ଅପରାଧ ସଂଖ୍ୟା ବୃଦ୍ଧି

ଏକପଟେ ଆମ ରାଜ୍ୟ ଓଡିଶାରେ କରୋନା ମହାମାରୀ ଦୀର୍ଘ ୧୦ ମାସ ଧରି ଏହାର କାୟା ବିସ୍ତାର କରିଚାଲିଥିଲା ବେଳେ ସ୍ୱାଭାବିକ ଚଳପ୍ରଚଳ ସର୍ବତ୍ର ବାଧା ପ୍ରାପ୍ତ ହୋଇଛି । ଏପରିକି ମହାମାରୀ ରୋକିବାଲାଗି ସରକାରୀ ସ୍ତରରେ ଗତ ମାର୍ଚ୍ଚ ମାସରୁ ବିଧିବଦ୍ଧ ଭାବେ ଲକଡାଉନ, ସଟ୍ଡାଉନ୍ ଆଦି ଲାଗୁ ହୋଇଥିବା ସହ ସାମାଜିକ ଦୁରତ୍ୱ ରକ୍ଷା କରିବା ନିମିତ ଅନେକ ସମୟରେ କଂଟେନ୍ମେଂଟ ଜୋନ୍ କରାଯାଇଛି । ଏପରିକି ସମଗ୍ର ଶିକ୍ଷାନୁଷ୍ଠାନ ବନ୍ଦ ରହିଆସିଛି ଓ ଏବେ ମଧ୍ୟ ତାହା ଖୋଲିନାହିଁ । ଆଗକୁ ନୂଆବର୍ଷ ପୂର୍ବରୁ ଖୋଲିବା ଆଶା କ୍ଷୀଣ ଥିଲାବେଳେ କେନ୍ଦ୍ର ସରକାର ଅନଲକ୍ ୬ ଘୋଷଣା ସହିତ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛନ୍ତି । ତେବେ ଛୋଟ ଛୋଟ ପିଲା ଓ କିଶୋରକିଶୋରୀ ମାନେ ସ୍କୁଲ କଲେଜ୍ରେ ପଢୁଥିବାରୁ ସେମାନେ ସାମାଜିକ ଦୁରତ୍ୱ ଶିକ୍ଷାନୁଷ୍ଠାନକୁ ଆସି ରକ୍ଷା କରିବା ଦୃରୁହ ବ୍ୟାପାର । ସେଥିଯୋଗୁଁ ବହୁ ରାଜ୍ୟ ଏଗୁଡିକ ଖୋଲିବା ସମ୍ଭାବନା ପ୍ରାୟତଃ ନାହିଁ । ସେପରି ସ୍ଥଳେ ଓଡିଶାରେ ଆଜିର ସ୍ଥିତି ଯାହା, ସେଥିରେ ଅନେକ ଚିକିତ୍ସାବିତ ଓ ଜୀବବିଜ୍ଞାନ ବିଶେଷଜ୍ଞଙ୍କ ମତ ହେଲା ଯେ, ରାଜ୍ୟରେ ଦ୍ୱିତୀୟ ବାର କରୋନା ଆକ୍ରମଣ କରିପାରେ । ଶୀତ ବଢିବା ସହ ଦ୍ୱିତୀୟ ଲହର ଆସିପାରେ । ତେବେ ସେ ଯାହା ହେଉନା କାହିଁକି, କରୋନା ମହାମାରୀ ଯୋଗୁଁ ସାମାଜିକ ବ୍ୟବସ୍ଥା ଏବେ ସମ୍ପୁର୍ଣ୍ଣ ଚାପଗ୍ରସ୍ତ । ସାମାଜିକ ବ୍ୟବସ୍ଥାରେ ଆଉ ପୂର୍ବ ପରି କେହି କାହା ଘରକୁ ଯିବା ଆସିବା କରିବା ଏବଂ ସାମାଜିକ ଉତ୍ସବ କରାଯିବା ଆଦିରୁ ପ୍ରାୟତଃ ସମସ୍ତେ ବିରତ ରହୁଛନ୍ତି । ସେପରି ସ୍ଥଳେ ଅଚାନକ ଭାବେ ରାଜ୍ୟର ପ୍ରାୟତଃ ସବୁ ଜିଲ୍ଲାରେ ଅପରାଧ ସଂଖ୍ୟା ବଢିଚାଲିଛି । ଏପରିକି ଗତ ୨୪ଘଂଟାରେ ବିଭିନ୍ନ ଖବରକାଗଜରେ ବାହାରିଥିବା ବଡ ଅପରାଧ ହେଲା, ବଲାଙ୍ଗୀର ଜିଲ୍ଲାର ପାଟନାଗଡରେ ସଅଁରାପଡା କୁସୁମତଲ ଠାରେ ଗୋଟିଏ ପରିବାରର ୬ଜଣଙ୍କୁ ହତ୍ୟା କରାଯାଇଛି । ଏହା କେବଳ ଗୋଟିଏ ବଡ ଅପରାଧ ବୋଲି କହିବା