ଆମେ ଶୀର୍ଷରେ

କରୋନା ମହାମାରୀ ସାରା ବିଶ୍ୱରେ ଯେପରି ଅଚାନକଭାବେ ଜନସାଧାରଣଙ୍କୁ ଭୟଭିତ କରିଚାଲିଛି, ତାହା ସମସ୍ତଙ୍କୁ ବେଶ୍ ଜଣା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଆରମ୍ଭ କରି ଭାରତର ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ପର୍ଯ୍ୟନ୍ତ ବହୁ ଶୀର୍ଷ ବ୍ୟକ୍ତିତ୍ୱ ମଧ୍ୟ ଏଥୁରୁ ବାଦ ପଡିନାହାନ୍ତି । ଏହି ମହାମାରୀ ସହିତ ଦିନରାତି ଏକ କରି ରୋଗୀଙ୍କ ଚିକିତ୍ସାରେ ଅବିରତ ବ୍ୟସ୍ତଥିବା କେତେକ ଡାକ୍ତର ମଧ୍ୟ କରୋନା ଭାଇରସ ଯୋଗୁ ପ୍ରାଣ ହରାଇଛନ୍ତି । ଏବେ ବି ଏହି ମହାମାରୀ ସର୍ବତ୍ର ଏହାର ଉପସ୍ଥିତି ଜାହିର କରିଛି । ଆମେରିକାରେ ଲକ୍ଷାଧିକ ରୋଗୀ ପ୍ରାଣ ହରାଇସାରିଥିବା ବେଳେ ଭାରତରେ ୭୫ ଲକ୍ଷରୁ ଅଧିକ ଲୋକ ପଜେଟିଭରେ ଆକ୍ରାନ୍ତ ହୋଇସାରିଲେଣି । ଅବଶ୍ୟ ଚୀନ୍ର ହୁୱାନଠାରୁ ଆରମ୍ଭ ହୋଇଥିବା ଏହି ମହାମାରୀ ସେ ଦେଶରେ ଆଉ ଥିବାର ଜଣାପଡୁନଥିଲା ବେଳେ ଚୀନ୍ କିନ୍ତୁ ଦ୍ୱିତୀୟ ଓ ତୃତୀୟ ବାର ସଂକ୍ରମଣ ସମ୍ପର୍କରେ କରୁଥିବା ଘୋଷଣା କେତେ ଠିକ୍ ଓ କେତେ ଭୁଲ୍, ତାହା ଆକଳନ କରିବା କଷ୍ଟକର ବ୍ୟାପାର । ତେବେ ଆମ ଦେଶରେ ଆଇଆଇଟିର କେତେକ ବରିଷ୍ଠ ଅଧିକାରିଙ୍କ ସମେତ ଆଇସିଏମଆରର କେତେକ ବୈଜ୍ଞାନିକଙ୍କୁ ନେଇ କୋଭିଡ ସ୍ଥିତି ଜାଣିବାକୁ ‘ଇଣ୍ଡିଆନ୍ ନ୍ୟାସନାଲ ସୁପରମଡେଲ’ ବାହାର କରିବାକୁ କାର୍ଯ୍ୟରତସାରି ଯେଉଁ ଭବିଷ୍ୟବାଣୀ କରିଛନ୍ତି, ସେଥିରେ କୁହାଯାଇଛି ଯେ, ଭାରତରେ କରୋନା ସଂକ୍ରମଣ ଶୀର୍ଷ ବିନ୍ଦୁ ଛୁନଁସାରିଲାଣି । ଯଦି ସତର୍କତାମୂଳକ ପଦକ୍ଷେପ ଗୁଡ଼ିକୁ ଦେଶବାସୀ ଦାୟିତ୍ୱର ସହ ପାଳନ କରନ୍ତି, ତେବେ ୨୦୨୧ ଆରମ୍ଭ ହେବା ସୁଦ୍ଧା ମହାମାରୀ ସମ୍ପୁର୍ଣ୍ଣ ନିୟନ୍ତ୍ରଣାଧୀନ ହେବା ବିଚିତ୍ର ନୁହେଁ ତେବେ ପାର୍ବଣରୁତୁ ମଧ୍ୟରେ ଯଦି ସତର୍କତାମୂଳକ ପଦକ୍ଷେପ ଗୁଡିକର ବ୍ୟତିକ୍ରମ ହୁଏ ତେବେ ଶୀତ ପଡିବା ସହ ମହାମାରୀର ଦ୍ୱିତୀୟ ଲହର୍ ଦେଶରେ ଦେଖାଦେବା ଅସ୍ୱଭାବିକ ନୁହେଁ । କିନ୍ତୁ ଏହି କମିଟି ଦୃଢେ଼ାକ୍ତି ପ୍ରକାଶ କରି କହିଛି । କଟକଣାମାନିଲେ ନୂଆବର୍ଷର ଫେବୃଆରି ସୁଦ୍ଧା ସଂକ୍ରମଣ ନିମ୍ମଗାମୀ ହେବା ସହିତ ନିୟନ୍ତ୍ରିତ ହେବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ତେବେ ଏଠାରେ ଆମର କହିବାର କଥା ହେଲା ଯେ, ପାଶ୍ଚାତ୍ୟ ଦେଶ ଗୁଡ଼ିକରେ ଶୀତଋୁତୁ ସହିତ ସଂକ୍ରମଣ ବଢ଼ିଥିବାରୁ ଭାରତରେ ଏବେ ଶୀତଋୁତୁ ସହିତ କରୋନା ମହାମାରୀ ଯେ ନ ବଢ଼ିବ, ଏହାର ଗ୍ୟାରେଂଟି ଦେବ କିଏ, ଯାହା ହେଉଛି ଏକ ଅସମାହିତ ପ୍ରଶ୍ନ ।

Comments (0)
Add Comment