ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ

ରାଜ୍ୟରେ କରୋନା ମହାମାରୀ ଯୋଗୁ ଦୀର୍ଘ ୧୦ମାସ ଧରି ପର୍ଯ୍ୟଟନ ଶିଳ୍ପ ସମ୍ପୁର୍ଣ୍ଣ ଅଚଳ ହୋଇପଡିଛି କହିଲେ ଚଳେ । ଦୀର୍ଘ ମାସ ଧରି ପ୍ରମୁଖ ପର୍ଯ୍ୟଟନ ସ୍ଥଳି ବନ୍ଦ ରହିଥିବାରୁ କୌଣସି ପର୍ଯ୍ୟଟକ ଆସିନାହାନ୍ତି ଓ ପର୍ଯ୍ୟଟନ ବାବଦ ରାଜ୍ୟ ସରକାର ଏବଂ ସ୍ଥାନୀୟ ବ୍ୟକ୍ତିମାନେ ବିପୁଳ ଅର୍ଥନୈତିକ ସମ୍ଭାବନାକୁ ହରାଇ ବସିଛନ୍ତି । କେବଳ ଓଡ଼ିଶା ନୁହେଁ, ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଗୁଡିକରେ ପରିସ୍ଥିତି ସମାନ ରହିଥିଲା ବେଳେ ଏହା ଅର୍ଥନୀତି କ୍ଷେତ୍ରରେ ବ୍ୟାପକ କ୍ଷତି କରିସାରିଛି । ଏବେ ଅନ୍ଲକ୍ କରାଯିବା ସହ ବିଭିନ୍ନ ସ୍ଥାନରେ ତଥା ବିଭିନ୍ନ ବ୍ୟବସ୍ଥାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅର୍ଥନୀତିକୁ ଅଧିକ ସାବଲିଳ କରିବାଲାଗି ବିଭିନ୍ନ କୋଭିଡ କଟକଣାକୁ କୋହଳ କରୁଛନ୍ତି । ସେପରି ସ୍ଥଳେ ଓଡ଼ିଶାରେ ପର୍ଯ୍ୟଟନର ବିକାଶ ଦୀର୍ଘ ମାସ ଧରି ପଛେଇ ଯାଇଥିଲା ବେଳେ ଗତ ସୋମବାର ଏଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ଲୋକସେବା ଭବନରେ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ନିଆଯାଇଛି । ରାଜ୍ୟରେ ପର୍ଯ୍ୟଟନକୁ ଆଗେଇନେବା ଲାଗି ଏଠାରେ ଆଲୋଚନା କରାଯାଇଥିଲା । ମୁଖ୍ୟ ଶାସନସଚିବ ଶ୍ରୀ ତ୍ରିପାଠି ଏହି ଅବସରରେ ରାଜ୍ୟର ଆଭ୍ୟନ୍ତରୀଣ ଅଂଚଳ ଗୁଡିକରେ କିପରି ପର୍ଯ୍ୟଟକମାନଙ୍କ ଆସିବା ଠାରୁ ଜିବା ପର୍ଯ୍ୟନ୍ତ ସେମାନେ ଅତ୍ୟନ୍ତ ଆନନ୍ଦ ଅନୁଭବ କରିବେ, ସେଥିନେଇ ଆଲୋଚନା ହୋଇଥିଲା । ନିଜେ ମୁଖ୍ୟ ଶାସନସଚିବ ପରିବେଶ- ପର୍ଯ୍ୟଟନ ଉପରେ ଗୁରୁତ୍ୱ ପ୍ରଦାନ କରି ଯେଉଁ ଅଂଚଳ ଗୁଡିକୁ ପର୍ଯ୍ୟଟକମାନେ କ୍ରମାଗତ ଭାବେ ଯାଉଥିଲେ, ସେହି ଅଂଚଳ ଗୁଡିକରେ ହୋଟେଲ ବ୍ୟବସ୍ଥା ନଥିବାରୁ ‘ହୋମ୍ ଷ୍ଟେ’କୁ ଗୁରୁତ୍ୱ ଦେବା ସହିତ ଦୁର୍ଗମାଂଚଳ ଗୁଡିକରେ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ଗୁରୁତ୍ୱାରୋପ କରିଥିଲେ । ଏ ସମ୍ପର୍କିତ ପଦକ୍ଷେପ ଶୀଘ୍ର ନେବା ଲାଗି ବିଭଗୀୟ ସଚିବ ବିଶାଳ ଦେବଙ୍କୁ ସେ ନିଦେର୍ଶ ଦେଇଥିବା ଜଣା ପଡିଛି । ସୋମବାର ଶ୍ରୀ ତ୍ରିପାଠୀ ସ୍ପଷ୍ଟ କରିଦେଇଥିଲେ ଯେ, ଆଭ୍ୟନ୍ତରୀଣ ଓଡ଼ିଶାରେ ରହିଥିବା ଦୁର୍ଗମ ପ୍ର।