ପାଲିଆମେଂଟର ଗୁରୁତ୍ୱପୂର୍ଣ୍ଣ ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ଚଳିତ ଶତାଦ୍ଧୀର ଏହା ପ୍ରଥମ ବଜେଟ ଅଧିବେଶନ ହୋଇଥିବା ବେଳେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ହ୍ରାସ ପରେ ଏହା ପ୍ରଥମ ଅଧିବେଶନ ହୋଇଥିବାରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ । କହିବା ବାହୁଲ୍ୟ କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଗତ ୨୦୨୦ ଆର୍ଥୀକ ବର୍ଷର ବଜେଟ ଅଧିବେଶନ ଅଧାରୁ ବନ୍ଦ ହୋଇଯାଇଥିବା ବେଳେ ପରବର୍ତୀ ଅଧିବେଶନ ଗୁଡିକ କରୋନା କଟକଣା ଏବଂ କାଟଛାଟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏପରିକି ପାର୍ଲିଆମେଂଟର ଶୀତକୋଳୀନ ଅଧିବେଶନ ଆଦୌ ଅନୁଷ୍ଠିତ ହୋଇ ନ ଥିଲା । କେବଳ ଏତିକି ନୁହେଁ, ମହାମାରୀ କରୋନା ଯୋଗୁଁ ଦେଶରେ ଜନଜୀବନ, ଜୀବନ-ଜୀବିକା ଠପ୍ ହୋଇଯାଇଥିବା ବେଳେ ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡ଼ିଛି । ସେହିପରି ଶିକ୍ଷା, ସ୍ୱାସ୍ଥ୍ୟ ସେବା ଠାରୁ ଆରମ୍ଭ କରି ନିର୍ମାଣ କ୍ଷେତ୍ର, ଉତ୍ପାଦନ ସବୁ କିଛି ଠପ୍ ହୋଇଯାଇଛି । ଆହୁରି ମଧ୍ୟ ଜୀବିକା ହରାଇ ଲକ୍ଷ ଲକ୍ଷ ଲୋକ ଯୁବକ-ଯୁବତୀ ବେରୋଜଗାରୀ ହୋଇ ଯାଇଛନ୍ତି । ପ୍ରକାଶିତ ଏକ ରିପୋର୍ଟରେ ଦେଶରେ ୧୧.୮ କୋଟି ଜୀବିକା ହରାଇଥିବା ବେଳେ ବେକାରୀ ସଂଖ୍ୟା ସର୍ବୋଚ୍ଚ ସ୍ତରରେ ପହଁଛି । ଶିକ୍ଷା ବ୍ୟବସ୍ଥା ଏପରି ସ୍ଥାଣ ପାଲଟି ଯାଇଛି ଯେ, ବର୍ତମାନ ସୁଦ୍ଧା ସ୍କୃଲ କଲେଜ ଠିକ୍ ଭାବେ ଖୋଲି ନାହିଁ । ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ୧୦ମାସରୁ ଉଦ୍ଧ୍ୱର୍ ସମୟ ଧରି ସ୍କୁଲ ବନ୍ଦ ରହିଛି । ମହାମାରୀ କରୋନା ସଂପୂର୍ଣ୍ଣ ଥମି ନ ଥିବା ବେଳେ ଏବେ ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି, ଯାହାକି ନିୟନ୍ତ୍ରଣାଧୀନ ରାହିଛି ବୋଲି କୁହାଯାଇପାରେ । ଏପରି ସମୟରେ ପାର୍ଲିଆମେଂଟର ବଜେଟ ଅଧିବେଶନ ଆରମ୍ଭ ହୋଇଛି ।
