୪୧ କୋଇଲା ଖଣିର ନିଲାମ ଶୁଭାରମ୍ଭ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଅଧୀନରେ ଗରୋଇ କ୍ଷେତ୍ର ପାଇଁ ୪୧ କୋଇଲା ଖଣିର ନିଲାମ ପ୍ରକ୍ରିୟା ଶୁଭାରମ୍ଭ କରିଛନ୍ତି। ଭାରତ କରୋନା ସହିତ ଲଢ଼େଇ କରିବ ଏବଂ ଆଗକୁ ବଢ଼ିବ। ଏହି ସଙ୍କଟ ଭାରତକୁ ଆତ୍ମନିର୍ଭରଶୀଳ ହେବାର ଶିକ୍ଷା ଦେଇଛି। ଦେଶବାଦୀଙ୍କୁ ଉଦବୋଧନ ଦେବା ଅବସରରେ ମୋଦୀ କହିଛନ୍ତି, ବିପର୍ଯ୍ୟୟ ସମୟରେ ଆଖିରୁ ଲୁହ ବୁହାଇବା ଭାରତର ପ୍ରକୃତି ନୁହେଁ। ଆମେ ଏହି କରୋନା ସଙ୍କଟକୁ ଅବସରରେ ବଦଳାଇବୁ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ,  ଆତ୍ମନିର୍ଭର ଭାରତ ଆମଦାନୀ ଉପରେ ନିଜର ନିର୍ଭରଶୀଳତାକୁ କମ୍‌ କରିବ। ଆମଦାନୀ ଖର୍ଚ୍ଚ ଉପରେ ହେବାକୁ ଥିବା ଲକ୍ଷ ଲକ୍ଷ କୋଟି ଟଙ୍କାର ବିଦେଶୀ ମୁଦ୍ରାକୁ ସଞ୍ଚୟ କରିବ। ଏଥିପାଇଁ ଦେଶରେ ହିଁ ଆବଶ୍ୟକ ଉତ୍ସଗୁଡ଼ିକର ବିକଶିତ କରାଯିବ।

ମୋଦୀ କହିଥିଲେ, ଆଜି ଶକ୍ତି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଲାଗି ଏକ ବଡ଼ ପଦକ୍ଷେପ ନିଆଯାଉଛି। ଆଜି ଆମେ କେବଳ ଘରୋଇ କ୍ଷେତ୍ର ପାଇଁ କୋଇଲା ଖଣି ନିଲାମର ଶୁଭାରମ୍ଭ କରୁନାହୁଁ, ବରଂ କୋଇଲା କ୍ଷେତ୍ରକୁ ଲକ୍‌ଡାଉନରୁ ବାହାରକୁ ବାହାର କରୁଛୁ। ଖଣିଜ କ୍ଷେତ୍ର ବିନା ଭାରତ ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ। କାରଣ ଖଣିଜ ଏବଂ ଖନନ ଆମ ଅର୍ଥବ୍ୟବସ୍ଥାର ମଜଭୁତ ସ୍ତମ୍ଭ। ଦେଶରେ ୧୬ ଏପରି ଜିଲା ରହିଛି, ଯେଉଁଠି କୋଇଲାର ବଡ଼ ବଡ଼ ଭଣ୍ଡାର ଅଛି। ଏହାର ଫାଇଦା ସେଠାକାର ଲୋକଙ୍କୁ ଯେତିକି ମିଳିବା  କଥା ସେତିକି ମିଳୁନାହିଁ ବୋଲି ମୋଦୀ କହିଥିଲେ।

Comments (0)
Add Comment