୨୧ ବର୍ଷ ହେବ ଝିଅଙ୍କ ବିବାହ ବୟସ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ସବୁ ଧର୍ମର ଯୁବକ ଓ ଯୁବତୀଙ୍କ ବିବାହର ସର୍ବନିମ୍ନ ବୟସ ସୀମା ୨୧ କରାଯାଉ । ଏ ଭଳି ଦାବି କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରି କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି । କେନ୍ଦ୍ର ସରକାର ଏହା ଉପରେ ଜବାର ରଖିବା ପରେ ଆସନ୍ତା ସପ୍ତାହରେ ମାମଲାର ପରବର୍ତୀ ଶୁଣାଣି କରାଯିବ । ଆବେଦନକାରୀ ଆହୁରି କହିଛନ୍ତି ଯେ ବାହାଘର ବୟସ ୨୧ ବର୍ଷ କରିବାକୁ ରାଜସ୍ଥାନ ଓ ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଆବେଦନ ଗୁଡ଼ିକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରାଯାଉ । ଏ ସମ୍ପର୍କରେ ମଧ୍ୟ ଜବାବ ଦେବାକୁ କେନ୍ଦ୍ରକୁ ନୋଟିସରେ କୁହାଯାଇଛି । ବିଭିନ୍ନ କୋର୍ଟରେ ମାମଲାର ଥିବାରୁ ଭିନ୍ନଭିନ୍ନ ରାୟ ଆସିବାର ସମ୍ଭାବନା ରହିଛି । ତେଣୁ ସୁପ୍ରିମକୋର୍ଟ ଏକକାଳୀନ ଏହାକୁ ଶୁଣାଣି କରିବାକୁ ଚାହୁଁଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମାମଲା ଶୁଣାଣି କରି ଏପରି ନୋଟିସ କରିଛନ୍ତି । ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ପୁଅ ଓ ଝିଅଙ୍କ ବିବାହ ବୟସ ୨୧ ବର୍ଷ କରିବାକୁ ଆବେଦନ କରିଛନ୍ତି । ଉପାଧ୍ୟାୟଙ୍କ ଆବେଦନ ଉପରେ ୨୦୧୯ ଅଗଷ୍ଟରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ନୋଟିସ କରିଥିଲେ । ରାଜସ୍ଥାନ ହାଇକୋର୍ଟ ମଧ୍ୟ ଏ ସଂକ୍ରାନ୍ତ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ । ସୂଚନାଯୋଗ୍ୟ, ବର୍ତମାନ ଦେଶରେ ଝିଅଙ୍କ ବିବାହର ସର୍ବନିମ୍ନ ବୟସ ୧୮ ବର୍ଷ ରହିଥିବା ବେଳେ ପୁଅଙ୍କ ବିବାହ ବୟସ ୨୧ ବର୍ଷ ରହିଛି ।

Comments (0)
Add Comment