ମୁଣ୍ଡ ନୁଆଁଇଲା ଟ୍ୱିଟର: ନିଯୁକ୍ତ କଲା ଆବାସିକ ଅଭିଯୋଗ ଅଧିକାରୀ

ନୂଆଦିଲ୍ଲୀ: ଶେଷରେ ଟ୍ୱିଟର ଭାରତ ସରକାଣଙ୍କର ତାଗିଦ ପରେ ମୁଣ୍ଡ ନୁଆଁଇଛି । ଟ୍ୱିଟର ଆଜି ବିନୟ ପ୍ରକାଶଙ୍କୁ ଅନ୍ତରିଣ ଆବାସିକ ଅଭିଯୋଗ ଅଧିକାରୀ ନିଯୁକ୍ତ କରିଛି । ଏହା ସହିତ ବିଭିନ୍ନ ମାମଲାରେ ଟ୍ୱିଟର ଆକାଉଣ୍ଟ ବିରୋଧରେ ନିଆଯାଇଥିବା କାଯ୍ୟ ଉପରେ ମାସିକ ରିପୋର୍ଟ ମଧ୍ୟ ରଖାଯାଇଛି । କମ୍ପାନୀର ୱେବସାଇଟରେ ଏହି ସୂଚନା ଦିଆଯାଇଛି । ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟରେ କମ୍ପାନୀ କହିଛି ଯେ ନୂତନ ଆଇଟି ନିୟମ ଅନୁଯାୟୀ ଅଭିଯୋଗ ଅଧିକାରୀ (ଆବାସିକ ଅଭିଯୋଗ ଅଧିକାରୀ) ନିଯୁକ୍ତି ପ୍ରକ୍ରିୟା ଚାଲିଛି । ଜୁଲାଇ ୧୧ କିମ୍ବା ଏହା ପୂର୍ବରୁ ଏହି ପ୍ରକ୍ରିୟା ପୂରଣ ହେବା ନେଇ ଆଶା କରାଯାଉଛି । ସୂଚନାଯୋଗ୍ୟ, ଭାରତରେ ନୂତନ ଆଇଟି ନିୟମାବଳୀ ପାଳନ ନ କରିବାରୁ ଟ୍ୱିଟର କ୍ରମାଗତ ଭାବେ ବିବାଦ ଘେରକୁ ଆସୁଥିଲା । ଜୁଲାଇ ୮ ତାରିଖରେ ଦିଲ୍ଲୀ ହାଇକୋର୍ଟରେ ଭାରତରେ ଅଭିଯୋଗ ଅଧିକାରୀ ନିଯୁକ୍ତ ଲାଗି ଟ୍ୱିଟରକୁ କଡ଼ା ନିଦେ୍ର୍ଧଶ ଦେଇଥିଲେ । ନୂଆ ଆଇଟି ନିୟମ ଅନୁଯାୟୀ, ୫୦ ଲକ୍ଷରୁ ଅଧିକ ଉପଭୋକ୍ତା ଥିବା ସୋସିଆଲ ମିଡିଆ କମ୍ପାନୀଗୁଡିକ ତିନୋଟି ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତ କରିବା ଆବଶ୍ୟକ । ମୁଖ୍ୟ ନିୟମ ଅଧିକାରୀ, ନୋଡାଲ ଅଫିସର ଏବଂ ଅଭିଯୋଗ ଅଧିକାରୀ । ଏହି ତିନିଜଣ ଅଧିକାରୀ ଭାରତର ବାସିନ୍ଦା ହେବା ଉଚିତ୍ । କମ୍ପାନୀ ୨୬ ମେ’ ୨୦୨୧ ରୁ ୨୫ ଜୁନ୍ ୨୦୨୧ ପର୍ଯ୍ୟନ୍ତ ଏହାର ଅନୁପାଳନ ରିପୋର୍ଟ ମଧ୍ୟ ପ୍ରକାଶ କରିଛି । ନୂଆ ଆଇଟି ନିୟମ ଅନୁଯାୟୀ ଏହା ଅନ୍ୟ ଏକ ଆବଶ୍ୟକତା ଯାହା ମେ’ ୨୬ ରୁ ଲାଗୁ ହୋଇଥିଲା । ଏହାପୂର୍ବରୁ ଟ୍ୱିଟର ଧର୍ମେନ୍ଦ୍ର ଚତୁରଙ୍କୁ ଆଇଟି ନିୟମ ଅନୁଯାୟୀ ଭାରତ ପାଇଁ ମଧ୍ୟବର୍ତ୍ତୀକାଳୀନ ଅଭିଯୋଗ ଅଧିକାରୀ ଭାବ ନିଯୁକ୍ତ କରିଥିଲା ।

Comments (0)
Add Comment