ନୂଆଦିଲ୍ଲୀ: ରନ୍ଧନ ଗ୍ୟାସ ଉପରୁ କେନ୍ଦ୍ର ସରକାର ସବସିଡି ଉଚ୍ଛେଦ କରିଛନ୍ତି । ଫଳରେ ମହଙ୍ଗା ହୋଇଛି । କାରଣ ସିଲିଣ୍ଡର ପିଛା ସରକାର ଯେଉଁ ସବସିଡି ଡିବିଟି ଜରିଆରେ ଦେଉଥିଲେ ତାହା ଆଉ ଦେଉନାହାଁନ୍ତି । ସେପ୍ଟେମ୍ବର ୧ସୁଦ୍ଧା ସବସିଡିଯୁକ୍ତ ଏବଂ ସବସିଡି-ରହିତ ୧୪ : ୨ କିଲୋଗ୍ରାମ ରୋଷେଇ ଗ୍ୟାସର ଦାମ ପାଖାପାଖି ସମାନ ୫୯୪ ଟଙ୍କା ରହିଛି । କରୋନା ମହାମାରୀ ବେଳେ ସବସିଡି ଏବଂ ଅଣ ସବସିଡି ଗ୍ୟାସର ଦାମ ପାଖାପାଖି ହେବା ପରେ ସରକାର ଗତ ଚାରିମାସ ହେବ ହିତାଧିକାରୀଙ୍କ ଆକାଉଂଟଙ୍କୁ କୌଣସି ନଗଦ ଟଙ୍କା ହସ୍ତାନ୍ତର କରି ନଥିବା ଜଣାପଡିଛି । କରୋନା ବେଳେ ଦେଶର ଅର୍ଥନୀତିକୁ ସ୍ଥିତି ଭୁଶୁଡି ପଡିଥିବା ବେଳେ ସବସିଡି ନଦେଇ ସରକାର ଚଳିତ ଆର୍ଥିକ ବର୍ଷରେ ୨୦,୦୦୦ କୋଟିରୁ ଅଧିକ ଟଙ୍କା ବଞ୍ଚାଇ ପାରିବେ । ସରକାର ୨୦୨୧ ଆର୍ଥିକ ବର୍ଷ ପାଇଁ ପେଟ୍ରୋଲିୟମ ସବସିଡି ଭାବରେ ୪୦,୯୧୫ କୋଟି ଟଙ୍କା ଆବଂଟନ କରିଛନ୍ତି । ଗତ ଆର୍ଥିକ ସରକାର ୩୮,୫୬୯ କୋଟି ଟଙ୍କା ଆବଂଟନ କରିଥିଲେ । ଏବେର ଆବଂଟନ ମୂଲ୍ୟ ପୂର୍ବ ତୁଳନାରେ ୬% ବୃଦ୍ଧି ହୋଇଛି । ତେବେ ଚଳିତ ଆର୍ଥିକ ବର୍ଷ ପାଇଁ ଏଲପିଜି ସବସିଡି ୩୭,୨୫୬.୨୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ତେବେ ପ୍ରଥମ ତ୍ରୟମାସର ମୋଟ ସବସିଡିରୁ ପ୍ରାୟ ୧,୯୦୦କୋଟି ଟଙ୍କା ସରକାର ସଞ୍ଚୟ କରିବାକୁ ଯୋଜନା କରିଛନ୍ତି ।ସୂଚନା ଯୋଗ୍ୟ,ପେଟ୍ରୋଲିୟମ ସାମଗ୍ରୀର ଦର ଦାମ ବିଶ୍ୱ ବଜାରରେ କମିବା ପଛରେ ବିଶ୍ୱ ତୈଳ ବଜାର ମୁଖ୍ୟତ ଦାୟୀ ବୋଲି କୁହାଯାଉଛି । ହେଲେ ତେଲ କମ୍ପାନୀଗୁଡିକ ସବସିଡିଯୁକ୍ତ ରନ୍ଧନ ଗ୍ୟାସର ମୂଲ୍ୟ ଏବେ ୫୯୪ ଟଙ୍କାକୁ ବଢାଇଛନ୍ତି । ପୂର୍ବ ବର୍ଷ ଜୁଲାଇରେ ସିଲିଣ୍ଡର ଦାମ କିନ୍ତୁ ୪୯୪.୩୫ ଥିଲା । ଯଦି ଏହି ବୃଦ୍ଧି ହୋଇନଥାନ୍ତା,୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ଶସ୍ତା ରହିଥାନ୍ତା । ଭାରତରେ ପ୍ରାୟ ୨୭.୭୬ କୋଟି ଏଲପିଜି ଗ୍ରାହକ ଅଛନ୍ତି । ଏଥିମଧ୍ୟରୁ ପ୍ରାୟ ୧.୫ କୋଟି ଡିସେମ୍ବର ୨୦୧୬ ଠାରୁ ଏଲପିଜି ସବସିଡି ପାଇବାକୁ ଯୋଗ୍ୟ ନୁହଁନ୍ତି । କାରଣ ସେମାନଙ୍କର ବାର୍ଷିକ ଟିକସଯୋଗ୍ୟ ଆୟ ୧୦ଲକ୍ଷରୁ ଅଧିକ ରହିଛି । ଏଥିରୁ ପ୍ରାୟ ୨୬.୧୨ କୋଟି ଗ୍ରାହକ ଡିବିଟି ଯୋଜନା ଜରିଆରେ ସବସିଡି ପାଉଥିଲେ । ସଦ୍ୟତମ ରିପୋର୍ଟ ଅନୁଯାୟୀ ୧୮କୋଟି ଗ୍ରାହକ ସବସିଡି ପାଇନାହାନ୍ତି । ସରକାର ଏବେ କେବଳ ଗରିବ ଲୋକଙ୍କୁ ସବସିଡି ଯୋଗାଇବା ଉପରେ ଧ୍ୟାନ ଦେଉଛନ୍ତି । କୋଭିଡ୍ ମହାମାରୀ ସମୟରେ ତିନୋଟି ମାଗଣା ଏଲପିଜି ସିଲିଣ୍ଡର ନେବାକୁ ଥିବା ପ୍ରାୟ ୮ କୋଟି ହିତାଧିକାରୀଙ୍କ ଆକାଉଂଟରେ ୯୭୦୯.୮୬ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି ।