ଚାଷର ଉନ୍ନତି କଳ୍ପେ ଓ ଚାଷୀମାନଙ୍କ ବିକାଶ ଲାଗି କେନ୍ଦ୍ର ସରକାର ୩ଟି ନୂତନ କୃଷି ଆଇନ ପ୍ରଣୟନ କରିଛନ୍ତି । ଅନ୍ତତ ଏଥିରେ ଚାଷୀମାନେ ଅଧିକ କ୍ଷତିଗ୍ରସ୍ତ ହେବା ଯୁକ୍ତି ଏକାଧିକ କୃଷକ ସଂଗଠନ ପକ୍ଷରୁ ଦର୍ଶାଯାଇଛି । ଏପରିକି ପଞ୍ଜାବ, ରାଜସ୍ତାନ, ସମେତ ଅନେକ ରାଜ୍ୟର କୃଷକମାନେ ନୂଆ ଆଇନ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ବିଭିନ୍ନ ଅଂଚଳରୁ ଆନ୍ଦୋଳନକାରୀମାନେ ଦିଲ୍ଲୀକୁ ଆସି ନିଜ ନିଜରତ୍ଥତଥା ନିଜ ଅଂଚଳର ଚାଷୀଙ୍କୁ ସେମାନଙ୍କ ହକ୍ ମିଳିବା ନେଇ ଏଠାରେ ଆନ୍ଦୋଳନ କରିଥିଲେ ହେଁ ଏହାର ପ୍ରଭାବ ଓଡ଼ିଶା ଉପରେ ଅଦୌ ପଡିନାହିଁ । ତେବେ, ଗୋଟିଏ କଥା କୁହାଯାଇପାରେ ଯେ, ଆନ୍ଦୋଳନକୁ ମାଧ୍ୟମ କରି ଓଡ଼ିଶାରେ ବିଭିନ୍ନ ରାଜନୈତିକ ଦଳ ସମ୍ପ୍ରତି ସେମାନଙ୍କ ଗୋଟି ଚଳାଇବା ଆରମ୍ଭ କରିଛନ୍ତି । ଏପରିକି ତିନି ପ୍ରମିଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବିବୃତି କହେ, ସବୁ ଦଳର ଚାଷୀଙ୍କ ପ୍ରତି ଦରଦ ରହିଛି । କିନ୍ତୁ ଚାଷୀ ଆନ୍ଦୋଳନକୁ କେନ୍ଦ୍ରକରି ଉପରୋକ୍ତ ତିନି ଦଳ ଏବେ ସେମାନଙ୍କ ରାଜନୈତିକ ଗୋଟି ଚଳାଇବାକୁ ଉଦ୍ୟମ ହେଉଥିବା ଅନୁଭବ କରାଯାଏ । ଏ ସମ୍ପର୍କରେ ବିଜେଡି ପକ୍ଷରୁ ପ୍ରତିକ୍ରୟା ପ୍ରକାଶ କରି ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷୟ କହିଛନ୍ତି ଯେ, ସ୍ୱାମିନାଥନ କମିଟି ସୁପାରିଶକୁ ଲାଗୁକରିବା ପାଇଁ ବିଜେଡି ପକ୍ଷରୁ କେନ୍ଦ୍ରକୁ କୁହାଯାଇଛି । ଆମେ ସଦାବେଳେ ଚାଷୀଙ୍କ ସହ ରହିଛୁ । ଅନ୍ୟପକ୍ଷରେ ଆମେ ଚାହୁଁ ଚାଷୀଙ୍କୁ ନ୍ୟାୟମିଳୁ । ତେବେ କଂଗ୍ରେସ ପକ୍ଷରୁ ବିଧାୟକ ତାରାକାନ୍ତ ବାହିନୀପତି ପ୍ରକାଶ କରିଛନ୍ତି ଯେ, ତାଙ୍କ ଦଳ ସର୍ବଦା ଚାଷୀକୂଳ ପଛରେ ରହିଆସୁଛି ଓ ରହିବ । ଅନ୍ୟପକ୍ଷରେ ବିଜେପିର ପ୍ରଦୀପ ପୁରୋହିତ କହିବା ଅନୁଯାୟୀ ଦେଶର ୭୦ ପ୍ରତିଶତ ଚାଷୀଙ୍କ ସ୍ୱାର୍ଥ ରକ୍ଷାଲାଗି ନୂତନ ଭାବେ କୃଷି ଆଇନ ସଂଶୋଧିତ ଢ଼ଙ୍ଗରେ ଆଣାଯାଇଛି ।
ତେବେ ଏଠାରେ ଆମର କହିବାର କଥା ହେଲା ଯେ, ଯଦି ଆନ୍ଦୋଳନ ଚାଷୀଙ୍କ ସ୍ୱାର୍ଥରକ୍ଷା ଲାଗି ହେଉନାହିଁ ଏବଂ ଦଲାଲ ଓ ମଧ୍ୟସ୍ଥିମାନେ ଏହା ପଛରେ ଅଛନ୍ତି, ତେବେ ପଞ୍ଜାବର ଜେଲ ବିଭାଗ ଡିଆଇଜି ଲଖମିନ୍ଦ୍ରର ସିଂ ଆଜି ଚାଷୀ ଓ ସେମାନଙ୍କ ଆନ୍ଦୋଳନକୁ ସମର୍ଥନ କରି ବରିଷ୍ଠ ପଦବୀରୁ ଇସ୍ତଫା ଦେଲେ କାହିଁକି? ଯଦି ଏଥିରେ ଚାଷୀଙ୍କ ସ୍ୱାର୍ଥ ରହୁଛି, ତେବେ ଜୟପୁର-ଦିଲ୍ଲୀ ରାସ୍ତାକୁ ବାରବାର ସିଲ୍ କରିବା ଧମକ ବିଭିନ୍ନ ଚାଷୀ ସଂଗଠନ ଦେବା ସହିତ ୧୪ରୁ ଆମରଣ ଅନଶନ କରିବାକୁ ସ୍ଥିର କଲେ କିପରି? ସଂକ୍ଷିପ୍ତରେ ଏତିକି କହିଲେ ଯଥେଷ୍ଟ ହେବ ଯେ, ଚାଷୀଙ୍କୁ ନେଇ ରାଜନୀତିର ପଶାପାଲିକୁ ନେତାମାନେ କରାୟତ ନକରନ୍ତୁ । ବରଂ ଚାଷୀମାନେ କିପରି ନିଜ ଅମଳ ଧାନ, ବିରି, ମୁଗ ଓ ବିଭିନ୍ନ ପନିପରିବା କିପରି ଅଧିକ ପରିମାଣରେ ପାରିପାରିବେ, ସେଥିଲାଗି ପ୍ରତିଟି ରାଜ୍ୟ କେନ୍ଦ୍ରସରକାରଙ୍କ ସହ ଆଲୋଚନା ପୂର୍ବକ ନିର୍ଦ୍ଧିଷ୍ଟ ପଦକ୍ଷୋପ ସମ୍ପର୍କରେ ଯୋଜନାବଦ୍ଧ ଆଲୋଚନା କରିବା ଆବଶ୍ୟକ ।