ବିଶ୍ୱବାସୀ ଏବେ ପ୍ରାୟତଃ ସ୍ଥିର ନିଶ୍ଚିତ ଯେ ଆଫଗାନିସ୍ତାନ ଶାସନ ଡୋରି ତାଲିବାନ ପାଖରୁ ହଟିବା ଅସମ୍ଭବ । ଅର୍ଥନୈତିକ ଚାପ ଯୋଗୁ ହେଉ, କୂଟନୈତିକ ନିର୍ଯ୍ୟାସରୁ ହେଉ ଅଥବା ଦୀର୍ଘ ଦୁଇ ଦଶନ୍ଧି ଧରି ମାର୍କିନ ସୈନ୍ୟ ଆଫଗାନିସ୍ତାନରେ ରହିବାର ଦୁଃଖକୁ ଲାଘବ କରିବାକୁ ହେଉ; ହ୍ୱାଇଟ୍ ହାଉସ୍ରୁ ରାଷ୍ଟ୍ରପତି ଜୋ ବାଇଡେନ୍ ଯେପରି ସେଠାରୁ ସମସ୍ତ ଆମେରିକୀୟ ସୈନ୍ୟ ଅତି ଶୀଘ୍ର ପ୍ରତ୍ୟାହାର ଲାଗି ନିଷ୍ପତି ଗ୍ରହଣ କରିବା ସହିତ ଏହାକୁ କାର୍ଯ୍ୟକାରି କଲେ, ତାହା ସମ୍ପ୍ରତି କରୋନା ମହାମାରୀ ଆକ୍ରାନ୍ତ ବିଶ୍ୱ ଉପରେ ଏବେ ‘ବୋଝ ଉପରେ ନଳିତା ବିଡା’ ସଦୃଶ୍ୟ ହୋଇପଡିଛି । ଏହାର ପ୍ରଥମ କାରଣ ହେଲା ପାକିସ୍ତାନ । ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଯେପରି ତାଲିବାନ ମୁଣ୍ଡଧାର୍ତା ମାନଙ୍କ ସହ ଆଲୋଚନା କଲେ ଏବଂ ସେଠାରେ ତାଲିବାନ ଗୋଷ୍ଠୀର ତଥାକଥିତ ଭାବି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଆଦି ରହିବା ସହ ପରବର୍ତୀ ସମୟରେ ଶାସନର ଡୋର ହାତକୁ ନେଲେ ତାହା ବିଶ୍ୱ ରାଜନୀତିରେ ‘ପ୍ରଥମ ଆଶ୍ଚର୍ଯ୍ୟ’ ବୋଲି କୁହାଯାଇପାରେ । କେବଳ ସେତିକି ନୁହେଁ, ତାଲିବାନ ଶାସନ ପାଇଁ ଚୀନର ଅହେତୁକ ଆଗ୍ରହ ମଧ୍ୟ ବିସ୍ମୟଜନକ । ଅନ୍ୟପକ୍ଷରେ, ଏଠାରେ ପାଠକମାନଙ୍କୁ ମନେପକାଇ ଦିଆଯାଇପାରେ ଯେ, ୧୯୭୩ ଜୁଲାଇ ୧୭ରେ ଆଫଗାନିସ୍ତାନ ଏକ ଆଧୁନିକ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ର ରୂପେ ଘୋଷିତ ହୋଇଥିଲା ବେଳେ ୨୦୦୪ ଜାନୁଆରୀ ୨୬ରେ ଏହାକୁ ଇସଲାମିକ୍ ସାଧାରଣତନ୍ତ୍ର ରାଷ୍ଟ୍ର କରାଗଲା । ୨୦୨୧, ଅର୍ଥାତ ଚଳିତ ବର୍ଷ ଅଗଷ୍ଟ (ଚଳିତ ମାସ) ୧୯ ତାରିଖରେ ଏହାକୁ ତାଲିବାନ ଶାସକ ଗୋଷ୍ଠୀ ‘ଇସଲାମିକ ଏମିରେଟ୍ସ’ ରୂପେ ପୁନ୍ନରବାର ଘୋଷଣ କଲେ ଯାହାର ସ୍ଥିତାବସ୍ଥା ୨୫ ବର୍ଷ ପୂର୍ବେ ୧୯୯୬ ଜାନୁଆରୀ ୨୫ରୁ ୨୦୦୪ ଜାନୁଆରୀ ୨୫ ପର୍ଯ୍ୟନ୍ତ ଅନୁଭବ କରାଯାଇଥିଲା । ତେବେ ତାଲିବାନ ଶାସନ ସଦ୍ୟ ଜାରି ହେବା ପରଠାରୁ ଏହାର ବାଣିଜି୍ୟକ ସହର କାନ୍ଦାହାରରେ ଶାସକ ଗୋଷ୍ଟି ଏକ ଫତ୍ୱା ଜାରି କରିଛନ୍ତି, ଯାହା ସମ୍ପୂର୍ଣ୍ଣ ମହିଳା ସ୍ୱାଧୀନତା ବିରୋଧି । ଏହି ନିୟମ ଅନୁଯାୟୀ ଯୁବତୀମାନେ ନେଲ୍ପଲିସ୍ ଲଗାଇ ଜଣାପଡିଲେ ଅଙ୍ଗୁଳି ଛେଦି ଦିଆଯିବ । ସେହିପରି ହାଇହିଲ ସ୍ୟାଣ୍ଡେଲ ପିନ୍ଧିଲେ ଅନୁରୂପ ପଦକ୍ଷେପ ଦିଆଯିବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ବିଶ୍ୱର ବହୁ ରାଷ୍ଟ୍ର ଏପରି ମାନବବାଦ ବିରୋଧି ଆଚରଣକୁ ବିରୋଧ କରୁଥିଲା ବେଳେ ତାଲିବାନ ମୁଖ୍ୟ କହିଛନ୍ତି ଯେ, ଶରିଆ ଆଇନ ଅନୁଯାୟୀ କେବଳ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଚାକିରି ପାଇଁ ମହିଳାମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ମିଳିବ । ସଦ୍ୟ ଜି-୭ ପକ୍ଷରୁ ହୋଇଥିବା ବୈଠକରେ କୁହାଯାଇଛି ଯେ, ଆଫଗାନିସ୍ତାନରେ ଯଦି ଆଗକୁ ମାନବବାଦର ବିରୋଧ କରାଯାଏ, ତେବେ ଆମ ପକ୍ଷରୁ ଏଥିନେଇ ମିଳିତ ବିରୋଧ କରାଯିବା ନିଶ୍ଚିତ । ଇତିମଧ୍ୟରେ ଚୀନ୍, ପାକିସ୍ତାନ ଓ ଋୁଷ ଭଳି ଦେଶର ସମର୍ଥନ ତାଲିବାନ ଶାସନ ପ୍ରତି ରହିଥିଲା ବେଳେ ସେମାନଙ୍କ ଦୁତାବାସ ଏବେ ବି କାବୁଲରେ ଖୋଲା ରହିଛି । ସେହି ପରିପ୍ରେକ୍ଷୀରୁ ବିଚାର କଲେ, ଆଫଗାନିସ୍ତାନରେ ଏବେ ଯାହା ଚାଲିଛି, ତାହାର ଭବିଷ୍ୟତ ନେଇ ସମସ୍ତେ ସନ୍ଦିହାନ । ବିଶେଷତଃ, ମହିଳା ଉତ୍ପୀଡ଼ିନ , ମାନବବାଦ ଉଲ୍ଲଂଘନ ଆଦି ଅଧିକ ହେଲେ ଆଗକୁ ବିଶ୍ୱର ମଧ୍ୟ ଭାଗରେ ବୃତର କେନ୍ଦ୍ରବିନ୍ଦୁ ତୁଲ୍ୟ ରହିଥିବା ଆଫଗାନିସ୍ତାନକୁ ନେଇ ଯେ ଆଉ ଏକ ମହାସମର ଘଟିବ କି ନା, ତାହା ଆଗାମୀ ସମୟ ହିଁ କହିବ ।