ମହାମାରୀ ମୁକାବିଲା ସହ ବିପର୍ଯ୍ୟୟ ଅର୍ଥନୀତି ଓ ଜୀବନ-ଜୀବିକା ସ୍ୱାଭାବିକ କରିବା ପାଇଁ ବଜେଟ ଅଧ୍ୟବେଶନର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଅସ୍ୱୀକାର କରାଯାଇ ନ ପାରେ । ଆସନ୍ତା ଫେବୃୟାରୀ ପହିଲାରେ ଅର୍ଥମନ୍ତ୍ରୀ ୨୦୨୧ଆର୍ଥୀକ ବର୍ଷର କେନ୍ଦ୍ରୀୟ ବଜେଟ ପାର୍ଲିଆମେଂଟର ଆଗତ କରିବେ, ଯେଉଁଥିରେ କି ଅର୍ଥନୀତି ଏବଂ ଅନ୍ୟ ସମସ୍ତ ବିଭାଗକୁ ସଜାଡିବା ତଥା ଚଳଂଚଳ କରିବା ପାଇଁ ଅର୍ଥମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଏ । ଏହା ସତ୍ୟ ଯେ, ଚଳିତ ବଜେଟ ଅଧିବେଶନ ଦେଶ ତଥା ଜନସାଧାରଣଙ୍କ ପାଇଁ ଅତୀବ ଗୁରୁତ୍ୱ ବହନ କରିଥିବା ବେଳେ ଅଧିବେଶନ ଯେ, ସୁରୁଖୁରୁରେ ଚାଲିବ, ସେପରି ଆଶା ବହୁତ କମ୍ । ପ୍ରଥମ ଦିନରୁ ହିଁ ଅଧିବେଶନ ଅତ୍ୟନ୍ତ ସରଗରମ ବା ଝଡପୂର୍ଣ୍ଣ ହେବା ସଂକେତ ପ୍ରଦାନ କରୁଛି । କୃଷି ଆଇନ ଉଚ୍ଛେଦ ଦାବିରେ ଗତ ଦୁଇ ମାସରୁ ଉଦ୍ଧ୍ୱର୍ ସମୟ ଧରି ଚାଷୀ ଆନେ୍ଦାଳନ, ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ହିଂସା, ସିଘୁଂ ସୀମାରେ ସଂଘର୍ଷ, ଆଇନ ଶୃଙ୍ଖଳା ପରିସ୍ଥିତି, ଦରଦାମ ବୃଦ୍ଧି, ବିଶେଷକରି ପୋଟ୍ରୋଲ ଡିଜେଲର ଅହେତୁକ ମୂଲ୍ୟ ବୃଦ୍ଧି ଏବଂ କୃଷି ଆଇନ ଉଚ୍ଛେଦ ଦାବିରେ ଅଧିବେଶନ ସରଗରମ ହେବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ।
ବଜେଟ ଅଧିବେଶନର ପ୍ରଥମ ଦିବସରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ୨୦ଟି ବିରୋଧ ଦଳର ବର୍ଜନ ଏହାର ଜ୍ୱଳନ୍ତା ଉଦାହରଣ । ଉଲେଖଯୋଗ୍ୟ ଯେ, ଗଣତନ୍ତ୍ର ପବିତ୍ର ମନ୍ଦିର ପାର୍ଲିଆମେଂଟ ହେଉ ବା ବିଧାନସଭା ହେଉ ହେଉଛି ଆଲୋଚନାର କ୍ଷେତ୍ର । ପାର୍ଲିଆମେଂଟ ହେଉ ବା ବିଧାନସଭା ହୋଉଛି ଆଲୋଚନାର କ୍ଷେତ୍ର । ପାର୍ଲିଆମେଂଟ ନିକଟରେ ସରକାର ଉତରଦାୟୀ ଥବାରୁ ଯେ କୌଣସି ସମସ୍ୟାର ସମାଧାନ କେବଳ ଆଲୋଚନା ଦ୍ୱାରା ସମ୍ଭବ । କୃଷି ଆଇନ ଏବଂ ଅନ୍ୟ ପ୍ରସଙ୍ଗକୁ ନେଇ ଦେଶ ସମ୍ନୁଖୀନ ହୋଇଥିବା ସମସ୍ୟାର ସମାଧାନ ଆଲୋଚନା ଦ୍ୱାରା ସମ୍ଭବ । ସଂସଦର ଅଧିବେଶନରୁ ଦେଶବାସୀ ବହୁତ କିଛି ଆଶା କରନ୍ତି । ଜନସାଧାରଣଙ୍କ ଆଶା ଆକାକ୍ଷା ପୁରଣ ପାଇଁ ଉଭୟ ଶାସକ ଓ ବିରୋଧି ଦଳ ମିଳିତ ଭାବେ କାର୍ଯ୍ୟକାରିବା ବର୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା । ମହାମାରୀ କରୋନା କବଳରୁ ଦେଶ ମୁକୁଳିବାକୁ ଯାଉଥିବା ବେଳେ ଏବଂ ଏହାର ପ୍ରଭାବରୁ ମୁକ୍ତ ହେବା ଲାଗି ଉଭୟ ଶାସକ ଓ ବିରୋଧି ଦଳ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ । ଅଧିବେଶନ ଫଳପ୍ରଦ ହେଉ ଏହାହିଁ ଦେଶବାସୀ ଆଶା କରନ୍ତି ।