କରୋନା ମହାମାରୀର ତାଡନାରେ କ୍ରମାଗତ ଭାବେ ଦ୍ୱିତୀୟ ବର୍ଷ ପୁରୀ ବଡ଼ଦାଣ୍ଡରେ ରଥଯାତ୍ରା ପୂର୍ବରୁ କର୍ଫ୍ୟୁ ଜାରି କରାଯାଇଛି । କେବଳ ସେତିକି ନୁହେଁ ସମଗ୍ର ସହର ପୋଲିସ ଛାଉଣି ଭିତରେ ରହିଥିଲା ବେଳେ ମୋଟ ୬୫ ପ୍ଲାଟୁନ ଫୋର୍ସ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ୧୨ଟି ଯୋନରେ ବିଭକ୍ତ ହୋଇଥିବା ସହର ଭିତର ଓ ବାହାରେ ମୃତୟନ କରାଯାଇଛି । ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସବୁ ସାହି ଓ ଗଳି ରାସ୍ତା ଉପରେ କାଠ ବ୍ୟାରିକେଡ ନିର୍ମିତ ହୋଇଛି । ପବିତ୍ର ରଥଯାତ୍ରା ଆଜି ଅନୁଷ୍ଠିତ ହୋଇଥିଲା ବେଳେ ପୁରୀ-ଭୁବନେଶ୍ୱର, ପୁରୀ-କୋଣାର୍କ ଏବଂ ପୁରୀ-ସାତପଡା ରାଜପଥକୁ ସମ୍ପୁର୍ଣ୍ଣ ବନ୍ଦ କରାଯାଇଥିଲା ବେଳେ ବସ୍ ଓ ରେଳ ଗାଡି ଚଳାଚଳ ବନ୍ଦ ରହିଛି । ମୃତୟନ ହୋଇଥିବା ପୋଲିସମାନେ ବଡ଼ଦାଣ୍ଡର ଉଭୟ ପାଶ୍ୱର୍ରେ ଥିବା କୋଠା ଉପରେ ଜଗି ରହିଥିଲା ବେଳେ ବିଗତ ୨୪ ଘଂଟା ମଧ୍ୟରେ ସହର ଭିତରେ ରହିଥିବା ସମସ୍ତ ଲଜିଂ, ହଲିଡେ ହୋମ୍ ହୋଟେଲ ଓ ଧର୍ମଶାଳା ତନଖିପୂର୍ବକ ଏଗୁଡିକ ଖାଲି କରାଯାଇଛି । ଜଳ, ସ୍ଥଳ ଓ ଆକାଶ ମାର୍ଗରେ ପହରାକୁ ସଜାଗ ରଖାଯାଇଥିଲା ବେଳେ ଶ୍ରୀମନ୍ଦିର ଚତୁଃର୍ଦ୍ଧିଗକୁ ମେଟାଲ ଡିଟେକ୍ଟର ଓ ସନ୍ଧାନି କୁକୁର ସାହର୍ଯ୍ୟରେ ଗୁଇନ୍ଦାବାହିନୀ ଜାଂଚ କରିଛି । ବିନା ଭକ୍ତରେ କେବଳ ଦଇତାପତି, ଘଂଟୁଆ ସେବକ ଓ ପୋଲିସ ସହାୟତରେ ରଥ ଶ୍ରୀମନ୍ଦିର ନିକଟରୁ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା ଆରମ୍ଭ ଆୟୋଜନ ହୋଇଛି । ତେବେ ଏଠାରେ ଆମର କହିବାର କଥା ହେଲା ଯେ, ୨୦୨୦ରେ ରାଜ୍ୟର କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ସେହି ବର୍ଷ ରଥଯାତ୍ରାରେ ଭକ୍ତମାନେ ଭାଗ ନେବାକୁ ସରକାରୀ ସ୍ତରରୁ ବାରଣ କରାଯାଇଥିଲା । ୨୦୨୧, ଅର୍ଥାତ ଚଳିତ ବର୍ଷ ଆଜିର ଦିନରେ ମଧ୍ୟ ଜଗତର ଠାକୁର ଜଗା ଓ ତାଙ୍କର ବଢ଼ ଭାଇ ବଳିଆ ଏବଂ ଭଉଣୀ ସୁଭଦ୍ରା ମଧ୍ୟ ପୂର୍ବ ବର୍ଷ ଭଳି ରଥକୁ ବିଜେ କରୁଛନ୍ତି । ଅବସ୍ଥାରେ, ବ୍ୟବସ୍ଥାରେ, ସ୍ଥିତି ଓ ପରିସ୍ଥିତିରେ, ପରମ୍ପରାରେ ଏବଂ ସର୍ବୋପରି ରଥଯାତ୍ରା କ୍ଷେତ୍ରରେ ୨୦୨୦ ଇତିହାସର ପୂନରାବୃତି କରାଯାଉଛି । ତେବେ ଆକୁଳ କଣ୍ଠରେ, ବ୍ୟାକୁଳ ହୃଦୟରେ ଏବଂ ଅଶାନ୍ତ ମନରେ ଶ୍ରୀଜଗନ୍ନାଥଙ୍କ ସାରା ବିଶ୍ୱରେ ବିଛାଡି ହୋଇ ରହିଥିବା ବହୁ ଭକ୍ତ ଆବେଗର ସହ ପ୍ରଶ୍ନ କରୁଛନ୍ତି; ହେ କାଳିଆ ମହାପ୍ରଭୂ, କୁହାଯାଇଛି ଯେ, ‘ରଥେ ତୁ ବାମନଂ ଦୃଷ୍ଟା ପୂର୍ନଃଜନ୍ମଃ ନ ବିଦ୍ୟତେ’ । ଅଥଚ, ଏବେ ଘଟୁଛି କ’ଣ? ଭକ୍ତଙ୍କ ଅପେକ୍ଷାରେ ଭଗବାନ! ପ୍ରଶ୍ନ ଉଠୁଛି ଯାହା ଅସମାହିତ ଓ ଏହା ହେଲା ଯେ, ଶୋଷ ପ୍ରଥମେ ପାଣି ପାଖକୁ ଯିବ ନା ପାଣି ପ୍ରଥମେ ଶୋଷ ପାଖକୁ ଯିବ? ବର୍ଷକେ ଦୁଇ ଦିନ ଗୁଣ୍ଡିଚା ଓ ବାହୁଡାଯାତ୍ରା ଅବସରରେ ସବୁ ବର୍ଷ ବଡଦାଣ୍ଡକୁ କାଳିଆ ସାଆଁନ୍ତେ ବିଜେକରିଥାନ୍ତି ଓ ଚଳିତ ବର୍ଷ ତାହାହିଁ ଘଟିଛି । ଅଥଚ ବିନା ଭକ୍ତରେ ଓ ପୋଲିସ ଗହଣରେ । ତେବେ ଆଉ କ’ଣ ଦେଖିବାକୁ ବାକି ରହିଲା! ଆଉ କେତେ ଦିନ କାଳିଆ ସାଆଁନ୍ତେ ବଡ଼ଦାଣ୍ଡରେ ଏକୁଟିଆ ଯାତ୍ରା କରିବେ!