ଚାପରେ ବିଶ୍ୱ ନେତା


ଆଫ୍ଗାନସ୍ତାନରେ ତାଲିବାନ୍ କ୍ଷମତା ଦଖଲର ସପ୍ତାହେ ନ ପୂରୁଣୁ କିମ୍ବା ସେଭଳି କିଛି ପଦକ୍ଷେପ ନ ନେଉଣୁ ସାରା ବିଶ୍ୱରେ ଏ ନେଇ ନକରାତ୍ମକ ପ୍ରତିକ୍ରୀୟା ବଢିବାରେ ଲାଗିଲାଣି । ୨୦୦୧ ମସିହା ପୂର୍ବରୁ ତାଲିବାନି ଶାସନ-ମୁଖ୍ୟତ ସାରିଆ ଆଇନ୍ର ଯେଉଁ କୁପ୍ରଭାବ ମହିଳାଙ୍କ ଉପରେ ପଡିଥିଲା-ଏଥିଯୋଗୁଁ ତାଲିବାନକୁ କେହି ବିଶ୍ୱାସକୁ ନେଇପାରୁ ନାହାଁନ୍ତି । ମହିଳାଙ୍କ ଶିକ୍ଷା, ଦିକ୍ଷା, ସ୍ୱାଧିନତା ପାଇଁ ଲଢୁୁଥିବା ପ୍ରମୁଖ ମହିଳା ନେତ୍ରୀ, ସଂଗଠିକା ମାନେ ଏ ନେଇ ଏବେ ବିଶ୍ୱର ପ୍ରମୁଖ ରାଷ୍ଟ୍ରନେତା, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ଉପାୟରେ ଚାପ ପ୍ରୟୋଗ କରିବାରେ ଲାଗିଛନ୍ତି । ଯାହାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ହୁଅନ୍ତୁ ବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବା ଜାତିସଂଘ ମହାସଚିବ ଆଂଟୋନିଓ ଗୁଟେରସ୍ ସମସ୍ତେ ଦ୍ୱୀଧାରେ ପଡିଛନ୍ତି । ଏ କ୍ଷେତ୍ରରେ ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମାଲାଲା ୟୁସୁଫଜାଇ, ଗାନ୍ଧୀବାଦୀ ନେତା ଅବଦୁଲ ଗଫର ଖାନ୍ଙ୍କ ନାତୁଣୀ ତଥା ସର୍ବଭାରତୀୟ ପଖତୁନ୍ ଜିର୍ଗା-ଇ-ହିନ୍ଦର ଅଧ୍ୟକ୍ଷା ୟାଣମିନ୍ ନିଗାର ଖାନ୍ଙ୍କ ଭିନ୍ନ ଭିନ୍ନ ବିଶ୍ୱନେତାଙ୍କୁ ବିଭିନ୍ନ ଉପାୟରେ କରିଥିବା ଦୃଷ୍ଟି ଆକର୍ଷଣ ଚର୍ଚ୍ଚାର ବିଷୟ ପାଲଟିଛି । ତାଲିବାନଙ୍କ ପୁନଃ କ୍ଷମତା ଦଖଲକୁ ଏକ ଗମ୍ଭୀର ମାନବ ସଙ୍କଟ ବୋଲି ଆକ୍ଷାୟିତ କରିଛନ୍ତି । ସେପଟେ ୟାଶମିନ୍ ଉଦ୍ବେଗ ପ୍ରକାଶ କରି ତାଲିବାନ କୌଣସି ପରିସ୍ଥିତିରେ ଭରସା ଯୋଗ୍ୟ ନୁହଁନ୍ତି ବୋଲି କହିଛନ୍ତି । ଆମେରିକା ରାଷ୍ଟ୍ରପତି ବାଇଡେନ୍-ନିଜ ନିଷ୍ପତିର ପୁନଃବିଚାର କରି ଆଫଗାନୀଙ୍କ ସୁରକ୍ଷା ପାଇଁ ଦୃଢ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ଆଉ ୟାଶମିନ୍-ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଆଫଗାନ ଲୋକଙ୍କୁ ସାହାର୍ଯ୍ୟ ଭିକ୍ଷା କରିଛନ୍ତି । ମହିଳା ନେତ୍ରୀମାନଙ୍କର ଏଭଳି ଚାପ ପ୍ରୟୋଗକୁ ପଶମିତ କରିବାକୁ ଗତ ମଙ୍ଗଳବାର ତାଲିବାନ୍ ମହିଳାଙ୍କୁ କର୍ମକ୍ଷେତ୍ରକୁ ଫେରିବାକୁ କହିଛି । ଏପରିକି ସେମାନେ ମହିଳା ଅଧିକାରକୁ ସମ୍ମାନ ଦେବେ ବୋଲି କହିଛନ୍ତି । କିନ୍ତୁ କେହି ଏକଥାକୁ ବିଶ୍ୱାସକୁ ନେଇପାରୁନାହାଁନ୍ତି । ବରଂ ତାଲିବାନ କମାଣ୍ଡୋଙ୍କ ଏହି ଛବି ସୁଧାରିବା ପ୍ରକ୍ରିୟା ଲୋକଦେଖାଣିଆ ବୋଲି କୁହାଯାଉଛି । ୧୯୯୬ ମସିହାରେ ଆଫଗାନିସ୍ତାନ ଦଖଲ ସମୟରେ ତାଲିବାନ ଯେପରି ନିନ୍ଦିତ ହୋଇଥିଲେ ଏବେ ସେ କଳଙ୍କ ପୋଛିବା ଚିନ୍ତାରେ କୁଟନୀତିକୁ ଗୁରୁତ୍ୱ ଦେଉଛି । ସରକାରୀ କର୍ମଚାରୀଙ୍କୁ ସର୍ବକ୍ଷମା ପ୍ରଦାନର ଲୋଭ ଦେଖାଇ ସମେସ୍ତ କର୍ମକ୍ଷେତ୍ରଙ୍କୁ ଫେରିବାକୁ ନୂଆ ତାଲିବାନ ସରକାର ଅନୁରୋଧ କରିଛି । ନିଜର ଫାଇଦା ପାଇଁ ପାକିସ୍ତାନ, ଚାଇନା-ତାଲିବାନକୁ ଖୋଲା ସମର୍ଥନ କଲେଣି । ରୁଷିଆ ଦୋ-ଦୋ-ପାଞ୍ଚ ନୀତିରେ ତାଲିବାନକୁ ସମର୍ଥନ କରିବାକୁ ପଛେଇ ନାହିଁ । କିନ୍ତୁ ଏହା ତାଲିବାନଙ୍କ ପ୍ରତି ବିଶ୍ୱାସନୀୟତା ଫେରାଇବାକୁ ଯଥେଷ୍ଟ ନୁହେଁ । ବରଂ ନାରୀ ନେତ୍ରୀଙ୍କ ସମେତ ଜାତିସଂଘ ମହାସଚିବ ଆଂଟୋନିଓ ଦେଇଥିବା ବୟାନ ଏବେ ବିଶ୍ୱସ୍ତରୀୟ ନେତାଙ୍କ ଉପରେ ଚାପ ସୃଷ୍ଟି କରିଛି । ଆଂଟୋନିଓ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ର-ଆଫଗାନିସ୍ତାନରେ ନାଗରିକଙ୍କ ସୁରକ୍ଷା ପାଇଁ ତାଲିବାନକୁ ପ୍ରଭାବିତ କରନ୍ତୁ । ଏହା ଏବେ ବିଶ୍ୱନେତାଙ୍କ ଚିନ୍ତା ବଢାଇଛି । ତେବେ ବାଟ କ’ଣ କେହି କିଛି ରାହା ପାଉନାହାଁନ୍ତି । ବାଟ କାଢି ତାଲିବାନଙ୍କ ଉପରେ ଚାପ ପ୍ରୟୋଗ କଲେ ସେମାନେ ଶୁଣିବେ ତ ଏହି ଚିନ୍ତା ଅଧିକ ଘାରୁଛି । ଦରକାର ପଡିଲେ ଆନ୍ତର୍ଜାତିକ ସମୁଦାୟ ଏକାଠି ହୋଇ ହେଉଥିବା ଆର୍ଥିକ ସାହାର୍ଯ୍ୟ ବନ୍ଦ ଧମକ ଦେବାକୁ ମତପ୍ରକାଶ ପାଉଛି । କିନ୍ତୁ ମଧ୍ୟ ଯୁଗୀୟ ଚିନ୍ତାଧାରାରୁ ବାହାରୁ ନଥିବା ତାଲିବାନଙ୍କ ପାଇଁ ବିକାଶ ବଡ ପ୍ରଶ୍ନ ତ ? ପ୍ରକୃତରେ ଆଫ୍ଗାନସ୍ତାନରେ ନିର୍ମାଣ ହେଉ, ସେମାନେ ଆଧୁନିକତାର ଆଲୋକ ଦେଖନ୍ତୁ-ତାହା ତାଲିବାନ ଚାହାଁନ୍ତି ତ-ନ ହେଲେ ଆର୍ଥିକ କଟକଣା ଧମକ କେତେ ଦୂର ଫଳପ୍ରଦ ହେବ ? ତେବେ ସେ ଯାହା ବି ହେଉ-ମାଲାଲାଙ୍କ ଭାଷାରେ ଏହି ଗମ୍ଭୀର ମାନବ ସଙ୍କଟ ବିଶେଷ କରି ନାରୀ ସୂରକ୍ଷା, ସ୍ୱାଧୀନତା ରକ୍ଷା ପାଇଁ ବିଶ୍ୱ ସମୁଦାୟ ତୁରନ୍ତ ବାଟ ଫିଟାଇବା ଉଚିତ୍ । ବିଶ୍ୱସ୍ତରୀୟ ନେତା ସ୍ୱତନ୍ତ୍ର ଭାବେ ଆଲୋଚନା କରି ତାଲିବାନକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ହେବ । ନ ହେଲେ ଏହି ଭୟଙ୍କର ମାନବ ସଙ୍କଟ ଆସନ୍ତା ଦିନରେ ଉଗ୍ରହୋଇ ସାରା ଆଫ୍ଗାନିସ୍ତାନକୁ ଛାର ଖାର କରିଦେବ ।

Comments (0)
Add Comment