ପୁର୍ବାନୁମାନ ସତ ନହେଉ

ଆମ ଦେଶରେ ଏବେ ଚାଲିଛି ପାର୍ବଣ ଋତୁ । ଦଶହରା ମୁଣ୍ଡ ଉପରେ । ଏହା ପରେ ପରେ କାଳିପୂଜା, ଧନତେରାସ୍ ଓ ଦୀପାବଳି । ଦିୱାଲି ପରେ ଲକ୍ଷ୍ମୀ ପୂଜାର ମାହୋଲ୍ ଦେଖିବାକୁ ମିଳିବ । କରୋନା ଯୋଗୁ କଟକଣାକୁ ସମସ୍ତେ ମାନିଲେ ଓ ମାନିବାକୁ ବାଧ୍ୟ । ତା’ ସତ୍ୱେ ଭକ୍ତ ଏହି ପର୍ବପର୍ବାଣି ଗୁଡ଼ିକରେ ମା’ ଦୁର୍ଗା, ମା’ କାଳି ଏବଂ ମା’ ମହାଲକ୍ଷ୍ମୀଙ୍କ ପୂଜା ଆରାଧନା ପାଇଁ ମନ୍ଦିର ଯିବା ଓ ବିଭିନ୍ନ ପୂଜା ମଣ୍ଡକୁ ଯିବାର ଯେଉଁ ଚିରାଚରିତ ପନ୍ଥା ଚାଲିଆସିଛି, କରୋନା କଟକଣା ଯୋଗୁ ଏବେ ଏହା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଯେ ଏକପ୍ରକାର ଅନ୍ତରାୟ ସୃଷ୍ଟି କରିଛି, ତାହା କହିବା ନିଷ୍ପ୍ରୟୋଜନ । ବ୍ୟାକୁଳ ଭକ୍ତ ବାଟ ଅଣ୍ଡାଳି ପୂଜାମଣ୍ଡପରେ ହେଉ ବା ମନ୍ଦିରରେ ହେଉ ଠାକୁରାଣୀଙ୍କୁ ଦର୍ଶନ କରିବା ଲାଗି ଘୁରି ବୁଲିବା ସ୍ୱଭାବିକ ଓ ଏହା ଯେ ନହେବ ତାହାର ଗ୍ୟାରେଂଟି କେହି ଦେଇପାରିବେ ନାହିଁ । ତେଣୁ ଜବରଗହଲି ନହୋଇପାରେ, କିନ୍ତୁ ପରୋକ୍ଷରେ ଏବଂ ଲୋକ ଲୋଚନ ଅଗୋଚରରେ ଭିଡ ଯେ ନହେବ ତାହା କେଇ କହିପାରିବେ ନାହିଁ । ଏହା ବ୍ୟତିତ, ପାର୍ବଣ ଋତୁ ସରିବା ସହିତ ଆସିବ ଶୀତ ଋତୁ । ସାଧାରଣତଃ ଏହି ଋତୁ ଦୁର୍ବଳ ବ୍ୟକ୍ତିବିଶେଷ, ଏସୋନଫିଲିଆ, ବ୍ରୋଙ୍କାଇଟିସ୍ ଓ ଅନ୍ୟାନ୍ୟ ମାରାତ୍ମକ ରୋଗରେ ପୀଡିତ ଲୋକଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ । ତେବେ ଏଠାରେ ଆମେ ଏହା କହିବାର ଅର୍ଥ ହେଲା ଯେ, କେନ୍ଦ୍ରସରକାରଙ୍କ ଦ୍ୱାରା କରୋନା ବ୍ୟାପିବା ସମ୍ପର୍କରେ ସମୀକ୍ଷା ଲାଗି ଯେଉଁ ଉଚ୍ଚସ୍ତରୀୟ ସୁପର ମଡେଲ୍ କରୋନା କମିଟି ଗଠନ କରାଯାଇଥିଲା, ଉକ୍ତ କମିଟି ତାଙ୍କ ରିପୋର୍ଟରେ ସତର୍କ ସୂଚନା ପ୍ରକାଶ କରି, ଯେଉଁ ଭବିଷ୍ୟବାଣୀ ବା ସତର୍କ ରହିବା ଲାଗି ସଜାଗ ରହିବାକୁ କହିଛନ୍ତି, ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ୧୦ ଜଣିଆ କମିଟିର ଅଧ୍ୟକ୍ଷ ଭିକେ ପଲ୍ ତତ୍ୱାବଧାନରେ ଏକ ଗାଣିତିକ ମଡେଲ୍ ପ୍ରସ୍ତୁତ କରିବା ସହ ଯେଉଁଭଳି ପାର୍ବଣ ଓ ଶୀତ ଋତୁକୁ ନେଇ ସମିକ୍ଷା କରିଛନ୍ତି, ତାହା ଯଦି ସତ ହୁଏ, ତେବେ ଦେଶ ପାଇଁ ଭୟଙ୍କର । କମିଟି କହିଛି, ପାର୍ବଣ ଓ ଶୀତ ଋତୁ ପରିପ୍ରେକ୍ଷୀରୁ କରୋନା ବଢ଼ିବା ଆଶଙ୍କା ଅଧିକ ରହିଛି । ଯଦି ଏହାକୁ ଠିକ୍ ଭାବେ ମୁକାବିଲା କରାନଯାଏ, ତେବେ କରୋନା ମହାମାରୀ ସଂକ୍ରମିତ ହେବା ଓ ଲକ୍ଷ ଲକ୍ଷ ଲୋକ ପୁନଶ୍ଚ ଆକ୍ରମଣର ଶିକାର ହେବା ଅଦୌ ଅସମ୍ଭବ ନୁହେଁ । ଏପରିକି ଆଗାମୀ ୧ ମାସ ମଧ୍ୟରେ ଆଉ ୨୬ ଲକ୍ଷ ନୂଆ ରୋଗୀଙ୍କୁ କୋଭିଡ ହସ୍ପିଟଲ ଗୁଡ଼ିକରେ ଦେଖିବାକୁ ମିଳିବା ବିଚିତ୍ର ନୁହେଁ । ଏବେ ଅଧିକ ସଂକ୍ରମିତ ରାଜ୍ୟ କହିଲେ, ଏଗୁଡ଼ିକ ମଧ୍ୟରେ ରହିଛି କେରଳ, କର୍ଣ୍ଣାଟକ, ଛତିଶଗଡ଼, ରାଜସ୍ତାନ ଓ ପଶ୍ଚିମବଙ୍ଗ । ସେଥିଯୋଗୁ କରୋନା ସଂକ୍ରମିତ ନହେବା ଲାଗି ସାମାଜିକ ଦୁରତ୍ୱ ରକ୍ଷା ନିହାତି ଜରୁରି । ଆଗକୁ ଶୀତ ଋତୁ ଆସୁଥିବାରୁ ଦେଶରେ କରୋନାର ଦ୍ୱିଦୀୟ ରାଉଣ୍ଡୁ ବ୍ୟାଟିଙ୍ଗ୍ ଆରମ୍ଭ ହେବା ଆଶଙ୍କା ରହିଛି । ତେବେ ମୋଟାମୋଟି ଭାବେ ଏତିକି କୁହାଯାଇପାରେ ଯେ, କରୋନା ଔଷଧ ବା ଟିକା ଯେପର୍ଯ୍ୟନ୍ତ ବଜାରକୁ ନଆସିଛି, ସେପର୍ଯ୍ୟନ୍ତ ପାର୍ବଣ ଋତୁ ଗୁଡ଼ିକରେ ଅସ୍ୱାଭାବିକ ଭିଡ ଜମାଇବା ବା ଜନଗହଳି ଭିତରେ ଦୁରତ୍ୱ ରକ୍ଷା କରିବା ପ୍ରାୟତଃ ମୁଲ୍ୟହିନ । ସେଥିଯୋଗୁ ସବୁ ଦେଶ ବାସୀ ସଚେତନ ହୋଇ କରୋନାକୁ ପ୍ରଥମେ ଆୟତ କରିବା ଆବଶ୍ୟକ ।

Comments (0)
Add Comment