ନିଜ ଦୁନିଆରେ ମସଗୁଲ୍ ଥିବା ଆମ ଭଳି ସ୍ବାର୍ଥୀ ମଣିଷ ଅନ୍ୟର କଷ୍ଟକୁ ବୁଝିନଥାଉ। ଜୀବନ ସଂଗ୍ରାମରେ କିଏ, କ’ଣ କରୁଛି, ଜାଣିଲେ ସାଧାରଣ ଲୋକ ଆଖିରେ ମଧ୍ୟ ଲୁହ ଆସିଯିବ। ୨୦୧୯ ଅକ୍ଟୋବରର ଏଇ ଘଟଣାଟି, ଜମ୍ମୁର ଜଣେ ସାମ୍ବାଦିକଙ୍କ ଦୃଷ୍ଟିକୁ ଖବରଟି ଆସିବା ପରେ ସେ ନ୍ୟୁଜ୍ ପୋର୍ଟାଲ୍ରେ ଏହାର ପ୍ରଚାର କରାଇଥିଲେ। ଜମ୍ମୁ-କାଶ୍ମୀର ଅଞ୍ଚଳରେ ବାରାମୂଳା ଛୋଟ ସହରଟେ, ସେଠିକାର ଖ୍ବାଜା ବାଗ୍ ଅଞ୍ଚଳରେ ଏଟିଏମ୍ଟେ ଅଛି। ଜଣେ ଯବାନ୍ ପ୍ରତି ୩ଦିନରେ ଥରେ ଏଇ ଏଟିଏମ୍କୁ ଆସି ଟଙ୍କା ଉଠାନ୍ତି, ଏଟିଏମ୍ର ସୁରକ୍ଷାକର୍ମୀଜଣକ ପାଖାପାଖି ମାସେ ଏକଥା ଲକ୍ଷ୍ୟ କଲେ। ଯବାନ୍ଜଣକ ନିୟମିତ ଆସୁଥିବାରୁ ସୁରକ୍ଷାକର୍ମୀ ତାଙ୍କୁ ଦେଖିବା କ୍ଷଣି ସାହେବ କହି ସାଲ୍ୟୁଟ୍ କରେ। ନିବିଡ଼ତା ବଢ଼ିବାରୁ ସୁରକ୍ଷାକର୍ମୀ ଦେଖିଲା, ଯବାନ୍ଜଣକ ପ୍ରତିଥର ୧୦୦ ଟଙ୍କା ହିଁ ଉଠାନ୍ତି। ଦିନକର କଥା, ସାହସ ଜୁଟାଇ ସେ କହିଲା, ସାହାବଜୀ..ଆପଣ ଏକାଥରକେ ୧୦୦୦-୨୦୦୦ ଟଙ୍କା ଉଠାଇ ନେଇଯାଉନାହାନ୍ତି…ଏତେ ଦୂରରୁ ଆସୁଛନ୍ତି କେବଳ ୧୦୦ ଟଙ୍କା ଉଠାଇବାକୁ….ଯବାନ୍ଜଣକ ହସି କହିଲେ, ଆରେ ଏଇଟା ମୋର କାମରେ ଆସେନି କିନ୍ତୁ ମୋ ମା ଓ ସ୍ତ୍ରୀର ମନ ବୁଝିଯାଏ। କାରଣ, ସେମାନେ ଜାଣନ୍ତି ମୁଁ ଜୀବିତ ଅଛି ବୋଲି। ସୁରକ୍ଷାକର୍ମୀଜଣକ ଆବାକାବା ହୋଇ ଚାହିଁଲା। ଯବାନ୍ଜଣକ ବିସ୍ତୃତ ଭାବେ କହିଲେ, ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ ସହ ଲିଙ୍କ୍ ଥିବା ମୋବାଇଲ୍ ନମ୍ବରଟି ଘରେ ତାଙ୍କ ସ୍ତ୍ରୀ ପାଖେ ଅଛି। କାଶ୍ମୀରରେ ପୋଷ୍ଟିଂ ହେବା ପରେ ମା କାନ୍ଦିକାନ୍ଦି ଅଥୟ ହେଲେ, କହିଲେ ଏଥରକ ଚାକିରି ଛାଡ଼େ। ସେଠିକୁ ଯିବା ଦରକାର ନାହିଁ, ମାସମାସ ଧରି କୁଆଡ଼େ ଯାଉଛୁ, ମୁଁ କିଛି ଜାଣିପାରୁନି। ଦେଶସେବାରେ ଲାଗିଥିବା ଯବାନ୍ ଯେ ମାଟିର ମୋହ ଛାଡ଼ିପାରୁନଥିଲେ, ବୁଝାଇବା ସହ ପ୍ରତିଶ୍ରୁତି ଦେଲେ ପ୍ରତିଦିନ ଫୋନ୍ କରିବେ। ହେଲେ କାଶ୍ମୀରରେ ନେଟୱର୍କ ସହଜରେ ଲାଗେନି, ପତ୍ନୀ ବୁଦ୍ଧି ଦେଲେ ୪-୫ଦିନରେ ଥରେ ପାଖ ଏଟିଏମ୍ରୁ ଆସି ଟଙ୍କା ଉଠାଇନେବ। ଅନ୍ତତଃ ତୁମେ ଜୀବିତ ଅଛ, ଆମେ ସେତିକି ଜାଣି ଆଶ୍ବସ୍ତ ହୋଇପାରିବୁ। ମା’ଙ୍କୁ ଏଇ ପ୍ରତିଶ୍ରୁତି ଦେଇ ସେ ଆସିଛନ୍ତି,। ଯେତେ କଷ୍ଟ ହେଲେ ମଧ୍ୟ ସେ ପ୍ରତି ୩ଦିନରେ ଥରେ ୧୫୦ କିମି ଦୂରକୁ ଆସି ଏଇ ଏଟିଏମ୍ରୁ ଟଙ୍କା ଉଠାଇଲେ ତାଙ୍କ ଘରଲୋକଙ୍କୁ ଆଶ୍ବସ୍ତି ମିଳେ। ଜୀବନର ଚଲାପଥରେ ଆଗକୁ ବଢ଼ିବା ନିମନ୍ତେ ଏହା ପ୍ରକୃଷ୍ଟ ଉଦାହରଣ।