ପ୍ରାଣୀର ଭଲମନ୍ଦ ବାଣୀ…

ଏ ରାଜ୍ୟର ଅନ୍ୟତମ ବିଶିଷ୍ଟ ଜନନେତା, ରାଜନେତା ତଥା ୭ ଥର ବିଧାନସଭାକୁ ନିର୍ବାଚିତ ହୋଇ ୨ ଥର ମନ୍ତ୍ରୀ ଥିବା ପିପିଲି ବିଧାୟକ ପ୍ରଦୀପ ମହାରଥୀ ଶନିବାର ଅକ୍ଟୋବର ୩ତାରିଖ ରାତି ପ୍ରାୟ ୨.୩୮ ମିନିଟିରେ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ଇଶ୍ୱର ତାଙ୍କ ସ୍ୱାସ୍ଥ୍ୟ ଭଲ ରଖିଥିଲେ ବୋଧହୁଏ ତାଙ୍କ ଭଳି ବ୍ୟକ୍ତି ଅତିକ୍ମରେ ଆଉ ଦୁଇ ଦଶନ୍ଧି ଖୁସିରେ ପରିବାର ଓ ନିଜ ନିର୍ବାଚନ ମଣ୍ଡଳି ଲୋକଙ୍କ ଗ୍ରହଣରେ ବିତାଇପାରିଥାନ୍ତେ । ପ୍ରଥମେ ଏ ରାଜ୍ୟର ବିଶିଷ୍ଟ ରାଜନେତା ବିଜୁବାବୁଙ୍କ ସହ ରାଜନୀତି ଆରମ୍ଭ କରିଥିବା ଓ ‘ନଟୁ ଭାଇ’ ରୂପେ ବେଶ ଜଣାଶୁଣା ଶ୍ରୀ ମହାରଥୀ ‘ମିସା’ରେ ୧୭ମାସରୁ ଉଦ୍ଧ୍ୱର୍କାଳ ଜେଲରେ ରହିଥିଲେ । ସେଠାରୁ ଫେରି ବିଜୁବାବୁଙ୍କ ପଥାନୁସରଣ କରି ୧୯୮୫ରେ ପିପିଲି ବିଧାନସଭା ଆସନରୁ ନିର୍ବାଚିତ ହେବା ପରେ ସେ ଆଉ ପଛକୁ ଚାହିଁନାହାନ୍ତି । ୧୯୯୦, ୨୦୦୦,୨୦୦୪, ୨୦୦୯,୨୦୧୪ ଓ ୨୦୧୯ରେ ବିଧାୟକ ହୋଇଥିବା ବେଳେ ସେ ମଧ୍ୟ ଥରେ କୃଷିମନ୍ତ୍ରୀ ଓ ଆଉ ଥରେ କ୍ୟାବିନେଟ ମନ୍ତ୍ରୀ ରହିଥିଲେ । ତାଙ୍କର ଏକ ଯାତ୍ରା ପାର୍ଟି ଥିଲା ବେଳେ କଥା କଥାକେ ସେ କହୁଥିଲେ, ‘ଶହେ ଘୋଡାକୁ ଶହେ ହାତୀ, ଏକା ଲଢ଼ିବ ମହାରଥୀ’ । କିନ୍ତୁ ତାହା ହେଲା ନାହିଁ । ଜୀବନ ଯୁଦ୍ଧରେ ସେ ବାଜି ହାରିଗଲେ । କିନ୍ତୁ ତାଙ୍କର ଅଦମନିତ ରାଜନୈତିକ କାର୍ଯ୍ୟକଳାପ ଏତେ ଲୋକାଦୃତ ଥିଲା ଯେ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମାପନ୍ନ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କରାଯାଇଥିଲା ବେଳେ ଶହ ଶହ ସମର୍ଥକ ଓ ନିର୍ବାଚନ ମଣ୍ଡଳିର ବ୍ୟକ୍ତି ଉପସ୍ଥିତ ଥିଲେ । ସେଥିଲାଗି ଭାଗବତରେ ଏକ ଉକ୍ତି ଅଛି, ‘ପ୍ରାଣୀର ଭଲମନ୍ଦ ବାଣୀ, ମରଣକାଳେ ତାହା ଜାଣି’ । ସେ ନିଜେ ଜଣେ ଚଷାପୁଅ ଥିଲା ବେଳେ ରାଜ୍ୟର କୃଷିମନ୍ତ୍ରୀ ଥିବା ସମୟରେ କୃଷିକର୍ମଣ ପୁରସ୍କାର ଲାଭ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଛାତ୍ର ଜୀବନରୁ ପୁରୀ ଏସ୍ସିଏସ୍ କଲେଜରୁ ଛାତ୍ର ନେତା ରୂପେ ଜୀବନ ଆରମ୍ଭ କରିଥିବା ଓ ପ୍ରତେକ ଗମ୍ଭୀର ମୁହୁର୍ତକୁ କଥାକଥାକେ ହାଲ୍କା କରିବାର ପ୍ରବୀଣତା ରହିଥିବା ସ୍ୱର୍ଗତ ମହାରଥୀଙ୍କ ମହାନିଦ୍ରା ମନେପକାଇ ଦିଏ ସେଇ ଉକ୍ତି ଯାହା ହେଉଛି, ‘କେହି ରହିନାହିଁ ରହିବେ ନାହିଁଟି ଭବରଙ୍ଗ ଭୁମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳବଳେ’ ।

Comments (0)
Add Comment