ମୌସୁମୀ ଅଧିବେଶନରେ ୧୯ଟି କାର୍ଯ୍ୟ ଦିବସ

ନୂଆଦିଲ୍ଲୀ: ଆସନ୍ତା ୧୯ରୁ ଆରମ୍ଭ ହେଉଥିବା ସଂସଦର ଅଧିବେଶନ ଅଗଷ୍ଟ ୧୩ରେ ଶେଷ ହେବ । ଏଥିରେ ମୋଟ୍ ୧୯ଟି କାର୍ଯ୍ୟଦିବସ ରହିଛି ବୋଲି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ସୂଚନା ଦେଇଛନ୍ତି । ସାଧାରଣତଃ ମୌସୁମୀ ଅଧିବେଶନ ଜୁଲାଇ ତୃତୀୟ ସପ୍ତାହରେ ଆରମ୍ଭ ହୋଇ ସ୍ୱାଧୀନତା ଦିବସ ପୂର୍ବରୁ ଶେଷ ହୋଇଥାଏ । ଜୁଲାଇ ୧୯ରେ ସଂସଦର ମୌସୁମୀ ଅଧିବେଶ ଆରମ୍ଭ ହେବା ପୂର୍ବରୁ ୧୮ରେ ସର୍ବ ଦଳୀୟ ବୈଠକ ବସିବ । ଏହି ବୈଠକରେ ଅଧିବେଶନ କିଭଳି ଚାଲିବ ଏବଂ କେଉଁ କେଉଁ ପ୍ରସଙ୍ଗ ଉଠିବ ତା ଉପରେ ଆଲୋଚନା ହୋଇପାରେ । ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇଥିବାରୁ ଅନେକ କମିଟିରେ ସଦସ୍ୟ ଖାଲି ରହିଛି । ଖୁବଶୀଘ୍ର ଖାଲିଥିବା କମିଟି ପଦ ପୂରଣ ହେବ ବୋଲି ବାଚସ୍ପତି କହିଛନ୍ତି । ଯେଉଁ ସବୁ ବିଲ୍ ମୌସୁମୀ ଅଧିବେଶନରେ ପାରିତ ହେବ ସେ ନେଇ ସରକାର ରୂପରେଖ ପ୍ରସ୍ତୁତ କରିଛନ୍ତି । ଏହି ସମୟରେ ବାପା-ମା ଏବଂ ବରିଷ୍ଠ ନାଗରିକଙ୍କ କଲ୍ୟାଣ ପାଇଁ ପ୍ରସ୍ତାବିତ ଆଇନ, ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଏବଂ ଆନ୍ତଃ ନଦୀ ଜଳ ବିବାଦର ସମାଧାନ କମିଟି ଗଠନ ପାଇଁ ବିଲ୍ ଆସିବ ବୋଲି ଜଣାପଡ଼ିଛି । କୋଭିଡ ପ୍ରୋଟୋକଲ ସହିତ ମୌସୁମୀ ଅଧିବେଶନ ଚାଲିବ । କରୋନା ବେଳେ ମୋଟ୍ ତିନୋଟି ଅଧିବେଶନ ଆୟୋଜିତ ହୋଇଛି । ପୂର୍ବ ଅପେକ୍ଷା ପ୍ରତ୍ୟେକ ଅଧିବେଶନରେ ସାମାନ୍ୟ ଅଧିକ ସାଂସଦ ଉପସ୍ଥିତ ରହିଥିଲେ । ସାଂସଦମାନେ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ସଂସଦରେ ଉପସ୍ଥିତ ରହିଥିଲେ । ୨୪ ଘଣ୍ଟିଆ ଆରଟିପିସିଆର ସେବା ରହିଛି ବୋଲି ବାଚସ୍ପତି କହିଛନ୍ତି । ତେବେ ସାମ୍ୱାଦିକ ଏବଂ ସାଂସଦଙ୍କ ପାଇଁ ଆରଟିପିସିଆର ପରୀକ୍ଷା ବାଧ୍ୟତାମୂଳକ ନୁହେଁ ବୋଲି ଜଣାପଡ଼ିଛି । ମୋଟ୍ ଲୋକସଭା ସଦସ୍ୟଙ୍କ ମଧ୍ୟରୁ ୩୧୧ ସାଂସଦ ଉଭୟ ଡୋଜ ନେଇଛନ୍ତି । ୨୩ ସାଂସଦ କରୋନା ହୋଇ ଆରୋଗ୍ୟ ହୋଇଥିବାରୁ ଏବେ ତାଙ୍କର ଟିକା ନେବାର ସମୟ ଆସିନାହିଁ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଅନ୍ତିମଥର କରୋନା ମହାମାରୀ ପାଇଁ ଶୀତକାଳୀନ ଅଧିବେଶନ ରଦ୍ଧ ହୋଇଥିଲା । ପୂର୍ବ ଅଧିବେଶନ ଶେଷ ହେବା ପୂର୍ବରୁ କରୋନା ପାଇଁ ସଂସଦ ଆଗୁଆ ଶେଷ କରି ଦିଆଯାଇଥିଲା ।

Comments (0)
Add Comment