ବେଙ୍ଗାଲୁରୁରେ ସାଂପ୍ରଦାୟିକ ହିଂସା, ୩ ମୃତ, ୩୦୦ ଗାଡ଼ି ପୋଡି

ବେଙ୍ଗାଲୁର : ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟକୁ କେନ୍ଦ୍ର କରି ବେଙ୍ଗାଲୁରୁରେ ସାଂପ୍ରଦାୟିକ ହିଂସା ସୃଷ୍ଟି ହୋଇଛି । ଗତରାତିରେ ସହରର ୩୦ରୁ ଅଧିକ ସ୍ଥାନରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା । ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀର ଉପସ୍ଥିତି ସତ୍ୱେ ଦଙ୍ଗାକାରୀମାନେ ୩୦୦ରୁ ଅଧିକ ଗାଡ଼ି ପୋଡି ଦେଇଛନ୍ତି । ହିଂସାରେ ମୋଟ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ପୋଲିସ କର୍ମୀ ଆହତ ହୋଇଛନ୍ତି । କର୍ଣ୍ଣାଟକର ଜଣେ ବିଧାୟକ ଅଖଣ୍ଡ ଶ୍ରୀନିବାସମୂର୍ତିଙ୍କ ଜଣେ ସଂପର୍କୀୟ ଫେସ୍ବୁକ୍ରେ ବିବାଦୀୟ ପୋଷ୍ଟ କରିବା ପରେ ଏହା ଭାଇରାଲ୍ ହୋଇଯାଇଥିଲା ଏବଂ ଏହାକୁ କେନ୍ଦ୍ର ବଡ଼ ହିଂସା ଦେଖିବାକୁ ମିଳିଥିଲା । କର୍ଣ୍ଣାଟକ ଗୃହମନ୍ତ୍ରୀ ବିଏସ୍ ବୋମାଇ ଏବଂ ଅନ୍ୟ ଜଣେ ମନ୍ତ୍ରୀ ସିଟି ରବି କହିଛନ୍ତି ଯେ ଏହି ସାଂପ୍ରଦାୟିକ ହିଂସା ସଂପୂର୍ଣ୍ଣ ସୁନିୟୋଜିତ । ଅତ୍ୟନ୍ତ ଯୋଜନାବଦ୍ଧ ଭାବେ କିଛି ଲୋକ ସରକାରଙ୍କୁ ବଦନାମ କରିବାକୁ ହିଂସା ଭିଆଇଛନ୍ତି । ଉପଦ୍ରବକାରୀମାନେ ବ୍ୟାପକ ପୋଡ଼ାଜଳା କରିଥିବା ବେଳେ ପୋଲିସ ଷ୍ଟେସ୍ନକୁ ମଧ୍ୟ ଛାଡ଼ି ନାହାନ୍ତି । ଉପଦ୍ରବକାରୀଙ୍କୁ ଅଟକାଇବାକୁ ପ୍ରାୟସ କରି ପୋଲିସ ଗୁଳି ଚଳାଇଥିଲା ଏବଂ ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ବେଙ୍ଗାଲୁରୁ ହିଂସାକୁ ନେଇ କଂଗ୍ରେସ ଏବେ ବିଜେପିକୁ ଟାର୍ଗେଟ୍ କରିଥିବା ବେଳେ ବିଜେପି ନେତାମାନେ ମଧ୍ୟ କଂଗ୍ରାସକୁ ଚେତାବନୀ ଦେଇ କୌଣସି ସଂପ୍ରଦାୟିକ ଉତେଜନା ସୃଷ୍ଟି ନ କରିବା ପାଇଁ କହିଛନ୍ତି । କଂଗ୍ରେସ ନେତା ରଣଦୀପ ସୂର୍ଯେ୍ୟୱାଲା କହିଛନ୍ତି ବେଙ୍ଗାଲୁରୁ ହିଂସା ନିନ୍ଦନୀୟ । ଏହା ୟେଦୁରପ୍ପା ସରକାରଙ୍କ ବିଫଳ ଆଇନ ଶୃଙ୍ଖଳା ବ୍ୟବସ୍ଥାର ଏକ ନଗ୍ନ ମନୁନା ବୋଲି ସେ କହିଛନ୍ତି । ପୋଲିସ ଷ୍ଟେସନ୍ ନିକଟରେ ଏକ ମନ୍ଦିର ଉପରେ ବଡ଼ ଧରଣର ଆକ୍ରାମଣ ପାଇଁ ହୋଇଥିବା ଉଦ୍ୟମକୁ କିଛି ମୁସ୍ଲିମ ବିଫଳ କରିଦେଇଛନ୍ତି । ସେମାନେ ଏକଜୁଟ ହୋଇ ମାନବ ଶୃଙ୍ଖଳା ତିଆରି କରି ମନ୍ଦିରକୁ ସୁରକ୍ଷା ଦେଇଥିଲେ । ସାଂପ୍ରଦାୟିକ ସଦ୍ଭାବନାର ଏଭଳି ଉଦାହରଣକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ବିଭିନ୍ନ ଅଂଚଳରେ ତୀବ୍ର ଉତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବାରୁ ବ୍ୟପକ ପୋଲିସ ମୁତୟନ ହୋଇଛନ୍ତି । ସମଗ୍ର ସହରରେ ଧାରା ୧୪୪ ଲାଗୁ କରାଯାଇଛି । ସମ୍ବେଦନଶୀଳ ଅଂଚଳଗୁଡ଼ିକ ପ୍ରତି ସ୍ୱାତନ୍ତ୍ର ନଜର ରଖାଯାଇଛି । ରାପିଡ଼ ଆକ୍ସନ ଫୋର୍ସ, ସିଆରପିଏଫ୍ ଏବଂ ସିଆଇଏସ୍ଏଫ୍ ଯବାନ ବିଭିନ୍ନ ସ୍ଥାନରେ ମୃତୟନ ହୋଇଛନ୍ତି ।

Comments (0)
Add Comment