ହିମାଚଳରେ ଗର୍ଭିଣୀ ଗାଈକୁ ଅଟାଗୁଳାରେ ବାଣ ଖୁଆଇଦେଲେ

ବିଳାସପୁର,୭ ।୦୬(ଏଜେନ୍ସି): କେରଳ ପରେ ହିମାଚଳପ୍ରଦେଶର ବିଳାସପୁର ଜିଲ୍ଲାରେ ପୁଣି ଏକ ବର୍ବରତା ଦେଖିବାକୁ ମିଳିଛି । ଏକ ଗର୍ଭିଣୀ ଗାଈକୁ ଅଟାଗୁଳାରେ ବାଣ ଖୁଆଇ ଦିଆଯାଇଛି । ଫଳରେ ଗାଈଟିର ପାଟିରେ ଗଭୀର ଆଘାତ ଲାଗିଛି । ଗାଈର ଦାନ୍ତ ଏବଂ ମାଢ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗାଈଟି କିଛି ଖାଇପାରୁ ନଥିବା ବେଳେ କଷ୍ଟରେ ଛଟପଟ ହେଉଛି । ଗତ ୧୦ ଦିନ ତଳୁ ଏହି ଘଟଣା ଘଟିଥିଲେ ମଧ୍ୟ ଏବେ ଏହା ଲୋକଲୋଚନକୁ ଆସିଛି ଏବଂ ପୋଲିସ ଉକ୍ତ ଘଟଣାରେ ଏକ ମାମଲା ରୁଜୁ କରିଛି ।


ଗାଈଟିର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଗାଈର ମାଲିକ ଗୁରଡିଆଲ୍ ସିଂହ ଉକ୍ତ ମାମଲାରେ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ କର୍ତୃପକ୍ଷଙ୍କ ସହଯୋଗ ଲୋଡ଼ିଛନ୍ତି । ଗୁରଡିଆଲ କହିଛନ୍ତି, ତାଙ୍କ ଗାଈ ଏକ ପଡ଼ିଆରେ ଚରୁଥିବା ବେଳେ ତାକୁ ବାଣ ଖୁଆଇ ଦିଆଯାଇଛି । ତାଙ୍କର ଜଣେ ପଡେ଼ାଶୀ ଉଦ୍ଦେଶ୍ୟମୂଳକ ଭାବେ ଏଭଳି କାର୍ଯ୍ୟ କରିଛି ବୋଲି ସେ ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ଗାଈର ଭିଡିଓ ଭାଇରାଲ୍ ହେବା ପରେ ପୋଲିସ ଉକ୍ତ ଘଟଣାରେ ଏକ ମାମଲା ରୁଜୁ କରିଛି ଏବଂ ଘଟଣାରେ ତଦନ୍ତ ଆରମ୍ଭ କରିଦେଇଛି । ଉଲ୍ଲେଖଯୋଗ୍ୟ କେରଳର ପଲାକ୍କଡ଼ରେ ଏକ ଗର୍ଭିଣୀ ହାତୀକୁ ସପୁରୀରେ ବାଣ ଖୁଆଇ ହତ୍ୟା କରିବା ଘଟଣା ଏବେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ପୁଣିଥରେ ହିମାଚଳରେ ସମାନ ଘଟଣା ଘଟିଛି ।

Comments (0)
Add Comment