ଶ୍ରୀନଗର : ଭାରତ ଓ ଚୀନ ମଧ୍ୟରେ ବିବାଦ ବଢିଚାଲିଥିବାରୁ ସୀମାରେ ଉଭୟ ଦେଶ ନିଜର ସୈନିକ ସଂଖ୍ୟା ବଢାଇଚାଲିଛନ୍ତି । ସୂଚନା ଅନୁସାରେ ଚୀନ ପକ୍ଷରୁ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଟ୍ୟାଙ୍କ ଓ ଲଢୁଆ ବିମାନ ମୁତୟନ କରିବା ପରେ ଭାରତ ମଧ୍ୟ ଅନୁରୂପ ପଦକ୍ଷେପ ନେଉଛି । ଲଢୁଆ ବିମାନ ଓହ୍ଲାଇବା ଓ ଉଡ଼ାଣ ପାଇଁ କଶ୍ମୀର ଘାଟିରେ ଥିବା ଜାତୀୟ ରାଜପଥକୁ ଜରୁରୀକାଳୀନ ରନୱେ ଭାବେ ଉପଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଏଥିପାଇଁ ଜମ୍ମୁ ଓ କଶ୍ମୀରର ଅନନ୍ତନାଗସ୍ଥିତ ବିଜବିହାରା ଠାରେ ସାଢେ ୩ କିଲୋମିଟର ଲମ୍ବ ଏକ ଜରୁରୀକାଳୀନ ରନୱେର ନିର୍ମାଣ ଆରମ୍ଭ ହୋଇଛି । ଏନଏଚଏଆଇ ପକ୍ଷରୁ ଏବେ ଏହି ରନୱେ ପାଇଁ ମାଟିଖୋଳା ଆରମ୍ଭ ହୋଇଯାଇଛି । ଖୁବଶୀଘ୍ର ଏହି ରନୱେ ଭାରତୀୟ ବାୟୁସେନାର ବ୍ୟବହାର ଉପଯୋଗୀ ହୋଇଯିବ । ଏହା ସଂପୂର୍ଣ ହେବା ପରେ କଶ୍ମୀର ଘାଟିରେ ୩ୟ ରନୱେ ହେବ ।