲିଠାରୁ ୨୫ କିଲୋମିଟର ଦୂରରେ ଅବସ୍ଥିତ ‘ଅଟଳ ଟନେଲ୍’ର ଆକୃତି ଘୋଡାର ପାଦ ପରି । ଏହାର ଦକ୍ଷିଣ ସୀମା ସମୁଦ୍ର ପତନଠାରୁ ୩୦୬୦ ମିଟର ଉଚ୍ଚରେ ଥିବା ବେଳେ ଲାହୌଲ ଉପତ୍ୟକାର ତାଲିଙ୍ଗ ଏବଂ ସିସୁ ଗ୍ରାମ ନିକଟରେ ଥିବା ଉତର ସୀମା ସମୁଦ୍ର ପତନଠାରୁ ୩୦୭୧ ମିଟର ଉଚ୍ଚରେ ଅବସ୍ଥିତ । ୧୦.୫ ମିଟର ଚଉଡା ବିଶିଷ୍ଟ ଏହି ଟନେଲରେ ୩.୬ , ୨.୨୪ ମିଟର ପରିମିତ ଅଞ୍ଚଳରେ ଅଗ୍ନିରୋଧୀ ଜରୁରୀକାଳୀନ ପ୍ରସ୍ଥାନ ପଥ ନିର୍ମାଣ କରାଯାଇଛି । ‘ଅଟଳ ଟନ୍ଲେ୍’ରେ ଦିନକୁ ୩୦୦୦ କାର ଏବଂ ୧୫୦୦ ଟ୍ରକ ୮୦ କିଲୋମିଟର ବେଗରେ ଚଳାଚଳ କରିପାରିବ । ‘ଅଟଳ ଟନେଲ’ରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରତି ୧୫୦ ମିଟର ଦୂରତାରେ ଟେଲିଫୋନର ବ୍ୟବସ୍ଥା କରାଯାଇଛି, ଯାହା ଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ସମ୍ପର୍କ ସ୍ଥାପନ ହୋଇପାରିବ । ପ୍ରତି ୬୦ ମିଟରରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖାଯାଇଛି । ୨୫୦ ମିଟର ଦୂରତାରେ ସିସିଟିଭି ସୁବିଧା ଉପଲବ୍ଧ ରହିଛି । ବାୟୁ ଗୁଣବତା ଯାଞ୍ଚ କରିବା ପାଇଁ ପ୍ରତି ୧ କିଲୋମିଟର ବ୍ୟବଧାନରେ ମେସିନ୍ ଲାଗାଯାଇଛି । ରୋହତଙ୍ଗ ପାସ୍ ଅଧୀନରେ ଏହାକୁ ଜୁନ୍ ୩. ୨୦୦୦ରେ ନିର୍ମାଣ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଏହାର ଭିତିପ୍ରସ୍ତର ମେ’ ୨୬, ୨୦୦୨ରେ ରଖାଯାଇଥିଲା । ଅଟଳ ଟନେଲ୍ ନିର୍ମାଣ କରିବା ପାଇଁ ୧୪, ୫୦୮ ମେଟି୍ରକ ଟନ୍ ଷ୍ଟିଲ୍ ୨.୩୭. ୫୯୬ ମେଟି୍ରକ ଟନ୍ ସିମେଂଟ ବ୍ୟବହାର କରାଯାଇଥିବା ବେଳେ ନିର୍ମାଣ ପାଇଁ ଅଷ୍ଟି୍ରଆର ଟାନଲିଂ କୌଶଳ ବ୍ୟବହାର କରାଯାଇଛି । ଡିସେମ୍ବର ୨୪. ୨୦୧୯ରେ ଅଟଳ ବିହାରୀ ବାଜପେୟୀଙ୍କ ୯୫ ତମ ଜନ୍ମ ବାର୍ଷିକୀରେ କେନ୍ଦ୍ର ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସମ୍ମାନିତ କରିବା ପାଇଁ ରୋହତଙ୍ଗ ଟନେଲକୁ ‘ଅଟଳ ଟନେଲ’ ନାମରେ ନାମିତ କରିବାକୁ ନିଷ୍ପତି ନେଇଥିଲେ ।

Comments (0)
Add Comment