ଅନୁଚିତ୍ । ଆହୁରି ମଧ୍ୟ ଗଞ୍ଜାମ ଜିଲ୍ଲାର ପୁରୁଷୋତମପୁର ସହରର ଚାଙ୍ଗୁଡିଆ ପଦର ସାହିରେ ୩୦ ଦିନ ତଳେ ଯେପରି ଭାବେ ଜଣେ ସୂନା ଅଳଙ୍କାର ବ୍ୟବସାୟଙ୍କ ଘରୁ ୧କୋଟି ଟଙ୍କା ମୂଲ୍ୟର ସୁନା ଗ୍ରହଣା ଚୋରି ହୋଇଥିଲା, ସେ ସମ୍ପର୍କରେ ତଦନ୍ତ କରିବା ସହ ପୋଲିସ ପ୍ରାୟ ସଢେ ୬ କେ.ଜି ସୁନା ଓ ୪ଲକ୍ଷରୁ ଅଧିକ ଟଙ୍କା ଯବତ କରିବା ସହିତ ୧୦ଜଣ ଲୁଟେରାଙ୍କୁ ଗିରଫ କରିଛନ୍ତି । ଏପେରି ଖୋଦ ଭୁବନେଶ୍ୱରରେ ବୁଧ ବାର ରାତିରେ ଏକ ଦମ୍ପତି ଆସୁଥିବା ବେେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଛଡାଇ ନିଆଯାଇଛି । ଖଣ୍ଡଗିରିରେ ଥିବା ଜୟଦେବ ଭାଟିକା ମଧ୍ୟରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମଞ୍ଚେଶ୍ୱରରେ ମଧ୍ୟ ଟଙ୍କା ଆଦାୟ ଲାଗି ବାଇକ୍ ବାଜିଲା ବୋଲି କହି ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବା ଖବର ଗଣ ମାଧ୍ୟମରେ ପ୍ରକାଶ ପାଇଛି । ନୟାଗଡରୁ ନକଲି ଗୃହ ସଚିବଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱର ଷ୍ଟେସନରୁ ୨୦କେଜିରୁ ଅଧିକ ଗଞ୍ଜେଇ ଜବତ କରିବା ଘଟଣା ପ୍ରମାଣ କରୁଛି ଯେ, ଖୋଦ ରାଜଧାନୀର ରେଳ ଷ୍ଟେସନରୁ ଗଞ୍ଜେଇ ଚୋରାକାରବାର ହୋଇଥାଏ । ନକଲି ବସ୍ ଟିକେଟ୍ ବିକୁଥିଲା ଅଭିଯୋଗ ମଧ୍ୟ ଖଣ୍ଡଗିରିରେ କରାଯାଇଛି । ରେଳବାଇ ସ୍କ୍ରାପ୍ ଚୋରିକରୁଥିବା ଜଣେ ଯୁବକଙ୍କୁ ରାଜଧାନୀରୁ ଧରାଯାଇଛି । ଯଦି ଗୋଟିଏ ଦିନରେ କେବଳ ରାଜଧାନୀରେ ଏକାଧିକ ଅପରାଧ ଘଟେ ଓ ତା’ ପୁଣି ପୋଲିସ କମିଶନୋରେଟ ଥାଇ ଘଟିଚାଲେ ତେବେ ଅପରାଧୀମାନେ କାହାକୁ ବୋଧ ହୁଏ ଭୟ କରୁନାହାଁନ୍ତି । ତେବେ ଏଠାରେ ଆମର କହିବାର କଥା ହେଲା ଯେ, ପୋଲିସ କମିଶନୋରେଟ ପକ୍ଷରୁ ଯୋଜନାବଦ୍ଧଭାବେ ଅପରାଧକୁ ରୋକାଯାଉ । ବିଶେଷତଃ ରାତିର ପେଟ୍ରୋଲିଂକୁ ସୁଦୃଢ କରିବା ସହିତ ସପ୍ତାହେ ବା ୧୫ ଦିନରେ ଥରେ ଦୁଇଥର ନିଜେ ଡିସିପି ବା ପୋଲିସ କମିଶନର ନିଜେ ସପ୍ରାଇଜ୍ ଚେକିଂ କରନ୍ତୁ । ତାହା ହେଲେ କେଜାଣି ଅବସ୍ଥା ଓ ବ୍ୟବସ୍ଥା ସୁଧୁରି ପାରେ ।

Comments (0)
Add Comment