କୃତିକ ସ୍ଥଳି ଗୁଡିକରେ ହୋଟେଲେ ସୁବିଧା ନଥିବା ଯୋଗୁ ସେହି ସବୁ ସ୍ଥାନରେ ‘ହୋମ୍ ଷ୍ଟେ’କୁ ପ୍ରୋତ୍ସାହନ ଦିଆଯିବ । କରୋନା ପରବର୍ତୀ ସମୟ କେବେ ଆସିବ ତାହା ସଠିକ ଭାବେ କେହି ପୂର୍ବାନୁମାନ କରିପାରୁ ନଥିଲେ ହେଁ, ଅଧିକ ସମୟ ‘ବନ୍ଦ’ ଭିତରେ ପର୍ଯ୍ୟଟନ ଶିଳ୍ପକୁ ବାନ୍ଧି ରଖିବା ନିଶ୍ଚିତ ଭାବେ ଭୁଲ୍ ନହେଲେ ମଧ୍ୟ ଠିକ୍ ଯେ ନୁହେଁ, ତାହା ସ୍ୱୀକାର୍ଯ୍ୟ । ‘ହୋମ୍ ଷ୍ଟେ’ କହିଲେ, ଏହା ସାଧାରଣତଃ ଯେଉଁ ବ୍ୟକ୍ତି ବିଶେଷ ଏଥିଲାଗି ସମ୍ମତି ଦେବେ ସେମାନଙ୍କୁ ରାଜ୍ୟ ସରକାର ପ୍ରତିବର୍ଷ ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି ଜଣାପଡିଛି । ଏହି ଯୋଜନା ୧୦ ବର୍ଷ ପାଇଁ କାର୍ଯ୍ୟକ୍ଷମ ହେବ ଓ ପ୍ରଥମ ପର୍ଯ୍ୟୟରେ ୮୦ ଜଣ ‘ହୋମ୍ ଷ୍ଟେ’ ମାଲିକଙ୍କୁ ଆର୍ଥିକ ସହାୟତା ସୁବିଧା ଯୋଗାଇ ଦିଆଯିବ । ପ୍ରତିଟି ‘ହୋମ୍ ଷ୍ଟେ’ରେ ଅତି କମରେ ଗୋଟିଏ ଓ ଅତି ବେଶିରେ ୬ଟି ରୁମ୍ ଉପଲବ୍ଧ କରାଯିବ । ବିଶେଷତଃ ଆଗାମୀ ବର୍ଷରୁ ଏହା ଆରମ୍ଭ ହୋଇ ୧୦ ବର୍ଷ ପର୍ଯ୍ୟନ୍ତ ଚାଲିବ ବିଶେଷତଃ ଭିତରକନିକା ଜାତୀୟଉଦ୍ୟାନ, ବରଗଡର ଢେ଼ାଡ୍ରୋକୁସୁମ ଓ ଜିରୋ ପିଂଟ, ରତ୍ନଗିରି-ଉଦୟଗିରି-ଲଳିତଗିରି, କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଓ ବେଲ ଘର, ମୟୂଭଞ୍ଜର ପିଠାବାଟ ଯଶୀପୁର ଓ ଶିମିଳିପାଳ, ଟିକରପଡା ଓ ସାତକୋଶିଆ, ଖୋର୍ଦ୍ଧାର ମଙ୍ଗଳାଯୋଡି, କେନ୍ଦ୍ରପଡାର ଗୁପ୍ତି ଓ ଡାଙ୍ଗମାଳ ଏବଂ ଚିଲିକାରେ ପ୍ରଥମ ପର୍ଯ୍ୟୟରେ ଘରମାଲିକ ଓ ତାଙ୍କର ପରିବାର ସହିତ ପର୍ଯ୍ୟଟକମାନେ ରହିବେ । ତେବେ ଏଠାରେ ଆମର କହିବା କଥା ହେଲା ଯେ, ଏହା ନିଶ୍ଚିତ ଭାବେ ଏକ ଲାଭକାରି ଓ ଶୀଘ୍ର ସଫଳ ହେବାର ଯୋଜନା । କିନ୍ତୁ ଏଥିପ୍ରତି ପର୍ଯ୍ୟଟନ ବିଭାଗ ପ୍ରଥମରୁ ଯୋଜନାବଦ୍ଧ କାର୍ଯ୍ୟକ୍ରମ କରିବା ଆବଶ୍ୟକ । ବିଶେଷତଃ ‘ହୋମ୍ ଷ୍ଟେ’ ଗୁଡିକରେ ପର୍ଯ୍ୟଟକମାନଙ୍କ ଯେପରି ସୁରକ୍ଷିତ ରୁହନ୍ତି ଏବଂ ପରିବେଶ ସ୍ୱଚ୍ଛ ରହେ ତଥା ସେମାନଙ୍କୁ ଉନ୍ନତମାନର ଆତିଥ୍ୟ ମିଳେ ସେଥିପ୍ରତି ଦୃଷ୍ଟି ଦିଆଯିବା ବାଞ୍ଚନୀୟ । ଅବଶ୍ୟ ଏହି ‘ହୋମ୍ ଷ୍ଟେ’ ବ୍ୟବସ୍ଥା ଡାଙ୍ଗମାଳ ଓ ମଙ୍ଗଳାଯୋଡିରେ ପର୍ଯ୍ୟଟକ ଆଦୃତି ଲାଭ କରିଛି । ଯଦି ଆଗକୁ ଉପରୋକ୍ତ ସ୍ଥାନ ଗୁଡିକରେ ‘ହୋମ୍ ଷ୍ଟେ’ ବ୍ୟବସ୍ଥା ସଫଳ ହୁଏ ତେବେ ସ୍ଥାନୀୟ ଲୋକଙ୍କ ଆର୍ଥିକ ଉନ୍ନତି ଘଟିବା ସହିତ ଅଂଚଳବାସୀଙ୍କୁ ରୋଜଗାର କରିବା ସୁବିଧା ମିଳିପାରିବ । ଓଡ଼ିଶା ଭଳି ରାଜ୍ୟରେ ବହୁ ଅଂଚଳକୁ ସମୁଦ୍ର ଛୁଇଁଥିଲା ବେଳେ ‘ହୋମ୍ ଷ୍ଟେ’ର ପରିଚାଳନା ଯଦି ଠିକ୍ ଭାବେ ହୁଏ, ତେବେ ଏହା ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସିବା ଲାଗି ଅକର୍ଷିତ କରିପାରିବା ସ୍ୱତଃସିଦ୍ଧ ।

Comments (0)
Add Comment