ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ: ୧୬ ଆକ୍ରାନ୍ତ

ନୂଆଦିଲ୍ଲୀ: ମହାମାରୀ କରୋନା ସମଗ୍ର ବିଶ୍ୱରେ ଆତଙ୍କର ଖେଳାଇ ଦେଇଥିଲା ବେଳେ ଇଂଲଣ୍ଡରେ କରୋନାର ନୂଆ ଷ୍ଟ୍ରେନ ବା ପ୍ରକାର ଠାବ ହୋଇଛି । ଏଥିରେ ୧୬ ଜଣ ସଂକ୍ରମିତ ହୋଇଥିବା ନେଇ ବ୍ରିଟେନର ଜନ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏହି ନୂଆ ପ୍ରକାର ଭୂତାଣୁ-ବି ଡଟ୍ ୱାନ ଡଟ୍ ୬୨୧ ବୋଲି ଚିହ୍ନଟ କରାଯାଇଛି । କରୋନାର ନୂଆ ଷ୍ଟ୍ରେନ୍ ବା ପ୍ରକାର ଆସିଲେ ଅଧିକ ଭୟାବହ ତୃତୀୟ ଲହର ହୋଇପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । କାରଣ ରୂପ ବଦଳାଉଥିବା କରୋନା, ଦ୍ୱିତୀୟ ଲହରରେ ଅଧିକ ସଂକ୍ରାମକ ହୋଇଛି । ତେବେ ଏହାର ପ୍ରଭାବ ନେଇ ଅଧିକ କିଛି ଜଣାପଡିନାହିଁ । ଅର୍ଥାତ କରୋନା ଟିକାକୁ ଏହି ନୂଆ ଷ୍ଟ୍ରେନ୍ ପ୍ରଭାବହୀନ କରିପାରିବ ନା ନାହିଁ, ସେନେଇ ଅଧିକ ଗବେଷଣା ଜାରି ରହିଛି । ସେହିପରି ଏହା କେତେ ଦ୍ରୁତ ବେଗରେ ସଂକ୍ରମିତ ହେବ ଏବଂ ଆକ୍ରାନ୍ତଙ୍କ ଅବସ୍ଥା କେତେ ସଂକଟାପନ୍ନ ହେବ ସେନେଇ ମଧ୍ୟ ଅଧିକ ଅଧ୍ୟୟନ କରାଯାଉଛି । ଆଉକିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କରୋନାର ଏହି ଷ୍ଟ୍ରେନ୍ ଇଂଲଣ୍ଡ ପାଇଁ ନୂଆ ହୋଇଥିଲେ ମଧ୍ୟ, ଗତ ଜାନୁଆରୀରରେ ଏହା କଲମ୍ବିୟାରେ ଦେଖାଯାଇଥିଲା ।
ଅନ୍ୟପକ୍ଷରେ ମେଡିକାଲ ଜର୍ଣ୍ଣାଲ ଲାନସେଟରେ ପ୍ରକାଶ ପାଇଥିବା ଗବେଷଣା ରିପୋର୍ଟ ଅନୁଯାୟୀ, ଫାଇଜର ଓ ଆଷ୍ଟ୍ରାଜେନେକା ଟିକାର ଦୁଇଟି ଯାକ ଡୋଜ୍ ନେବା ପରେ ଜଣଙ୍କ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବା ଆଣ୍ଟିବଡି ସୃଷ୍ଟି ହୋଇଥାଏ । ତେବେ ଟିକାକରଣର ୬ ସପ୍ତାହ ପରେ ଆଣ୍ଟିବଡିର ପରିମାଣ କମିବା ଆରମ୍ଭ ହେଉଛି । ପ୍ରାୟ ୧୦ ସପ୍ତାହ ବେଳକୁ ପୂର୍ବାପେକ୍ଷା ଆଣ୍ଟିବଡିର ପରିମାଣ ପ୍ରାୟ ୫୦% ହ୍ରାସ ପାଇଯାଉଛି ବୋଲି ଏଥିରେ କୁହାଯାଇଛି ।
ବ୍ରିଟେନରେ ଥିବା ବିଶ୍ୱବିଦ୍ୟାଳୟ କଲେଜ ଲଣ୍ଡନ(ୟୁସିଏଲ)ର ଗବେଷକମାନେ ବିଭିନ୍ନ ପରୀକ୍ଷାରୁ ଜାଣିବାକୁ ପାଇଛନ୍ତି ଯେ ଯଦି ଆଣ୍ଟିବଡି ସ୍ତର ଏଭଳି ଭାବେ ହ୍ରାସ ପାଇବାରେ ଲାଗିବ, ତା’ହେଲେ ଟିକାର ସୁରକ୍ଷା ନେଇ କରାଯାଉଥିବା ଦାବି ଫେଲ ମାରିବ । ବିଶେଷ କରି ନୂଆ ଭାରିଏଣ୍ଟ ଆଗରେ ଟିକାର ପ୍ରଭାବ ସଂପୂର୍ଣ୍ଣ ଭାବେ ଫିକା ପଡ଼ିବାର ଆଶଙ୍କା ମଧ୍ୟ ରହିଛି । ତେବେ କେତେ ଶୀଘ୍ର ଏପରି ଘଟିବ, ସେକଥା ଏଯାଏ ଗବେଷଣାରୁ ଜଣାପଡ଼ିନି । ସେହିପରି ଟିକା ନେଇଥିବା ଲୋକଙ୍କ ତୁଳନାରେ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ଶୀରରରେ ଅଧିକ ଆଣ୍ଟିବଡି ରହୁଛି ।

Comments (0)
Add Comment