ନୂଆଦିଲ୍ଲୀ: ଛାତି ଯନ୍ତ୍ରଣା ଯୋଗୁ ହସ୍ପିଟାଲରେ ଭର୍ତି ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏମ୍ସର ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଉପରେ ୨୪ ଘଂଟିଆ ନଜର ରଖିଛନ୍ତି । ଛାତି ଯନ୍ତ୍ରଣା ପାଇଁ ସେ ହସ୍ପିଟାଲରେ ଭର୍ତି ହୋଇଥିଲେ ହେଁ ତାଙ୍କ ଶରୀରରେ ଜ୍ୱର ଲାଗି ରହିଥିବା ଜଣାପଡ଼ିଛି । ଏହା ସାଧାରଣ ଜ୍ୱର ନା ଆଉ କିଛି ଏହାର କାରଣ ଜାଣିବା ପାଇଁ ଶ୍ରୀ ସିଂହଙ୍କର ବିଭିନ୍ନ ପରୀକ୍ଷା କରାଯାଉଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି ।ରବିବାର ସନ୍ଧ୍ୟା ଶ୍ରୀ ସିଂହ ଛାତି ଯନ୍ତ୍ରଣା ଓ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତି କରାଯାଇଥିଲା । ଏହାପରେ ହୃଦରୋଗ ବିଶେଷଜ୍ଞ ଟିମ୍ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ହେଲେ ତାଙ୍କ ଶରୀରର ତାପମାତ୍ରା ବଢ଼ିଥିବାରୁ ଏହାର କାରଣ ଖୋଜିବା ପ୍ରକି୍ରୟା ଆରମ୍ଭ ହୋଇଛି ।ତାଙ୍କର ଏକାଧିକ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି । ୨୦୦୯ରେ ଶ୍ରୀ ସିଂହ ଏମ୍ସରେ କୋରନାରୀ ବାଇପାସ ସର୍ଜରୀ କରିଥିଲେ । ଏହା ସଫଳତାର ସହ ଶେଷ ହୋଇଥିଲା ।