ନୂଆଦିଲ୍ଲୀ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଛି ପ୍ରଥମ ପଦକ । ଆଉ ଦେଶ ପାଇଁ ଏହି ଗୌରବ ଆଣିଛନ୍ତି ମଣିପୁରର ୨୬ ବର୍ଷ ବୟସ୍କା ଭାରୋତୋଳନକାରୀ ମୀରାବାଈ ଚାନୁ । ସେ ଭାରୋତ୍ତୋଳନରେ ୪୯ କେଜି ବର୍ଗରେ ରୌପ୍ୟ ପଦକ ହାସଲ କରି ନୂଆ ଇତିହାସ ସୃଷ୍ଟି କରିଛନ୍ତି । ସେ ସ୍ନାଚ୍ରେ ୮୭ ଓ କ୍ଳିନ୍ ଆଣ୍ଡ ଜର୍କରେ ୧୧୫ କେଜି (ମୋଟ ୨୦୨ କେଜି)ଉଠାଇ ଏହି ବିରଳ ଇତିହାସ ସୃଷ୍ଟି କରିଛନ୍ତି । ମିରାବାଇଙ୍କ ରୌପ୍ୟ ପଦକ ହାସଲ ପରେ ପଦକ ତାଲିକାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ସୂଚନାଯୋଗ୍ୟ ଯେ, ଅଲମ୍ପିକ୍ ଇତିହାସରେ ଭାରତ କେବେ ହେଲେ ଦ୍ୱିତୀୟ ସ୍ଥାନରେ ରହିପାରିନଥିଲା ।
ଅଲିମ୍ପିକ୍ସରେ ଭାରୋତ୍ତୋଳନକାରୀ ଭାବେ ରୌପ୍ୟ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ । ସେହିପରି କର୍ଣ୍ଣମ ମାଲେଶ୍ୱରୀଙ୍କ ପରେ ସେ ହେଉଛନ୍ତି ମୀରାବାଈ ଚାନୁ ହେଉଛନ୍ତି ଦ୍ୱିତୀୟ ଭାରୋତ୍ତୋଳନକାରୀ ଯିଏ ଦେଶ ପାଇଁ ଅଲିମ୍ପିକ୍ସରେ ମେଡାଲ ଜିତିଛନ୍ତି । ଏହା ପୂର୍ବରୁ ୨୦୦୦ ମସିହାରେ ଅନୁଷ୍ଠିତ ସିଡ୍ନୀ ଅଲିମ୍ପିକ୍ସରେ କର୍ଣ୍ଣମ ମାଲେଶ୍ୱରୀ ବ୍ରୋଞ୍ଜ ପଦକ ଜିତିଥିଲେ ।
ମୀରାବାଈ ଚାନୁ ୪୮ କେଜି ଓ ୮୭ କେଜି ଓଜନକୁ ସଫଳତାର ସହିତ ଉଠାଇ ଦେଇଥିଲେ । କିନ୍ତୁ ୮୯ କେଜି ଉଠାଇବାରେ ବିଫଳ ହୋଇଥିଲେ । ତେଣୁ ସ୍ନାଚ୍ ରାଉଣ୍ଡରେ ସେ ଦ୍ୱିତୀୟ ସ୍ଥାନରେ ରହି ଯାଇଥିଲେ । ଅନ୍ୟପକ୍ଷରେ କ୍ଲିନ୍ ଓ ଜର୍କରେ ୧୧୫ କେଜି ଓଜନ ଉଠାଇ ମୀରାବାଈ ଚାନୁ ଅଲିମ୍ପିକ୍ସରେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି ।
୨୦୧୭ ବିଶ୍ୱ ଚାମ୍ପିଅନ୍ଶିପ୍ରେ ମୀରାବାଈ ଚାନୁ ସ୍ନାଚ୍ରେ ୮୭ କେଜି ଉଠାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଚଳିତ ବର୍ଷ ଏସୀୟ ଭାରୋତ୍ତୋଳନ ଚାମ୍ପିଅନ୍ଶିପ୍ରେ ସେ କ୍ଲିନ୍ ଆଣ୍ଡ ଜର୍କରେ ୧୧୯ କେଜି ଉଠାଇ ବିଶ୍ୱ ରେକର୍ଡ ତିଆରି କରିଥିଲେ । ସେ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।
ସୂଚନାଯୋଗ୍ୟ, ମୀରାବାଈ ରୌପ୍ୟ ପଦକ ଜିତିଥିବା ବେଳେ ଚୀନର ଝିହୁଇ ହୋଉ ସ୍ୱର୍ଣ୍ଣ ପଦକ ଓ ଇଣ୍ଡୋନେସିଆର ୱିଣ୍ଡି କ୍ୟାଣ୍ଟିକା ଐଶା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।
ଭାର
ମିରାବାଇଙ୍କୁ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଟ୍ୱିଟ ମିରାଙ୍କ ପଦକ ହାସଲ ଭାରତୀୟ ଖେଳାଳୀମାନଙ୍କ ପାଇଁ ପ୍ରେରଣାଦାୟକ ହେବ । କେନ୍ଦ୍ର କିଡ୍ରାମନ୍ତ୍ରୀ ଅନୁରାଗ ଠାକୁର ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ମିରାଙ୍କ ପାଇଁ ଭାରତ ଏକ ବିରଳ ଗୌରବର ଅଧିକାରି ହୋଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟଙ୍କ ମିରାଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ଯୁବ ପିଢ଼ିଙ୍କୁ ତାଙ୍କର ପଦକ ହାସଲ ପ୍ରେରଣା ଦେବ ।
ଅନ୍ୟପକ୍ଷରେ ରୌପ୍ୟ ପଦକ ହାସଲ କରିବା ପରେ ମିରା କହିଛନ୍ତି ଯେ, ତାଙ୍କର ସ୍ୱପ୍ନ ସାକାର ହୋଇଛି । ସେ ପଦକ ଦେଶକୁ ଉତ୍ସର୍ଗ କରିଛନ୍ତି । ଏଥି ସହ ସେ ଦେଶବାସୀଙ୍କୁ କୃତ୍ୱଜ୍ଞତା ଜ୍ଞାପନ କରିଛନ୍ତି ।