ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଜାରି ରହିଥିବା ସୀମା ବିବାଦକୁ ନେଇ ଆଜି ଦୁଇ ଦେଶ ମଧ୍ୟରେ ୪ର୍ଥ ପର୍ଯ୍ୟାୟ କମାଣ୍ଡର ସ୍ତରୀୟ ଆଲୋଚନା ଲଦାଖର ଚୁଶୁଲରେ ଦିର୍ଘ ୧୪ ଘଂଟାରୁ ଅଧିକ ସମୟ ଧରି ଅନୁଷ୍ଠିତ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଜଣାପଡିଛି । ଗତକାଲି ପୂର୍ବାହ୍ନ ସାଢେ ୧୧ଟାରେ ବୈଠକ ବସିଥିବାବେଳେ ରାତି ପ୍ରାୟ ୨ଟାରେ ଏହା ଶେଷ ହୋଇଥିବା ଜଣାପଡିଛି । ତେବେ ସୂଚନା ଅନୁସାରେ, ଆଲୋଚନା କାଳରେ ଦୁଇ ପକ୍ଷ ପ୍ରକୃତ ନିୟନ୍ତ୍ରଣ ରେଖା ( ଏଲଏସି)ରୁ ପର୍ଯ୍ୟାୟକ୍ରମେ ନିଜ ନିଜର ସୈନ୍ୟମାନଙ୍କୁ ପଛକୁ ନେବା ସମ୍ପର୍କରେ କଥା ବାର୍ତା ହୋଇଛନ୍ତି । ଡେପସାଙ୍ଗ ଫିଙ୍ଗର ଅଞ୍ଚଳରେ ଉତେଜନା ହ୍ରାସ କରିବା ଏବଂ ଅସ୍ତ୍ରଶସ୍ତ୍ର ପ୍ରତ୍ୟାହାର ନେଇ ମଧ୍ୟ ଆଲୋଚନା ହୋଇଛି ।ଭାରତୀୟ ପ୍ରତିନିଧିଙ୍କ ପକ୍ଷରୁ ମେ ୫ ପୂର୍ବରୁ ପୂର୍ବ ଲଦାଖର ସମସ୍ତ ଅଞ୍ଚଳରେ ଯେଉଁଭଳି ସ୍ଥିତି ରହିଥିଲା ତାହାକୁ ପୁନର୍ବାର ଫେରାଇ ଆଣିବାକୁ ଜୋର ଦିଆଯାଇଥିଲା । ଚୀନର ନୂଆ ଦାବିଗୁଡିକୁ ନେଇ ଯେଉଁ ପରିସ୍ତିତି ଉପୁଜିଛି ସେ ସମ୍ପର୍କରେ ବି ଅବଗତ କରାଯାଇଥିଲା । ପେନ୍ଗୋଭ୍ଗ ସୋ ହ୍ରଦ ସମେତ ଅନେକ ଅଞ୍ଚଳରୁ ଚୀନ ସୈନିକମାନଙ୍କୁ ତୁରନ୍ତ ଫେରାଇନେବାକୁ ଭାରତ ଦାବି କରିଥିବା ଜଣାପଡିଛି । ମାତ୍ର ଆନୁଷ୍ଠାନିକ ଭାବେ କୌଣସି ଅଧିକାରୀ ଏ ସମ୍ପର୍କରେ କିଛି ସୂଚନା ଦେଇନାହାନ୍ତି । ଏହା ପୂର୍ବରୁ ଜୁନ୍ ୬, ଜୁନ୍ ୨୨ ଏବଂ ଜୁନ୍ ୩୦ରେ ଦୁଇ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ କଥାବାର୍ତା ସମ୍ପନ୍ନ ହୋଇଛି ।