୩୦ ବର୍ଷ ହେଲା ଚାଲି ଚାଲି ଚିଠି ଦେଉଛନ୍ତି ବୃଦ୍ଧା ପୋଷ୍ଟମ୍ୟାନ୍

ଚେନ୍ନାଇ- ସହଯୋଗ କରିବାର ଇଚ୍ଛା ଥିଲେ ସବୁକିଛି ଆପେ ଆପେ ହୋଇଯାଇଥାଏ । ଘଂଚ ଜଙ୍ଗଲରେ ଯିବା ଯେତିକି ବିପଦପୂର୍ଣ୍ଣ ସେତିକି କଷ୍ଟସାଧ୍ୟ । ହେଲେ ତାମିଲନାଡୁର ଜଣେ ବୃଦ୍ଧା ପୋଷ୍ଟମ୍ୟାନ୍ ଘଂଚ ଜଙ୍ଗଲକୁ ଖାତିର ନ କରି ଦୀର୍ଘ ୧୫ କିମି ରାସ୍ତାକୁ ପାଦରେ ଅତିକ୍ରମ କରି ଲୋକଙ୍କ ପାଖରେ ଚିଠି ପହଂଚାଇ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି । ମାସେ ନୁହେଁ କି ବର୍ଷେ ନୁହେଁ ବରଂ ୩୦ ବର୍ଷ ହେଲାଣି ବୃଦ୍ଧ ଜଣକ ଦୈନିକ ୧୫ କିମି ରାସ୍ତା ଚାଲିଚାଲି ଅତିକ୍ରମ କରି ତାମିଲନାଡୁର ରିମୋଟ ଅଂଚଳରେ ରହୁଥିବା ଲୋକଙ୍କୁ ଚିଠି ଯୋଗାଇ ଦେଉଛନ୍ତି । ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସମସ୍ତେ ବୃଦ୍ଧ ଜଣଙ୍କର ତାଙ୍କ କାମ ପ୍ରତିଥିବା ନିଷ୍ଠାକୁ ପ୍ରଶଂସା କରିଛନ୍ତି । ଉକ୍ତ ବ୍ୟକ୍ତିଙ୍କ ନାଁ ଡି ଶିବନ । ସେ ଜଣେ ପୋଷ୍ଟମ୍ୟାନ୍ । ତାମିଲନାଡୁର କନୋର ଅଂଚଳରେ ଇଂଟରନେଟ କିମ୍ବା ଯୋଗାଯୋଗ ବ୍ୟବସ୍ଥା ନାହିଁ । ଏହା ଏକ ରିମୋଟ ଅଂଚଳ ହୋଇଥିବାରୁ ସହରର ଚକଚକିଆ ଜିନିଷ ଠାରେ ସ୍ଥାନୀୟ ଲୋକେ ବଂଚିତ । ତେବେ ଡି.ଶିବନ ସେମାନଙ୍କ ନିକଟରେ ପହଂଚି ଚିଠିପତ୍ର ଯୋଗାଇ ଦେଇଥାଆନ୍ତି । ଯେଉଁଥିପାଇଁ ତାଙ୍କୁ ଘଂଚ ଜଙ୍ଗଲ, ସରୁଆ ରାସ୍ତାକୁ ପ୍ରତିଦିନ ଚାଲିଚାଲି ଅତିକ୍ରମ କରିବାକୁ ପଡେ । ତେବେ ଜଙ୍ଗଲ ମଧ୍ୟରେ ଯିବା ବେଳେ ତାଙ୍କ ଜୀବନ ପ୍ରତି ବିପଦ ମଧ୍ୟ ରହିଛି । କାରଣ ଅନେକ ସମୟରେ ସେ ହାତୀ,ବଣୁଆ ଜୀବଜନ୍ତୁ ଓ ଭାଲୁଙ୍କ ଆକ୍ରମଣର ଶିକାର ମଧ୍ୟ ହୁଅନ୍ତି । ତଥାପି ସେ ଚାକିରି ପ୍ରତି ଥିବା ନିଜର କର୍ତବ୍ୟ ଓ ଲୋକଙ୍କ ସୁବିଧା ପାଇଁ ସେ ଏହାକୁ ଖାତିର କରନ୍ତି ନାହିଁ ।

Comments (0)
Add Comment