ସଂରକ୍ଷଣ ମୌଳିକ ଅଧିକାର ନୁହେଁ

ନୂଆଦିଲ୍ଲୀ,୧୧ ।୦୬(ଏଜେନ୍ସି): ସଂରକ୍ଷଣ ଅଧିକାର ମୌଳିକ ଅଧିକାର ନୁହେଁ ବୋଲି ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ତାମିଲନାଡ଼ୁର ମେଡ଼ିକାଲ କଲେଜଗୁଡ଼ିକରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ର ଆଶାୟୀମାନଙ୍କ ଲାଗି କୋଟାକୁ ନେଇ ଦାଖଲ ହୋଇଥିବା ପିଟିସନର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହା କହିଛନ୍ତି ।
ବିଚାରପତି ଏଲ.ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, କୌଣସି ସଂରକ୍ଷଣର ଅଧିକାରକୁ ମୌଳିକ ଅଧିକାର କୁହାଯାଇପାରିବ ନାହିଁ । ଏହା ଆଜିର ଆଇନ । ଏଥିପାଇଁ କୋଟାର ଲାଭ ପ୍ରଦାନ ନକରିବା କୌଣସି ସାମ୍ବିଧାନିକ ଅଧିକାରର ଉଲ୍ଳଂଘନ ବୋଲି ବିବେଚନା କରାଯାଇ ପାରିବନାହିଁ ।
ସିପିଆଇ, ଡ଼ିଏମ୍କେ ଏବଂ ଅନ୍ୟ ନେତାମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ପିଟିସନରେ କୁହାଯାଇଥିଲା ଯେ, ତାମିଲନାଡ଼ୁର ମେଡ଼ିକାଲ କଲେଜ ଗୁଡ଼ିକରେ ୫୦ ପ୍ରତିଶତ ସିଟ୍ ସ୍ନାତକ, ସ୍ନାତକୋତର ମେଡ଼ିକାଲ ଏବଂ ଦନ୍ତ ଚିକିତ୍ସା ୨୦୨୦-୨୧ ପାଠ୍ୟକ୍ରମଗୁଡ଼ିକ ପାଇଁ ସର୍ବଭାରତୀୟ କୋଟାରେ ସଂରକ୍ଷିତ ରଖିବା ଉଚିତ୍ । ପିଟିସନରେ ଦର୍ଶାଯାଇଥିଲା ଯେ, କେନ୍ଦ୍ର ସରକାରଙ୍କ ଅନୁଷ୍ଠାନଗୁଡ଼ିକୁ ଛାଡ଼ି ସମସ୍ତ ଓବିସି ପ୍ରାର୍ଥୀଙ୍କୁ ସର୍ବଭାରତୀୟ କୋଟା ଅନୁଯାୟୀ ଦିଆଯାଇଥିବା ସିଟ୍ ବାହାରେ ମେଡ଼ିକାଲ କଲେଜରେ ଆଡ଼ମିଶନ କରାଯିବା ଉଚିତ୍ । ଓବିସି ପ୍ରାର୍ଥୀଙ୍କୁ ଆଡ଼ମିଶନ ନକରିବା ସେମାନଙ୍କ ମୌଳିକ ଅଧିକାରର ଉଲ୍ଲଂଘନ । ସଂରକ୍ଷଣ ନହେବା ପର୍ଯ୍ୟନ୍ତ ନିଟ୍ ଅଧିନରେ କାଉନସେଲିଂ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍ ବୋଲି କୁହାଯାଇଛି ।
ମାତ୍ର ସୁପ୍ରିମ୍କୋର୍ଟ ପିଟିସନରେ କରାଯାଇଥିବା ଯୁକ୍ତି ଦ୍ୱାରା ପ୍ରଭରବିତ ହୋଇ ନଥିଲେ ଏବଂ ଆବେଦନକର୍ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ଯେହେତୁ ସଂରକ୍ଷଣ ମୌଳିକ ଅଧିକାର ନୁହେଁ, ତେବେ ଅନୁଛେଦ ୩୨ ଅଧିନରେ ପିଟିସନକୁ କିପରି ଗ୍ରହଣ କରାଯାଇପାରିବ? ଏହା ଦ୍ୱାରା କାହାର ମୌଳକ ଅଧିକାର ଉଲ୍ଳଂଘନ ହେଉଛିକି ? ଅନୁଛେଦ ୩୨ କେବଳ ମୌଳିକ ଅଧିକାର ଉଲ୍ଳଂଘନ ପାଇଁ ଉପଲବ୍ଧ । ଆମେ ବିଶ୍ୱାସ କରୁ ଯେ, ଆପଣ ସମସ୍ତେ ତାମିଲନାଡ଼ୁର ନାଗରିକମାନଙ୍କ ମୌଳିକ ଅଧିକାର ପାଇଁ ଆଗ୍ରହୀ । କିନ୍ତୁ ସଂରକ୍ଷଣ ଅଧିକାର ମୌଳିକ ଅଧିକାର ନୁହେଁ ବୋଲି ସୁପ୍ରିମକୋର୍ଟ କହିଥିଲେ ।

Comments (0)
Add Comment