ଚୀନ୍ ପଛକୁ ହଟିଲା!


ଗଲୱାନ ଘାଟି ଓ ଗୋଗ୍ରା ହଟ୍ସ୍ପ୍ରିଙ୍ଗ ନିକଟସ୍ଥ ଲାଇନ୍ ଅଫ ଆକ୍ଚୁୱାଲ କଂଟ୍ରୋଲରୁ ଚୀନ୍ ଦେଢକିଲୋ ମିଟର ପଛକୁ ଫେରିଥିବା ଖବର ଆଜି ଗଣମାଧ୍ୟମରେ ପ୍ରକାଶ ପାଇଛି । ଏପରିକି ଉଭୟ ସ୍ଥାନରେ ଥିବା ତମ୍ବୁ ଓ ଯାନବାହାନ ଆଦିକୁ ମଧ୍ୟ ପଛକୁ ହଟାଇ ନିଆଯାଇଛି । ଏହା ମଧ୍ୟ ଜଣାପଡିଛି ଯେ, ଜୁଲାଇ ୧୪ ସୁଦ୍ଧା ଆଉ ପ୍ରାୟ ଦେଢ କିଲୋ ମିଟର ପଛକୁ ଚୀନ୍ ସୈନ୍ୟମାନେ ଫେରି ଯିବାର କାର୍ଯ୍ୟକ୍ରମ ରହିଛି । ଭାରତୀୟ ସୈନ୍ୟମାନେ ମଧ୍ୟ ପଛକୁ ଫେରିଛନ୍ତି । ଏପରିକି ଉଭୟ ପକ୍ଷରୁ ସୈନ୍ୟ ଆଗକୁ ନଆସିବା ଲାଗି ବଫର୍ ଜୋନ୍ ସୃଷ୍ଟି କରାଯାଇଛି । ସାରା ବିଶ୍ୱ ଜାଣିଛି ଯେ ଜୁନ୍ ୧୫ ତାରିଖ ଦିନ ଭାରତ ଓ ଚୀନ୍ ସୈନ୍ୟଙ୍କ ମଧ୍ୟରେ ଗୁଳିଗୋଳାରେ ଯୁଦ୍ଧ ନହୋଇ ମଧ୍ୟ ପଥର ଓ ମୁଦ୍ଗର ମାଡରେ ୨୦ ଭାରତୀୟ ଜବାନ ସହିଦ ହୋଇଥିଲା ବେଳେ ଚୀନ୍ର ବହୁ ସୈନ୍ୟ ଆହତ ହୋଇଥିଲେ । ଏଥିନେଇ ଉତେଜନା ବଢି ଚାଲିଥିଲା ବେଳେ ଉଭୟ ପକ୍ଷ ଗଲୱାନ ଘାଟିରେ ଅଧିକରୁ ଅଧିକ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ଆଣିବା ଲାଗି ସାମରିକ ଗାଡି ମହଜୁଦ କରିଥିଲେ । ଶନ୍ତ ବାତାବରଣ ଫେରାଇ ଆଣିବାକୁ ଜୁନ୍ ୩୦ରେ ଭାରତ ଓ ଚୀନ୍ ମଧ୍ୟରେ ସକରାତ୍ମକ ଆଲୋଚନା ହୋଇଥିଲେ ହେଁ ଚୀନ୍ ସୈନ୍ୟ ପଛକୁ ହଟିନଥିଲେ । ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଦାଖ ଜାଇ ସୈନ୍ୟଙ୍କୁ ଉଦ୍ବୋଧନ ଦେବା ସହିତ ବିସ୍ତାରବାଦ ଯୁଗର ବିଲୟ ଘଟିଥିବା କହି ଏହା ମାଧ୍ୟମରେ ଚୀନ୍କୁ ଭାରତର ପ୍ରତିକ୍ରିୟା ନେଇ ସ୍ପଷ୍ଟ କରିଥିଲେ । ତେବେ ଜୁଲାଇ ୬ ସୋମବାର ସନ୍ଧ୍ୟା ବେଳେ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଓ ଭାରତର ଜାତୀୟ ନିରାପତା ଉପଦେଷ୍ଟା ଅଜିତ ଡୋଭାଲ ଫୋନ୍ ଯୋଗେ ଏ ସମ୍ପର୍କରେ ଆଲୋଚନା କରିବା ସହିତ ସମାଧାନର ବାଟ ଏବେ ଖୋଲିଥିବା ନେଇ ଆଶା ପ୍ରକାଶ ପାଇଛି । ତେବେ ବାସ୍ତବରେ ଚୀନ୍ ଏହାକୁ କିପରି ମାନୁଛି । ତାହା ଦେଖିବାର କଥା । ଏବେ ପୁଣି ଭୁଟାନର ସକ୍ତେଙ୍ଗ ଅଭୟାରଣ୍ୟକୁ ଚୀନ୍ ନିଜର ବୋଲି ଦାବି କରିବା ସହ ପାଙ୍ଗଙ୍ଗ ହ୍ରଦ ନିକଟରେ ବିପୁଲ ସୈନ୍ୟ ମାସମାସ ଧରି ଯେପରି ଥିଲେ, ଏବେ ବି ସେପରି ଅଛନ୍ତି । ଆଗକୁ ସମୟ ହିଁ କହିବ, ଗଲୱାନକୁ ନେଇ ଘଟିଥିବା ମତ ପାର୍ଥକ୍ୟର ପରିସମାପ୍ତି ଘଟିବକି ନାହିଁ! ଯଦି ବିସ୍ତାରବାଦକୁ ଚୀନ୍ ଗୁରୁତ୍ୱ ଦେଉଥାଏ, ତେବେ ଆଗକୁ ଏହି ଦେଶ ଭାରତ ସହ ଦ୍ୱିତୀୟ ଥର ଲଢେଇ ଲାଗି ରଣାଙ୍ଗନରେ ଯେ ଅବତୀର୍ଣ୍ଣ ନହେବ, ତାହା କିଏ କହିବ!

Comments (0)
Add Comment