ନୂଆଦିଲ୍ଲୀ : ଚୀନ୍ ପ୍ରକୃତ ନିୟନ୍ତ୍ରଣ ରେଖା ଅଂଚଳରୁ ୧୦ ହଜାର ସୈନିକ ଏବଂ ସମସ୍ତ ଯୁଦ୍ଧାସ୍ତ୍ର ହଟାଇବାକୁ ଭାରତ ଜଣାଇଛି। ଆଉ ଏକ ପର୍ଯ୍ୟାୟ କମାଣ୍ଡର ଜେନେରାଲସ୍ତରରେ ବୈଠକ ଅନୁଷ୍ଠିତ ହେବ । ଏହା ପୂର୍ବରୁ ସ୍ଥିତି ସ୍ବାଭାବିକ କରିବା ପାଇଁ ଏହା ବଡ଼ ପଦକ୍ଷେପ ହେବ ବୋଲି ଚୀନ୍ର ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍ଏ)କୁ ଭାରତ ଜଣାଇଛି। ପୂର୍ବ ଲଦାଖ୍ର ୩ଟି ଅଂଚଳରୁ ଚୀନ୍ ସେନା ୨.୫ କିମି ପଛକୁ ହଟିବା ସହ ଭାରତ ମଧ୍ୟ କିଛି ଦୂର ପଛକୁ ହଟିଛି। ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଶାନ୍ତି ଫେରାଇ ଆଣିବା ପାଇଁ ଚୀନ୍ ସମ୍ମୁଖରେ ଏହି ସର୍ତ୍ତ ରଖିଛି ଭାରତ । ଏହା କାର୍ଯ୍ୟକାରୀ ହେଲେ ହିଁ ଉଚ୍ଚସ୍ତରୀୟ ସାମରିକ କଥାବାର୍ତ୍ତାର ସୁଫଳ ମିଳିବ ବୋଲି ସ୍ପଷ୍ଟ କରିଦେଇଛି।
ଚୀନ୍ ଗତ ମାସକ ମଧ୍ୟରେ ପ୍ରାୟ ୧୦ ହଜାର ସୈନିକଙ୍କୁ ମୁତୟନ କରିବା ସହ ବିଭିନ୍ନ ଟ୍ୟାଙ୍କ, ତୋପ ଏବଂ ଅନ୍ୟ ଯୁଦ୍ଧାସ୍ତ୍ର ଆଣି ଠୁଳ କରିଥିଲା । ଏହା ସହିତ ପାର୍ବତ୍ୟାଞ୍ଚଳରେ ସମରାଭ୍ୟାସ ମଧ୍ୟ କରିଥିଲା। ଏହାର ଜବାବରେ ଭାରତ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିବାରୁ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଉପୁଜିଥିଲା।