ଛାତ୍ରଛାତ୍ରୀଙ୍କ ମତାମତ ଅନୁଯାୟୀ ଶିକ୍ଷକଙ୍କ ଦକ୍ଷତାର ମୂଲ୍ୟାୟନ ହେବ । ଶିକ୍ଷା ବ୍ୟବସ୍ଥାକୁ କଡାକଡି ଯାଞ୍ଚ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ବିଶେଷତଃ ୯ମରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ କିପରି ଶିକ୍ଷାଦାନ ହେଉଚି ତାର ମାନ ଯାଞ୍ଚ ହେବ । ଏଥିପାଇଁ ଶିକ୍ଷକଙ୍କ ରିପୋର୍ଟ କାର୍ଡ ତଲବ ହେବ । ଏଥିରେ ଛାତ୍ରଛାତ୍ରୀ ମତାମତ ବା ଫିଡବ୍ୟାକ୍ ପ୍ରଦାନ କରିବେ । ପ୍ରତ୍ୟେକ ଶିକ୍ଷକ ଦକ୍ଷତା ନିମନ୍ତେ ସର୍ବାଧିକ ୧୦ ମାର୍କରୁ ସର୍ବନିମ୍ନ ୭.୫ ମାର୍କ ରଖିବାକୁ ହେବ । କମ ହେଲେ କୈଫୟିତ ତଲବ ହେବ ଏବଂ ନିର୍ଦ୍ଧାରିତ କମିଟି ଜରିଆରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗଣଶିକ୍ଷା ବିଭାଗ ସଂସ୍କାର ନାମରେ ନେଉଥିବା ଏହି ପଦକ୍ଷେପ ଶିକ୍ଷକଙ୍କ ଶିକ୍ଷାଦାନକୁ ଶିକ୍ଷାର୍ଥୀ ମୂଲ୍ୟାୟନ କରିବେ । ତାହେଲେ ପୂର୍ବରୁ ଶିକ୍ଷକଙ୍କ ପାଦଛୁଇଁ ପିଲା ଆଶୀର୍ବାଦ ନେଉଥିଲେ, ଏବେ ଛାତ୍ରଛାତ୍ରୀଙ୍କ ଗୋଡ ଧରି ଚାକିରି ବଞ୍ଚେଇବାକୁ ହେବ । କେବଳ ଯେ ପିଲାଙ୍କ ଗୋଡ ଧରିବାକୁ ହେବ ତାହା ନୁହେଁ, ଏଣିକି ଅଭିଭାବକମାନଙ୍କୁ ଖୋସାମତ କରିବାକୁ ହେବ । ପିଲା ସ୍କୁଲକୁ ନ ଆସିଲେ ମାଷ୍ଟର ଏବଂ ତାଙ୍କ ଉପର ଅଧିକାରୀ ଦାୟୀ ରହିବେ । ଆଉ ଛଅ ମାସ ଚାକିରି ଥିବା ଜଣେ ଶିକ୍ଷକ କହନ୍ତି ଅବସର ନେଲେ ନିସ୍ତାର ପାଇବେ ବୋଲି, ଏହା ନିତିଦିନର ରାମବାବୁଙ୍କ ଦୁନିଆରେ ଆଲୋଚନା ହୋଇଛି । ଏକଥା ନିଶ୍ଚିତ ଛାତ୍ର ଶିକ୍ଷକଙ୍କ ପବିତ୍ର ସମ୍ପର୍କ କଳୁଷିତ ହେବ
। ଗୁରୁ ଶିଷ୍ୟ ପରମ୍ପରାରେ ନକରାତ୍ମକ ପରିବେଶ ସୃଷ୍ଟି ହେବ ଏବଂ ପାଚେରୀ ଛିଡା ହେବ । ସରକାରଙ୍କ ଏହା ଏକ ଭୁଲ ନିଷ୍ପତ୍ତି, ଯାହା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମାନସିକ ଯନ୍ତ୍ରଣା ଦେବ । ସଂସ୍କୃତି ଓ ପରମ୍ପରା ଦୃଷ୍ଟିରୁ ଏହା ବିଡମ୍ବନା ବୋଲି ସଚେତନ ବୁଦ୍ଧିଜୀବୀମାନେ ମତ ଦେଉଛନ୍ତି । ଏଥିରେ ଗଣଶିକ୍ଷା ମନ୍ତ୍ରୀଙ୍କର ବାସ୍ତବତା ଅପେକ୍ଷା ଭାବପ୍ରବଣତା ଅଧିକ ରହୁଛି ବୋଲି କୁହାଯାଉଛି । ତେଣୁ ଭାବପ୍ରବଣତାର ସୁନିୟନ୍ତ୍ରଣ ଆବଶ୍ୟକ । ସ୍ୱଚିନ୍ତନ ଓ ମନର ଆବେଗକୁ ଶିକ୍ଷା ବ୍ୟବସ୍ଥାର ଯନ୍ତ୍ରଣାରେ ପରିଣତ କରା ନଯାଉ । ସମ୍ପର୍କରେ ନିବିଡତା ଓ ବିଶ୍ୱାସ ବଜାୟ ରଖିବାକୁ ହେବ । ତେବେ ଯାଇ ସଫଳତା ମିଳିବ । ସେଥିପାଇଁ ଗଭୀର ଆତ୍ମ ସଚେତନ ହୋଇ ସରକାରୀ ଶିକ୍ଷାର ଉନ୍ନତି ପାଇଁ ଧୈର୍ଯ୍ୟର ସହ ସମୀକ୍ଷା କରି ସଠିକ କାରଣ ଖୋଜିବା ନିହାତି ଜରୁରୀ । କାରଣ ଶିକ୍ଷକଙ୍କ ଦୋଷ ତୃଟିକୁ ଛାତ୍ରଛାତ୍ରୀମାନେ ଦର୍ଶାଇବାକୁ ଚାହାନ୍ତି ନାହିଁ । ଏଣୁ ଶିକ୍ଷକଙ୍କୁ ମୂଲ୍ୟାୟନ ଶିକ୍ଷାର୍ଥୀଙ୍କ ଦ୍ୱାରା କରିବା କେବେ ବି ଫଳପ୍ରସୂ ହେବ ନାହିଁ । ପୁଣି ଏହି ମୂଲ୍ୟାୟନ ସକାଶେ ଶିକ୍ଷକଙ୍କ ଉପରସ୍ତରରେ ବହୁ ଅଧିକାରୀ ଥିବାବେଳେ ଏଭଳି ପଦକ୍ଷେପ ସମୀଚୀନ ନୁହେଁ । ତାପରେ ଏଣିକି ଅଭିଭାବକମାନଙ୍କୁ ସିଧାସଳଖ ସ୍କୁଲ ସହ ଯୋଡା ହେବ ।