ଭୁବନେଶ୍ୱର,୧୦.୬(ନି.ପ୍ର.): ବିଜେପି ସରକାର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ କରିଥିବା ଉପଲକ୍ଷେ ଟେକ୍ନୋଲୋଜି ପ୍ଲାଟଫର୍ମର ବ୍ୟବହାର କରି ଦଳ ତରଫରୁ ମଙ୍ଗଳବାର ଜନସମ୍ବାଦ ସମାବେଶ କରାଯାଇଥିଲା । ଗୃହ ମନ୍ତ୍ରୀ ଅମିତ ଶାହ ମୋଦି ସରକାରଙ୍କ ବିକାଶ ଗାଥା କହିବା ସହ ମୋଦି ସରକାରଙ୍କ ପ୍ରତିବଦ୍ଧତା ସଂପର୍କରେ ଓଡ଼ିଶାବାସୀଙ୍କୁ ଅବଗତ କରାଇଥିଲେ । ଟେକ୍ନୋଲୋଜିର ବିଭିନ୍ନ ପ୍ଲାଟଫର୍ମରେ ଲକ୍ଷାଧିକ ଓଡ଼ିଆ ଭାଇ ଭଉଣୀମାନେ ଯୋଡି ହୋଇ ଏହି ଜନସମ୍ବାଦ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ । ବିଜେପିର ସୋସିଆଲ ମିଡିଆ (ଫେସବୁକ, ଟ୍ୱିଟର, ୟୁଟୁ୍ୟବ୍) ସୋସିଆଲ ମିଡିଆ ପ୍ଲାଟ୍ଫର୍ମ, ଡିଜିଟାଲ ମିଡିଆ ସମେତ ଦଳର ବରିଷ୍ଠ ନେତାମାନଙ୍କର ଭଚୁ୍ୟଆଲୟ ରାଲିରେ ରାତି ୯ଟା ସୁଦ୍ଧା ୨୯ ଲକ୍ଷ ୫୮ ହଜାର ୬୩୫ରୁ ଉର୍ଦ୍ଧ ଲୋକ ଯୋଡି ହୋଇଥିଲେ । ପରେ ସାଧାରଣ ଜନତା ଏବଂ ବିଜେପି କାର୍ଯ୍ୟକର୍ତାଙ୍କ ସୋସିଆଲ ମିଡିଆରେ ସେୟାର ହୋଇଥିବା ଏହି ଜନସମ୍ବାଦ ଭିଡିଓ ରାଜ୍ୟର ୧ କୋଟି ଲୋକଙ୍କ ପାଖରେ ପହଚଂଛି । ଗୃହମନ୍ତ୍ରୀ ଶାହଙ୍କ ଭରଚ୍ୟୁଆଲ୍ ରାଲିକୁ ଓଡ଼ିଶାରେ ଅଭୂତପୂର୍ବ ଜନସମର୍ଥ ମିଳିଛି । ଏଭଳି ଏକ ଭରଚ୍ୟୁଆଲ୍ ରାଲିରେ ନିଜକୁ ସାମିଲ କରିଥିବାରୁ ସମଗ୍ର ରାଜ୍ୟବାସୀଙ୍କୁ ରାଜ୍ୟ ସଭାପତି ସମୀର ମହାନ୍ତି ଧନ୍ୟବାଦ ଜଣାଇଛନ୍ତି ।ଏହି ଅବସରରେ ବିରୋଧ ଦଳ ନେତାପ୍ରଦୀପ୍ତ ନାଏକ, ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସପାତ୍ର, ରାଜ୍ୟ ସଂପାଦିକ ଡ. ଲେଖାଶ୍ରୀ ସାମନ୍ତସିଂହାର, ଯୁବମୋର୍ଚ୍ଚା ସଭାପତି ଟଙ୍କଧରି ତ୍ରିପାଠୀ ଏବଂ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ମହାନ୍ତି ମଧ୍ୟ କହିଛନ୍ତି, ଓଡ଼ିଶାବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଦୃଢ ବିଶ୍ୱାସ ପ୍ରକଟ କରିଛନ୍ତି ଏବଂ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତି ଅବସରରେ ଏ ରାଜ୍ୟର ବିକାଶ, ବିପର୍ଯ୍ୟୟର ସହାୟତା, ସ୍ୱାର୍ଥ, ଓ ସଂସ୍କୃତି ସଂପର୍କିତ ଏକ ଲିଫ୍ଲେଟ ଉନ୍ମୋଚନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଧାରା ଏବଂ ଓଡ଼ିଶାକୁ ମିଳିଥିବା ଅନୁଦାନ ସଂପର୍କରେ ଉଲ୍ଲେଖ ଥିବା ଏହି ଲିଫଲେଟ୍କୁ ବିଜେପିର ୩୭ ହଜାର ବୁଥର କାର୍ଯ୍ୟକର୍ତାମାନେ ପ୍ରତି ବୁଥରେ ୧୦୦ଟି ପରିବାର ପାଖରେ ପହଂଚିଇବା ସହ ଜନ ଆଶୀର୍ବାଦ ଭିକ୍ଷା କରିବେ ବୋଲି ଶ୍ର ମହାନ୍ତି ପ୍ରକାଶ କରିଛନ୍ତି ।