ଦ୍ୱିତୀୟ ଡୋଜ କେବେ?

ଦେଶରେ କୋଭିଡ-୧୯ ଏବେ ଲାଲବତୀ (ରେଡ ଲାଇଟ) ଆଡକୁ ଅଗ୍ରସର ହେଉଥିବା ଜଣାପଡିଛି । ଏପରିକି ଭାରତବର୍ଷ ବିଶ୍ୱର ଦ୍ୱିତୀୟ ଜନବହୁଳ ରାଷ୍ଟ୍ର ହୋଇଥିଲା ବେଳେ ଏଠାରେ ସମ୍ପ୍ରତି କରୋନାର ଦ୍ୱିତୀୟ ଲହର ଚାଲିଛି । ପ୍ରଥମ ଲହର ଚାଲିଥିଲା ବେଳେ ଏଥିରେ ମୃତାକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲେ ହେଁ ଏହା ସାରା ଭାରତରେ ଚହଳ ସୃଷ୍ଟି କରିବାକୁ ସକ୍ଷମ ହୋଇନଥିଲା । ଯଦିଓ ପ୍ରଥମ ଲହର ୨୦୨୦ ବର୍ଷରେ ସେତେ କଟୁତିକ୍ତ ହୋଇନଥିଲା, କିନ୍ତୁ ତାହା ଦ୍ୱିତୀୟ ଲହରରେ, ଅର୍ଥାତ ୨୦୨୧ରେ ମାତ୍ର ଗୋଟିଏ ମାସ ବ୍ୟବଧାନରେ ଯେତିକି ଆକ୍ରାନ୍ତ କଲାଣି ତାହା ଦ୍ୱାରା ସମଗ୍ର ଦେଶ ଏବେ ବିଚଳିତ କହିଲେ ଅତୁକ୍ତି ହେବ ନାହିଁ । ଆମେ ଏଠାରେ ଆପଣମାନଙ୍କୁ ମନେପକାଇ ଦେଇପାରୁ ଯେ, ସର୍ବପ୍ରଥମେ ୨୦୨୦ ମାର୍ଚ୍ଚରେ କୋଭିଡ-୧୯କୁ ‘ହୁ’ ପକ୍ଷରୁ ମହାମାରୀ ରୂପେ ଘୋଷଣା କରାଯାଇଥିଲା । ଅଥଚ ସର୍ବପ୍ରଥମ କୋଭିଡ ଆକ୍ରାନ୍ତ ଓ ବିଦେଶରୁ ଆସିଥିବା ଯୁବକ କେରଳରେ ଚିହ୍ନଟ ହୋଇଥିଲେ । ପରେ ପରେ ସାରା ଦେଶରେ ଲକ୍ଡାଉନ୍, ସଟ୍ଡାଉନ୍ ଆଦ୍ୟ ଘୋଷଣା କରାଯିବାରୁ ଏହି ସଂକ୍ରମଣର ଚେନକୁ କିଛି ମାତ୍ରାରେ ରୋକାଯାଇପାରିଥିଲା । କିନ୍ତୁ ଦ୍ୱିତୀୟ ଲହର ଆସିବା ସହିତ ମହାରାଷ୍ଟ୍ର, ଗୁଜୁରାଟ, କର୍ଣ୍ଣାଟକ, କେରଳ, ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ, ଉତରପ୍ରଦେଶ, ଦିଲ୍ଲୀ, ରାଜସ୍ତାନ ଏବଂ ଓଡ଼ିଶା ଆଦି ରାଜ୍ୟରେ ଏହା ଭୟଙ୍କର ହୋଇଥିବା ପ୍ରକାଶ । ସାରା ଦେଶରେ ୪୮ ଘଂଟା ପୂର୍ବରୁ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୨ ହଜାର ହୋଇଥିଲା ବେଳେ ମୃତ୍ୟୁ ସଂଖ୍ୟା ୩୭୮୦ ବୋଲି ଘୋଷଣା କରାଯାଇଛି । ତେବେ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଡ.କେ.ବିଜୟ ରାଘବନ୍ କହିବା ଅନୁଯାୟୀ, ଖୁବଶୀଘ୍ର ଦ୍ୱିତୀୟ ଲହର ନସରୁଣୁ ତୃତୀୟ ଲହର ଆସିବା ଆସଙ୍କା ଅଧିକ ରହିଛି । ତୃତୀୟ ଲହରର ଭୂତାଣୁ ବଦଳିବା ସହ ଏହା ଯେକୌଣସି ମାଧ୍ୟମରେ ମନୁଷ୍ୟକୁ ସଂକ୍ରମିତ କରିପାରେ ଏହା ମଧ୍ୟ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ନିଶ୍ଚିହ୍ନ କରିଦେବା ସହିତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅହେତୁକ ସଂକଟ ସୃଷ୍ଟି କରିପାରେ । ଏଥିଲାଗି ଟିକାକରଣ କାର୍ଯ୍ୟକ୍ରମକୁ ତାଙ୍କ କହିବା ଅନୁଯାୟୀ ଗତିସୀଳ କରାଇବାକୁ ପଡିବ ଓ ତାହା ସହିତ ଟିକାର ବିକାଶ ଉପରେ ଧ୍ୟାନ ଦେବାକୁ ପଡିବ । ‘ହୁ’ ପ୍ରକାଶ କରିଥିବା ରିପୋର୍ଟ ଅନୁଯାୟୀ ଏବେ ସାରା ବିଶ୍ୱରେ ଯେତିକି ବ୍ୟକ୍ତି କରୋନା ସଂକ୍ରମିତ, ତାହା ମଧ୍ୟରୁ ୪୬ ପ୍ରତିଶତ ହେଉଛନ୍ତି କେବଳ ଭାରତୀୟ । ତେବେ ଏଠାରେ ଆମର କହିବାର କଥା ହେଲା ଯେ, ବିଜୟ ରାଘବନ୍ଙ୍କ କଥା ଯଦି ସତ ହୁଏ, ତେବେ ଭାରତ ସରକାର ଆଜିଠାରୁ ଏଥିପ୍ରତି ଦୃଷ୍ଟି ଦେବା ଉଚିତ୍ । ଏହା ପୂର୍ବରୁ ଅନେକ ରାଜ୍ୟର ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଯାହା କହିଛନ୍ତି, ତାହା ମଧ୍ୟ କରୋନା ସଂକ୍ରମଣକୁ ଲକ୍ଷ୍ୟକଲେ ଅତିବ ଗୁରୁତ୍ୱପୂର୍ଣ୍ଣ ମନେ ହୁଏ । ବହୁ ଡାକ୍ତରଖାନାରେ ଅମ୍ଳଜାନର ସଂକଟ ନେଇ ସୁପ୍ରିମକୋର୍ଟ ବ୍ୟସ୍ତତା ପ୍ରକାଶ କରିବା ସହିତ ଯେପରି ହେଲେ ଦେଶର ରାଜଧାନୀ ଦିଲ୍ଲୀକୁ ଅମ୍ଲଜାନ ଯୋଗାଇବା କ୍ଷେତ୍ରରେ ବ୍ୟବସ୍ଥିତ ହେବା ଲାଗି ନିର୍ଦେଶ ଦେଇଛନ୍ତି । ଆମେ ମଧ୍ୟ ଓଡ଼ିଶାରେ ଟିକାର ବହୁଳ ଅଭାବ ଅନୁଭବ କରୁଛୁ । ଏପରିକି ମେ’ ୬ତାରିଖକୁ ପ୍ରଥମ ଡୋଜ୍ ଟିକା ନେଇଥିବା ବ୍ୟକ୍ତିଙ୍କ ୩୬ ଦିନ ପୂରଣ ହୋଇଥିବା ଓ ସେମାନେ ଏବେ ବି ଦ୍ୱିତୀୟ ଡୋଜ୍ ଅଫେକ୍ଷାରେ ଥିବା ଜାଣିବାକୁ ମିଳୁଛି । କଟକ ଭଳି ଆଗୁଆ ଜିଲ୍ଳାରେ ବହୁ ଲୋକ ଦ୍ୱିତୀୟ ଡୋଜ ପାଇଁ ଅପେକ୍ଷା କରିଥିଲେ ହେଁ ସେମାନଙ୍କ ନିକଟକୁ ଟେଲିଫୋନରେ ମେସେଜ ଆସୁନାହିଁ । ଅଥଚ, ଦ୍ୱିତୀୟ ଡୋଜ ଟିକାକରଣ ସ୍ୱାସ୍ଥ୍ୟ କେନ୍ଦ୍ରରେ ଧରାଧରି କରି ନାମଲେଖାଇ ଓ ମେସେଜ ତତକ୍ଷଣାତ ପଠାଇ ଟିକା ଦିଆଯାଉଥିବା ଶୁଣିବାକୁ ମିଳୁଛି । ଏଥିପ୍ରତି ସ୍ୱାସ୍ଥ୍ୟ ବିଭାଗ ସଚେତନତାର ସହ ଦୃଷ୍ଟି ଦେବା ବାଂଛନୀୟ । ଅବଶ୍ୟ ସ୍ୱାସ୍ଥ୍ୟ ସଚିବ ପୂର୍ବରୁ ଏକ ନିର୍ଦେଶନାମାରେ କହିଛନ୍ତି ଯେ, ଦ୍ୱିତୀୟ ଡୋଜ ପ୍ରତି ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ଅଗ୍ରାଧିକାର ଦେବା ସହିତ ଏହା ନେବାକୁ ଅପେକ୍ଷା କରିଥିବା ଲୋକମାନଙ୍କୁ ଫୋନ୍ ଯୋଗେ ମେଡିକାଲ କତୃପକ୍ଷ ଡକାଇବା ସହିତ ସେମାନଙ୍କୁ ଆଣିବା ନେଇ ସ୍ୱତନ୍ତ୍ର ଦୃଷ୍ଟି ଦିଅନ୍ତୁ ଓ ଦ୍ୱିତୀୟ ଡୋଜ ସେମାନେ ପାଇବାର ବନ୍ଦୋବସ୍ତ କରନ୍ତୁ । ଏବେ ଦେଖିବାର କଥା, ବିଭାଗୀୟ ସଚିବ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଇଥିବା ନିର୍ଦେଶକୁ ସବଡିଭିଜନ ଓ ଜିଲ୍ଳା ଏବଂ ତହସିଲ ଉପଖଣ୍ଡରେ କେତେ ଗୁରୁତ୍ୱ ଦେଇ ଦ୍ୱିତୀୟ ଡୋଜ ଦିଆଯାଉଛି । ଏପରି ହେଲେ ଅବଶ୍ୟ ଟିକାକରଣର ଲକ୍ଷ୍ୟ ସାଧିତ ହୋଇପାରିବ ।

Comments (0)
Add Comment