ନୂଆଦିଲ୍ଲୀ: ପାଗ ବିଗିଡିବା ସହ ଆଜି ସକାଳଠାରୁ ଦିଲ୍ଲୀ-ଏନସିଆରରେ ଲଗାଣ ବର୍ଷା ଲାଗିରହିଛି । ଗତ କିଛି ଦିନ ଧରି ଲଗାତାର ଭାବେ ବଢୁଥିବା ଉତାପରୁ ବର୍ଷା ଆରାମ ଦେଇଥିବା ବେଳେ ବର୍ଷା ଜଳ ପାଇଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରବଳ ବର୍ଷା ହେତୁ ଦିଲ୍ଲୀର ମିଂଟୋ ରୋଡ ଅଞ୍ଚଳରେ ଥିବା ଅଣ୍ଡରପାସ ଜଳବନ୍ଦୀ ହୋଇ ରହିଛି । ଏହି ସମୟ ମଧ୍ୟରେ ଅଣ୍ଡରପାସ ଦେଇ ଯାଉଥିବା ଏକ ଡିଟିସି ବସ୍ ପାଣିରେ ବୁଡି ଯାଇଥିବା ନେଇ ଖବର ମିଳିଥିବା ବେଳେ ବସ ଭିତରେ ସେ ସମୟରେ କୌଣସି ଯାତ୍ରୀ ନଥିବା ଜଣାପଡିଛି । ତେବେ ବସଟି ପାଣିରେ ବୁଡିଯିବା ପରେ ବସ ଚାଳକ ଏବଂ ତାଙ୍କ ସହଯୋଗୀ ବସ ଉପରକୁ ଆସିଯିବା ସହ ସେଠାରୁ ଦୁହିଁଙ୍କୁ ନିଶୁଣି ଲଗାଇ ଉଦ୍ଧାର କରାଯାଇଥିବା ଜଣାପଡିଛି । ଘଟଣା ସମୟର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ବସ ଚାଳକ ଏବଂ ତାଙ୍କ ସହଯୋଗୀଙ୍କୁ ଉଦ୍ଧାର କରାଯାଉଥିବା ଦେଖାଯାଇଛି । ପାଣିପାଗ ବିଭାଗର ସୂଚନାନୁସାରେ, ମୌସୁମୀ ଉତର ଆଡକୁ ଗତି କରିବ ଏବଂ ଆଗାମୀ ୩-୪ ଦିନ ପର୍ଯ୍ୟନ୍ତ ସ୍ଥିର ରହିବ । ଜୁଲାଇ ୧୯ରୁ ୨୧ ପର୍ଯ୍ୟନ୍ତ ଦିଲ୍ଲୀ ଏବଂ ଏହାର ସଂଲଗ୍ନ ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।